
ପଦ୍ମପୁର, (ନିରୋଜ କୁମାର ପାଣୀ) : ‘କୋଶଳ ପ୍ରବାହ’ରେ ‘ଅସହାୟ ଶିଶୁଙ୍କୁ ସହାୟତା ପ୍ରଦାନ କରିବା ନିମନ୍ତେ ନିବେଦନ କଲେ ଦୀପା’ ଶୀର୍ଷକରେ ଖବର ପ୍ରକାଶିତ ହେବା ପରେ ବିଭିନ୍ନ ମହଲରୁ ସହାୟତାର ସୁଅ ଛୁଟିବାରେ ଲାଗିଛି । ସାମାଜିକ କର୍ମୀ ଦୀପା ବାରିକ ଅସହାୟ ପରିବାରକୁ ସହାୟତା କରିବା ନିମନ୍ତେ ଟ୍ୱିଟର ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିବା ସଙ୍ଗେ ସଙ୍ଗେ ନିକିତା ଗୁଣ୍ଡିଙ୍କ ଚିକିତ୍ସା ନିମନ୍ତେ ପ୍ରତ୍ୟକ୍ଷ ଭାବରେ ରାଷ୍ଟ୍ରୀୟ ବାଳ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ, ପାଇକମାଲ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ଦଳ ୨କୁ ପ୍ରତ୍ୟକ୍ଷ ଭାବରେ ଯୋଗାଯୋଗ କରିଥିଲେ । ଫଳରେ ତାଙ୍କ ଘରକୁ ସେହି ଦଳ ଯାଇ ଉଚ୍ଚତର ଚିକିତ୍ସା ନିମନ୍ତେ ବ୍ୟବସ୍ଥା କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି । ଏଠାରେ ସୂଚନାଯୋଗ୍ୟ ଯେ, ନିକିତା ଗୁଣ୍ଡି ଜଣେ ଦିବ୍ୟାଙ୍ଗ ଶିଶୁ । ୨୦୧୯ ମସିହାରେ ଜନ୍ମ ହେବାପରେ ତାଙ୍କ ମାଆ ତଥା ଆଈ ଶିଶୁଟିର ଚିକିତ୍ସା ପାଇଁ ଅନେକ ଜାଗାକୁ ନେଇଥିଲେ । ଗତବର୍ଷ ଦୀପା ବାରିକ ଏହି ବିଷୟରେ ଜାଣିବା ପରେ ତାଙ୍କ ପ୍ରୟାସ କ୍ରମେ ଜିଲ୍ଲା ରେଡ଼କ୍ରସ ପାଣ୍ଠିରୁ ୧୦ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା ଏବଂ ନିୟମିତ ବ୍ୟବଧାନରେ ସରକାରୀ ସ୍ତରରେ ନିକିତା ଗୁଣ୍ଡିଙ୍କ ଚିକିତ୍ସା ପାଇଁ ବ୍ୟବସ୍ଥା କରାଯିବ ବୋଲି ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଲିଖିତ ରିପୋର୍ଟ ଦେଇଥିଲେ । ତାହା ହେଉନଥିବାରୁ ଦୀପାଙ୍କୁ ନିକିତାଙ୍କ ଆଇ ଦ୍ରୌପଦୀ ଅନୁରୋଧ କରିଥିଲେ, ଫଳରେ ତାଙ୍କ ଘରକୁ ଯାଇ ଦୀପା ସବୁ ବୁଝିଥିଲେ ।
ଏହି ଖବର ପ୍ରକାଶିତ ହେବା ପରେ ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଟାଲ ଗ୍ରାମର ମହେନ୍ଦ୍ର ବଢ଼େଇ ଯିଏକି ବର୍ତ୍ତମାନ ପୁରୀ ଜିଲ୍ଲା ଡେଲାଙ୍ଗ ଠାରେ ତହସିଲଦାର ଅଛନ୍ତି ସେ ତାଙ୍କ ପ୍ରତିନିଧି ପଠେଇ ୧୦ ହଜାର ଟଙ୍କା ଆର୍ଥିକ ସହାୟତା କରିଥିବା ସୂଚନା ମିଳିଛି । ଶ୍ରୀ ବଢ଼େଇଙ୍କ ଏହି ମାନବିକତାପୁର୍ଣ୍ଣ ପଦକ୍ଷେପକୁ ସ୍ଥାନୀୟ ଲୋକେ ଉଚ୍ଚ ପ୍ରଶଂସା କରିଛନ୍ତି ।
ମୋଟାମୋଟି ଭାବରେ “କୋଶଳ ପ୍ରବାହ”ରେ ପ୍ରକାଶିତ ଖବର ଯୋଗୁଁ ଆଜି ଜଣେ ଅସହାୟ ଶିଶୁ ବହୁବିଧ ସହାୟତା ପାଇଛନ୍ତି, ଯାହାକି ମାଟି ପାଇଁ ଗର୍ବର ବିଷୟ ।