ବାଙ୍କି ରେଞରେ ନିଆଁ ନିବାରଣ ନେଇ ସଚେତନତା ଅଭିଯାନ ଆରମ୍ଭ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ବନଖଣ୍ଡ ପକ୍ଷରୁ ଜଙ୍ଗଲ ନିଆଁ ନିବାରଣ ସଚେତନତା ଅଭିଯାନ ଆଜିଠାରୁ ବାଙ୍କି ରେଞ୍ଜରେ ଆରମ୍ଭ ହୋଇଛି । ଆଜି କୁଚେଇତା, ଚନ୍ଦରପୁର, ଚନ୍ଦିପୋଷ, ମୁଶାବିରା ପ୍ରଭୁତି ଗ୍ରାମରେ ପଥପ୍ରାନ୍ତ ନାଟକ ପ୍ରଦର୍ଶନ କରାଯାଇଥିଲା । ଏଥିପୂର୍ବରୁ କୁଆରମୁଣ୍ଡାର ରିଓ ଅଂଚଳରେ ଏ ସଂପର୍କିତ ଏକ ପଥପ୍ରାନ୍ତ ନାଟକ ଅନୁଷ୍ଠିତ ହୋଇଥିଲା । ବାଙ୍କି ରେଞ୍ଜର ଅଜୟ ଖେସ୍ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ମହୁଲ, କେନ୍ଦୁ ପ୍ରଭୁତି ସଂଗ୍ରହ ପାଇଁ ଜଙ୍ଗଲରେ ପଡିଥିବା ସୁଖିଲା ପତ୍ରରେ ନିଆଁ ନ ଲଗାଇବା ପାଇଁ ଲୋକଙ୍କୁ ପରାମର୍ଶ ଦିଆଯାଇଥିଲା । ଗ୍ରାମବାସୀମାନେ ମିଳିତ ହୋଇ ନିଜ ଅଂଚଳର ଜଙ୍ଗଲର ସୁରକ୍ଷା କରିବା ପାଇଁ ନିବେଦନ କରାଯାଇଥିଲା । ୱାଇଏମ୍‌ଏଫ୍‌ଆଇର ସାଧାରଣ ସଂପାଦକ ବିବେକାନନ୍ଦ ଦାସଙ୍କ ତତ୍ତ୍ବାବଧାନରେ କଳାକାର ବାପି ପଲାଇ, ବିଷ୍ଣୁପ୍ରିୟା ଓ ସୁନିତା ପ୍ରମୁଖ ସୁନ୍ଦର ଅଭିନୟ ମାଧ୍ୟମରେ ଲୋକଙ୍କୁ ଜଙ୍ଗଲରେ ନିଆଁ ଲାଗିଲେ କିପରି ବୃକ୍ଷଲତା ସହ ଜୀବଜନ୍ତୁ ପ୍ରଭାବିତ ହୋଇଥାନ୍ତି, ସେ ସଂପର୍କରେ ବୁଝାଇଥିଲେ । ଜ୍ଞାତସାରରେ ଜଙ୍ଗଲରେ ନିଆଁ ଲଗାଇଲେ ଏଣିକି ଜେଲ୍ ଓ ଜୋରିମାନା ଦେବାକୁ ହେବ ବୋଲି ସତର୍କ ମଧ୍ୟ କରାଇ ଦେଇଥିଲେ । ଏହି ଅବସରରେ ବିଭିନ୍ନ ଅଂଚଳର ଫରେଷ୍ଟର, ଫରେଷ୍ଟ ଗାର୍ଡ, ଫାୟାର ସ୍କ୍ୱାର୍ଡ ପ୍ରମୁଖଙ୍କ ସମେତ ଗ୍ରାମବାସୀମାନେ ଉପସ୍ଥିତ ଥିଲେ । ଲୋକେ ଆଗ୍ରହର ସହ ଏହାକୁ ଉପଭୋଗ କରିବା ସଙ୍ଗେ ସଙ୍ଗେ ଜଙ୍ଗଲର ସୁରକ୍ଷା ପାଇଁ ପ୍ରତିଶ୍ରୁତି ଦେଇଥିଲେ ।

Leave A Reply

Your email address will not be published.