ପଲିଥିନ ତଳେ ଅସହାୟ ବୃଦ୍ଧାଙ୍କ ବିତୁଛି ଜୀବନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପ୍ରକୃତ ହିତାଧିକାରୀଙ୍କ ପାଇଁ ସରକାରୀ ଯୋଜନା ବାଟବଣା ହେଉଥିବା ଅନେକ ନଜିର ରହିଛି । ଏଣୁ ତ କୁହାଯାଏ, ଯିଏ ଧନୀ ତା ପାଖକୁ କୁବେର, ଇନ୍ଦ୍ର ପରି ପ୍ରଶାସନିକ ଅଧିକାରୀ, ରାଜନେତା ସମସ୍ତେ ଆସନ୍ତି । ଯାହାର କିଛି ନାହିଁ, ତା ପାଖକୁ ଭିକାରୀ ମଧ୍ୟ ଆସେନାହିଁ । ଏପରି ଏକ ଘଟଣା ଦେଖାଦେଇଛି ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ ଅନ୍ତର୍ଗତ ଗୁଦେରପାଲି ଗ୍ରାମ ପଞ୍ଚାୟତର ବେହେରାବାହାଲି ଗ୍ରାମରେ । ଆହାସାହା କେହି ନ ଥିବା, ଜମିବାଡି କିଛି ନ ଥିବା ବୃଦ୍ଧ ଦମ୍ପତି ଠିବୁ ପ୍ରଧାନ (୭୪) ଏବଂ ତାଙ୍କ ପତ୍ନୀ ଵାଲମତି ପ୍ରଧାନ (୭୨) ଦୀର୍ଘ ବର୍ଷ ହେଲା ପଲିଥିନ ତଳେ ଜୀବନ ବିତାଉଛନ୍ତି । ତାଙ୍କର ପୁଅ ଝିଅ କେହି ନାହାନ୍ତି । ପର ଘରେ କାମ କରି ପେଟପାଟଣା ଚଳାଇବାରେ କିଛି ଉଣା ହେଉନଥିଲା । ତେବେ ପ୍ରାୟ ୧୦/୧୧ବର୍ଷ ହେବ ବୃଦ୍ଧ ଠିବୁ ପ୍ରଧାନ ପକ୍ଷାଘାତ ରୋଗରେ ଆକ୍ରାନ୍ତ ହୋଇ ଶଯ୍ୟାଶାୟୀ ହୋଇପଡିଲେ । ଏହା ପରେ ତାଙ୍କ ପତ୍ନୀ ପରଘର କାମ କରିବାକୁ ସମୟ ପାଇଲେ ନାହିଁ । ଦିନରାତି ତାଙ୍କ ସ୍ୱାମୀ ଶଯ୍ୟାଶାୟୀ ଠିବୁଙ୍କ ସେବାରେ ଲାଗିଲେ । ତା’ପରେ ଆରମ୍ଭ ହେଲା ପେଟ ପାଟଣା ଯନ୍ତ୍ରଣା । ଡାକ୍ତରଖାନା କଥା ସେମାନେ ଚିନ୍ତା ବି କରିନାହାନ୍ତି । ଖରା ହେଉ କି ବର୍ଷା ହେଉ, ବୃଦ୍ଧ ଦମ୍ପତି ପଲିଥିନ ଢାଙ୍କି ହୋଇ ବିତାଉଛନ୍ତି ଜୀବନ । ସରକାରୀ ସହାୟତା କହିଲେ ୩୫ କିଲୋ ଚାଉଳ ଓ ଉଭୟଙ୍କ ଭତ୍ତା ୧୦୦୦ ଟଙ୍କା । ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଘର ଖଣ୍ଡିଏ ପାଇଁ ଉଭୟ ଦମ୍ପତି ସ୍ଥାନୀୟ ୱର୍ଡ ମେମ୍ବର, ସରପଞ୍ଚ ଏପରି କି ଗାଇସିଲେଟ ବିଡ଼ିଓଙ୍କ ପାଖରେ ମଧ୍ୟ କାକୁତି ମିନତି ହୋଇଥିଲେ ମଧ୍ୟ ଘର ଖଣ୍ଡିଏ ସାତ ସପନ ହୋଇଛି । ଆଖି ଆଗରେ ସବୁ ଦୁର୍ନୀତି ଦେଖୁଥିବାରୁ ତଥା ବୟସାଧିକ୍ୟ କାରଣରୁ ଏବେ ସେମାନେ କାହାକୁ କିଛି କହୁନାହାନ୍ତ । ପଲିଥିନ ତଳେ ଦିନ ରାତି ସରିଯାଉଛି । ତାଙ୍କୁ ଘର ଖଣ୍ଡିଏ ଯୋଗାଇ ଦେବାକୁ ଅଞ୍ଚଳବାସୀ ସରକାରଙ୍କୁ ଅନୁରୋଧ କରୁଛନ୍ତି ।

Leave A Reply

Your email address will not be published.