ବିଜେଡିର ୨ ଅଭିଯୁକ୍ତ ଗିରଫ : କୋର୍ଟ ଚାଲାଣ ପରେ ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତଙ୍କ ଅନଶନ ପ୍ରତ୍ୟାହୃତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବିଜେପିର ବରିଷ୍ଠ କାର୍ଯ୍ୟକର୍ତ୍ତା ରାଜେନ୍ଦ୍ର ସେଠଙ୍କୁ ମାଡ ମାରିବା ଓ ପକେଟରୁ ଟଙ୍କା ଲୁଟି ନେଇଥିବା ଘଟଣାରେ ସଂପୃକ୍ତ ୫ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ ପରେ ପଦ୍ମପୁର ଥାନା ସାମ୍ନାରୁ ଆଜି ଆମରଣ ଅନଶନରେ ବସିଥିବା ପଦ୍ମପୁରର ପୂର୍ବତନ ବିଧାୟକ ତଥା ବିଜେପି ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ ଆମରଣ ଅନଶନ ପ୍ରତ୍ୟାହୃତ କରି ଦେଇଛନ୍ତି । ଗତ ତା ୧୯/୩ ରିଖ ଅପରାହ୍ନ ୫ ଘଣ୍ଟା ସମୟରେ ପଦ୍ମପୁର ଏନ୍‌ଏସି ପୌର ପରିଷଦ ନିର୍ବାଚନ ପ୍ରଚାରରେ ଥିବା ବିଜେପିର ବରିଷ୍ଠ କାର୍ଯ୍ୟକର୍ତ୍ତା ରାଜେନ୍ଦ୍ର ସେଠଙ୍କୁ ପଦ୍ମପୁର ଭେଉଁରିଆ ଛକରେ ବିଜେଡିର କିଛି ଗୁଣ୍ଡା ଶ୍ରେଣୀର ଯୁବକ ମାଡ ମାରିବା ସହ ପକେଟରୁ ଟଙ୍କା ଛଡାଇ ନେଇଥିଲେ । ଶ୍ରୀ ସେଠ ପଦ୍ମପୁର ଥାନାରେ ପଦ୍ମପୁର ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ପୁତୁରା କୁନାଲ ସିଂ ବରିହାଙ୍କ ସମେତ ଅନ୍ୟ ୫ ଜଣଙ୍କ ନାମରେ ଥାନାରେ ରିପୋର୍ଟ ଦେଇଥିଲେ । ପଦ୍ମପୁର ପୋଲିସ ଏଫ୍‌ଆଇଆର୍‌ ରେଜିଷ୍ଟ୍ରି କରି କୁନାଲ ସିଂ ବରିହା, ରିତେଶ ସାହୁ, ରାଜୁ ଦାନି, ଉମେଶ ନାୟକ, ଲକ୍ଷ୍ମଣ ତାଣ୍ଡିଙ୍କ ନାମରେ ଦଫା ନଂ ୧୪୭, ୩୪୧, ୨୯୪, ୩୭୯, ୧୭୨ (ଏଫ୍‌) ୫୦୬, ୧୪୯, ୩ (ଏସ୍‌ସି/ଏସ୍‌ଟି)ରେ କେସ ରେଜିଷ୍ଟ୍ର କରିଥିଲେ ସୁଦ୍ଧା ବିଜେଡି ଚାପରେ ଅଭିଯୁକ୍ତ ମାନଙ୍କ ବିରୋଧରେ କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ କଲେ ନାହିଁ । ପୋଲିସର ନିଷ୍କ୍ରିୟତା ପ୍ରତିବାଦରେ ପଦ୍ମପୁରର ପୂର୍ବତନ ବିଧାୟକ ତଥା ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ପ୍ରଦୀପ ପୁରୋହିତ ପଦ୍ମପୁର ଥାନା ସମ୍ମୁଖରେ ଆମରଣ ଅନଶନ ଆରମ୍ଭ କରିଥିଲେ । ଶ୍ରୀ ପୁରୋହିତଙ୍କ ସମେତ ସୁନୀଲ ଅଗ୍ରୱାଲ, ଅଶୋକ ମିଶ୍ର, ଶ୍ରୀକାନ୍ତ ପାଣିଗ୍ରାହୀ, ସରୋଜ ପାଣିଗ୍ରାହୀ, ପ୍ରୀତେଶ ବହିଦାର, ଶ୍ରୀମତୀ ରଞ୍ଜୁ ସେଠ, ହରି ସିଂ, ଗୋବର୍ଦ୍ଧନ ଅଗ୍ରୱାଲ, ସରୋଜ ସାମଲ, ଡା ଲମ୍ବୋଦର ପଣ୍ତା, ଡା ନାରାୟଣ ପୁରୋହିତ, ସୌକିଲାଲ ସାହା, ଆଦିତ୍ୟ ରଥ, ପ୍ରତାପ ନାଥ, ଜ୍ୟୋସ୍ନ କର, କେତନ ମେହେର, ନବ କଣ୍ଟା, ଦିନେଶ ବାରିକ, ସୁବାଷ ପାତ୍ର, ଦୀପକ ବାରିକ, ଏମ୍‌ଡି ଉଆରିସ ସାମିଲ ଥିଲେ । ବରଗଡ ସାଂସଦ ସୁରେଶ ପୂଜାରୀ ମଧ୍ୟ ଅନଶନ ସ୍ଥଳରେ ସାମିଲ ହୋଇଥିଲେ । ପୋଲିସ ବହୁ ସ୍ଥାନରେ ଚଢାଉ କରିବା ପରେ ୨ ଜଣ ଅଭିଯୁକ୍ତ ଲକ୍ଷ୍ମଣ ତାଣ୍ଡି ଓ ରାକେଶ ସାହୁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବା ପରେ ପଦ୍ମପୁର ଏସ୍‌ଡିପିଓ ବିଭୁତି ଭୂଷଣ ଭୋଇ, ପଦ୍ମପୁର ଥାନା ଆଇଆଇସି ରାଜେନ୍ଦ୍ର ସିଆଲ ଧାରଣା ସ୍ଥଳକୁ ପହଞ୍ଚି ଶ୍ରୀ ପୁରୋହିତଙ୍କୁ ଅନଶନ ପ୍ରତ୍ୟାହାର କରିବା ପାଇଁ ନିବେଦନ କରିଥିଲେ ଏବଂ ବାକି ୩ ଜଣ ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରାଯିବ ବୋଲି ପ୍ରତିଶୃତି ଦେବା ପରେ ଏସ୍‌ଡିପିଓ ଶ୍ରୀ ଭୋଇ ଫଳରସ ପିଆଇ ଶ୍ରୀ ପୁରୋହିତଙ୍କ ଅନଶନ ସମାପ୍ତ କରିଥିଲେ ।

Leave A Reply

Your email address will not be published.