ସ୍କୁଲ ନଳକୂପ ଅଚଳ ବୋଲି ମଧ୍ୟାହ୍ନ ଭୋଜନ ରନ୍ଧା ହେଉନି : ପିଲାଏ ଖାଉଛନ୍ତି ବିସ୍କୁଟ

ଦେଓଗାଁ, (ମନୀଷ କୁମାର ସାହୁ) : କରୋନା କଟକଣା ହଟିବା ପରେ ଏବେ ସ୍କୁଲଗୁଡ଼ିକରେ ମଧ୍ୟାହ୍ନ ଭୋଜନ ଆରମ୍ଭ ହୋଇଛି । କିନ୍ତୁ ଦେଓଗାଁ ବ୍ଲକ୍ ଦେଷଣ୍ଡ ପଞ୍ଚାୟତ ଗମ୍ଭାରୀମାଲ ପ୍ରକଳ୍ପ ଉଚ୍ଚପ୍ରାଥମିକ ସ୍କୁଲରେ ଥିବା ନଳକୂପ ଅଚଳ ହୋଇଥିବାରୁ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତି ପ୍ରଭାବିତ ହୋଇଛି । ୫ଦିନ ହେଲା ଏହାର ପ୍ରସ୍ତୁତି ଦାୟିତ୍ବରେ ଥିବା ଏସ୍ଏଚ୍‌ଜି ସଦସ୍ୟମାନେ ବୁଧବାର ଅଭିନବ ଭାବେ ପ୍ରତିବାଦ କରିଛନ୍ତି । ମଧ୍ୟାହ୍ନ ଭୋଜନରେ ଭାତ, ଅଣ୍ଡା ବଦଳରେ ସେମାନେ ପିଲାମାନଙ୍କୁ ବିସ୍କୁଟ ଖୁଆଇଥିବା ଦେଖିବାକୁ ମିଳିଥିଲା । ଅଭିଯୋଗ ଅନୁସାରେ, ଏହି ସ୍କୁଲରେ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତି ଦାୟିତ୍ଵ ମହିଳା ଗୋଷ୍ଠୀକୁ ଦିଆଯାଇଛି । ସ୍କୁଲ ପରିସରରେ ଥିବା ନଳକୂପ ୫ ଦିନ ହେଲା ଅଚଳ ହୋଇଯାଇଛି । ନଳକୂଅ ମରାମତି କରାନଯିବାରୁ ବୁଧବାର ଦିନ ମଧ୍ୟାହ୍ନ ଭୋଜନ ରନ୍ଧାକାମ ବନ୍ଦ କରି ପ୍ରତିବାଦ କରିଥିଲେ । ଏନେଇ ପଞ୍ଚାୟତ କର୍ତ୍ତୃପକ୍ଷଙ୍କୁ ଅବଗତ କରାଇଥିଲେ ମଧ୍ୟ କେହି ଶୁଣୁ ନାହାନ୍ତି ବୋଲି ପ୍ରଧାନ ଶିକ୍ଷକ କହୁଛନ୍ତି । ନଳକୂପ ମରାମତି କରିବାକୁ କେହି ଆସୁନଥିବାରୁ ଗାଁରେ ଅସନ୍ତୋଷ ଦେଖାଦେଉଛି । ଏଣୁ ଶୀଘ୍ର ନଳକୂପ ମରାମତି କରିବା ପାଇଁ ଦାବୀ ହେଉଛି ।

Leave A Reply

Your email address will not be published.