jayashree

ମାରୱାଡ଼ି ଯୁବା ମଞ୍ଚ ବିକାଶ ଶାଖା ପକ୍ଷରୁ ତିନିଦିନିଆ ନିଃଶୁଳ୍କ ସହାୟକ ଉପକରଣ ବଣ୍ଟନ ଶିବିର ଉଦଯାପିତ

  • ୧୩୨ ଦିବ୍ୟାଙ୍ଗଙ୍କୁ ମିଳିଲା ନୂତନ ଜୀବନର ଆଶା

କଣ୍ଟାବାଞ୍ଜି, (କେପିଏନ୍‌ଏସ୍‌) : ସେବା ଓ ସମର୍ପଣ ମନୋଭାବ ନେଇ ଜନକଲ୍ୟାଣମୂଳକ କାର୍ଯ୍ୟରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି କଣ୍ଟାବାଞ୍ଜି ମାରୱାଡ଼ି ଯୁବା ମଞ୍ଚର ବିକାଶ ଶାଖା । ଏହି ମହତ୍ ଉଦ୍ଦେଶ୍ୟରେ ସ୍ୱର୍ଗତ ଜୟପ୍ରକାଶ ଅଗ୍ରୱାଲଙ୍କ ସ୍ମୃତିରେ ହରିଭବନଠାରେ ଆୟୋଜିତ ତିନିଦିନିଆ ନିଃଶୁଳ୍କ କୃତ୍ରିମ ଅଙ୍ଗ ଓ ସହାୟକ ଉପକରଣ ବଣ୍ଟନ ଶିବିର ଉଦ୍‌ଯାପିତ ହୋଇଯାଇଛି । ଉଦ୍‌ଯାପନୀ ସମାରୋହରେ ଟିଟିଲାଗଡ଼ ଉପଜିଲ୍ଲାପାଳ ପଦ୍ମନାଭ ସାମନ୍ତରାୟ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମାରୱାଡ଼ି ଯୁବା ମଞ୍ଚର ଏହି ମାନବୀୟ ପ୍ରୟାସକୁ ଉଚ୍ଚ ପ୍ରଶଂସା କରିଥିଲେ । ଦିବ୍ୟାଙ୍ଗଙ୍କୁ ସ୍ୱାବଲମ୍ବୀ କରିବା ଦିଗରେ ଏଭଳି ଶିବିର ଏକ ଉଦାହରଣ ସୃଷ୍ଟି କରିଛି ବୋଲି ସେ ମତପ୍ରକାଶ କରିଥିଲେ । ବେସରକାରୀ ସଂସ୍ଥା ପକ୍ଷରୁ ଏତେ ବଡ଼ ଆକାରରେ ସେବା କାର୍ଯ୍ୟ ଆୟୋଜନ କରିବା ନିଶ୍ଚିତ ଭାବେ ପ୍ରଶଂସନୀୟ ବୋଲି କହିବା ସହ ନୂତନ କୃତ୍ରିମ ଅଙ୍ଗ ପାଇ ଦିବ୍ୟାଙ୍ଗଙ୍କ ମୁହଁରେ ଫୁଟିଥିବା ହସ ତାଙ୍କୁ ଭାବବିହ୍ୱଳ କରିଥିବା କହିଥିଲେ । ସମାରୋହରେ କଣ୍ଟାବାଞ୍ଜି ଏସଡିପିଓ ଲକ୍ଷ୍ମୀନାରାୟଣ ମାରାଣ୍ଡି, କଣ୍ଟାବାଞ୍ଜି ଜୈନ ପ୍ରେସ କ୍ଲବର ସଭାପତି ସୁରଦାସ ବାଗ, ସ୍ୱର୍ଗତ ଜୟପ୍ରକାଶ ଅଗ୍ରୱାଲଙ୍କ ଧର୍ମପତ୍ନୀ ତଥା ସମାଜସେବୀ ମୁନିଦେବୀ ଅଗ୍ରୱାଲ ଛାପଡ଼ିଆ, ବିକାଶ ଶାଖାର ଅଧ୍ୟକ୍ଷ ମହେଶ ଅଗ୍ରୱାଲ, ସମ୍ପାଦକ ଅଭିଷେକ ଅଗ୍ରୱାଲ ଏବଂ ଜାଗୃତି ଶାଖାର ଅଧ୍ୟକ୍ଷ ଅଙ୍କିତା ଜୈନ ପ୍ରମୁଖ ସମ୍ମାନିତ ଅତିଥି ଭାବେ ମଞ୍ଚାସୀନ ଥିଲେ । ମଞ୍ଚ ପରିଚାଳନା କରିଥିଲେ ମଞ୍ଚର ପୂର୍ବତନ ସଭାପତି ମନୀଷ ଜୈନ । ମାରୱାଡ଼ି ଯୁବା ମଞ୍ଚର ବିକାଶ ଶାଖା ଓ ରାଞ୍ଚିସ୍ଥିତ ଭଗବାନ ମହାବୀର ବିକଳାଙ୍ଗ ସହାୟତା ସମିତିର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ଶିବିରରେ ମୋଟ ୧୩୨ ଜଣ ଦିବ୍ୟାଙ୍ଗଙ୍କୁ ମାଗଣାରେ କୃତ୍ରିମ ଗୋଡ଼, ମେକାନିକାଲ ହାତ, ଶ୍ରବଣ ଯନ୍ତ୍ର ସମେତ ବିଭିନ୍ନ ଆବଶ୍ୟକୀୟ ସହାୟକ ଉପକରଣ ପ୍ରଦାନ କରାଯାଇଥିଲା । ଶିବିରକୁ ଆସିଥିବା ହିତାଧିକାରୀଙ୍କ ରହିବା ଓ ଖାଦ୍ୟପେୟର ସମସ୍ତ ବ୍ୟବସ୍ଥା ମଧ୍ୟ ଆୟୋଜକଙ୍କ ପକ୍ଷରୁ କରାଯାଇଥିଲା । ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସେବା ଓ ଅବଦାନ ପାଇଁ ସ୍ୱେଚ୍ଛାସେବୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଶିବିରର ସଫଳ ଆୟୋଜନରେ ବିକାଶ ଶାଖାର ଆଶିଷ ଖେତାନ, କୋଷାଧ୍ୟକ୍ଷ ହେମନ୍ତ ଅଗ୍ରୱାଲ, କାର୍ଯ୍ୟକ୍ରମ ସଂଯୋଜକ ଆନନ୍ଦ ମୋଟେ, ନବନୀତ ଅଗ୍ରୱାଲ, ନୀରଜ ଅଗ୍ରୱାଲ, କୈଳାସ ଜୈନ, ଶଶାଙ୍କ ଜୈନ, ନାରାୟଣ ଜିନ୍ଦଲ, ସଚିନ ଜିନ୍ଦଲ, ସୁମିତ ଜୈନ, ବଜରଙ୍ଗ ଜିନ୍ଦଲଙ୍କ ସମେତ ଶାଖାର ବହୁ ସଦସ୍ୟ ସକ୍ରିୟ ସହଯୋଗ କରିଥିଲେ । ଦିବ୍ୟାଙ୍ଗଙ୍କୁ ସହାୟତା ଯୋଗାଇଦେବା ସହ ସେମାନଙ୍କ ମନରେ ଆତ୍ମବିଶ୍ୱାସ ଓ ସ୍ୱାବଲମ୍ବନର ନୂତନ ଆଶା ସଞ୍ଚାର କରିବାରେ ଏହି ଶିବିର ଏକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ ହୋଇପାରିଛି ।

Leave A Reply

Your email address will not be published.