ବଲାଙ୍ଗିର ଜର୍ଜ ଲିଟିରାରୀ ଏଣ୍ଡ୍‌ ସୋସିଆଲ୍‌ କ୍ଲବ୍‌ର ପୁନରୁଦ୍ଧାର ଓ ଆଭ୍ୟନ୍ତରୀଣ ଉନ୍ନତିକରଣ କାର୍ଯ୍ୟ ସକାଶେ ଦ୍ୱିପାକ୍ଷିକ ବୁଝାମଣା ପତ୍ର ସ୍ୱାକ୍ଷରିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହର ସ୍ଥିତ ଜର୍ଜ ଲିଟିରାରୀ ଏଣ୍ଡ୍‌ ସୋସିଆଲ୍‌ କ୍ଲବର ପୁନରୁଦ୍ଧାର ଓ ଆଭ୍ୟନ୍ତରୀଣ ଉନ୍ନତିକରଣ କାର୍ଯ୍ୟ ସକାଶେ ଦ୍ୱିପାକ୍ଷିକ ବୁଝାମଣା ପତ୍ର ସ୍ୱାକ୍ଷରିତ ପତ୍ର ସ୍ୱାକ୍ଷରିତ ହୋଇଯାଇଛି । ବଲାଙ୍ଗିର ଜିଲ୍ଲାପାଳ ଚଂଚଳ ରାଣା ଏବଂ ଇନ୍‌ଟେକ୍‌ କନ୍‌ଭେନ୍‌ସନ୍‌ ସେଂଟର, ଓଡ଼ିଶା ଭୁବନେଶ୍ୱରର ନିର୍ଦ୍ଦେଶିକା ମଲ୍ଲିକା ମିତ୍ରଙ୍କ ମଧ୍ୟରେ ଏହି ଦ୍ୱିପାକ୍ଷିକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି । ଇନ୍‌ଟେକ୍‌ କନ୍‌ଭେନ୍‌ସନ୍‌ ସେଂଟର, ଓଡ଼ିଶା ଦ୍ୱାରା ଜର୍ଜ ଲିଟିରାରୀ ଏଣ୍ଡ୍‌ ସୋସିଆଲ୍‌ କ୍ଲବ ବଲାଙ୍ଗିରର ପୁନରୁଦ୍ଧାର ଓ ଆଭ୍ୟନ୍ତରୀଣ ଉନ୍ନତିକରଣ କାର୍ଯ୍ୟ କରାଯିବ । ଏହି ପ୍ରକଳ୍ପର ଅଟକଳ ମୂଲ୍ୟ ୨ କୋଟି ୨୬ ଲକ୍ଷ ଟଙ୍କା ରହିଛି । ଏହି ପ୍ରକଳ୍ପ କାର୍ଯ୍ୟ ମଧ୍ୟରେ ଜର୍ଜ ଲିଟିରାରୀ ଏଣ୍ଡ୍‌ ସୋସିଆଲ କ୍ଲବ ବଲାଙ୍ଗିରର ମୁଖ୍ୟ କୋଠାର ପୁନରୁଦ୍ଧାର ସହ ଫର୍ଣ୍ଣିଚର ଓ ପୁସ୍ତକ ଗୁଡ଼ିକର ସଂରକ୍ଷଣ ଏବଂ ଆଭ୍ୟନ୍ତରୀଣ ଉନ୍ନତିକରଣ କାର୍ଯ୍ୟ ଅନ୍ତର୍ଭୁକ୍ତ । ବୁଝାମଣା ପତ୍ର ସ୍ୱାକ୍ଷରିତ ହେବାର ୨୪ ମାସ ମଧ୍ୟରେ ପ୍ରକଳ୍ପ କାର୍ଯ୍ୟ ସଂପୂର୍ଣ୍ଣ ହେବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ବେଳେ ଏକ ବର୍ଷ ମଧ୍ୟରେ କାର୍ଯ୍ୟ ସଂପୂର୍ଣ୍ଣ କରିବାକୁ ଜିଲ୍ଲାପାଳ, ଇନଟେକ୍‌ କନ୍‌ଭେନ୍‌ସନ୍‌ ସେଂଟର ଓଡ଼ିଶା ଭୁବନେଶ୍ୱରର ନିର୍ଦ୍ଦେଶିକାଙ୍କୁ ଅନୁରୋଧ କରିଛନ୍ତି । ଏହି ପ୍ରକଳ୍ପରେ ପ୍ରଦର୍ଶନୀ ହଲ ସହ ଏକ ସଂଗ୍ରହାଳୟର ମଧ୍ୟ ବ୍ୟବସ୍ଥା ରହିବ । ପ୍ରକଳ୍ପ କାର୍ଯ୍ୟ ସଂପୂର୍ଣ୍ଣ ହେଲାପରେ ଏହାର ପରିଚାଳନା ଓ ରକ୍ଷଣାବେକ୍ଷଣ ଦାୟିତ୍ୱ ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟଙ୍କ ତତ୍ତ୍ୱାବଧାନରେ ସଂପାଦିତ ହେବ । ଆଜିର ଏହି ଦ୍ୱିପାକ୍ଷିକ ବୁଝାମଣା ପତ୍ର ସ୍ୱାକ୍ଷରିତ କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ପୋଲିସ ମହାନିର୍ଦ୍ଦେଶକ ତଥା ଇନ୍‌ଟେକ୍‌ର ରାଜ୍ୟ ଆବାହକ ଅମୀୟ ଭୂଷଣ ତ୍ରିପାଠୀ, ଇନ୍‌ଟେକ୍‌ ବଲାଙ୍ଗିର ଚାପ୍ଟରର ଆବାହକ ଡ.ଶିବପ୍ରସାଦ ନନ୍ଦ, ବଲାଙ୍ଗିର ପୂର୍ତ୍ତ ବିଭାଗର ନିର୍ବାହୀ ଯନ୍ତ୍ରୀ ଜୟନ୍ତ କୁମାର ନାୟକ, ପର୍ଯ୍ୟଟନ ବିଭାଗ ସହକାରୀ ନିର୍ଦ୍ଦେଶକ ରବୀନ୍ଦ୍ର କୁମାର ଦଳେଇ, ଲିଟିରାରୀ ଏଣ୍ଡ୍‌ ସୋସିଆଲ୍‌ କ୍ଲବ ବଲାଙ୍ଗିରର ସଂପାଦକ ଅସିତ କୁମାର ମିଶ୍ର, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଜୟଦେବ ପାଣିଗ୍ରାହୀ, ଜିଲ୍ଲା ସଂସ୍କୃତି ଅଧିକାରୀ ରଶ୍ମିରଂଜନ ମିଶ୍ର, ଇନ୍‌ଟେକ୍‌ ବଲାଙ୍ଗିର ଚାପ୍ଟରର ସଦସ୍ୟ ଧର୍ମେନ୍ଦ୍ର ନନ୍ଦ, ସଂଜୀବ କୁମାର ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ଦ୍ୱିପାକ୍ଷିକ ବୁଝାମଣା ପତ୍ର ସ୍ୱାକ୍ଷରିତ କାର୍ଯ୍ୟକ୍ରମରେ ବଲାଙ୍ଗିର ଜିଲ୍ଲାର ଐତିହ୍ୟର ସୁରକ୍ଷା, ପ୍ରଚାର, ପ୍ରସାର ଏବଂ ଜର୍ଜ ଲିଟରାରୀ ଏଣ୍ଡ୍‌ ସୋସିଆଲ୍‌ କ୍ଲବ ବଲାଙ୍ଗିରର ପୁନରୁଦ୍ଧାର ଓ ଆଭ୍ୟନ୍ତରୀଣ ଉନ୍ନତିକରଣ କାର୍ଯ୍ୟ ସଂପର୍କିତ ବିଭିନ୍ନ ଦିଗ ଉପରେ ଆଲୋଚନା ହୋଇଥିଲା । ପରେ ଇନ୍‌ଟେକ୍‌ର ରାଜ୍ୟ ଆବାହକ ଶ୍ରୀ ତ୍ରିପାଠୀ, ଇନଟେକ୍‌ କନ୍‌ଭେନ୍‌ସନ୍‌ ସେଂଟର, ଓଡ଼ିଶା ଭୁବନେଶ୍ୱରର ନିର୍ଦ୍ଦେଶିକା ଶ୍ରୀମତୀ ମିତ୍ର ପ୍ରମୁଖ ବଲାଙ୍ଗିର ଜର୍ଜ ଲିଟିରାରୀ ଏଣ୍ଡ୍‌ ସୋସିଆଲ୍‌ କ୍ଲବ୍‌ ପରିଦର୍ଶନ କରିଥିଲେ ।

Leave A Reply

Your email address will not be published.