
ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୋନପୁର ସହର ନିବାସୀ ତଥା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଭଜବଲପୁର ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ଗଣେଶ୍ୱର ପାଣିଗ୍ରାହୀଙ୍କ ପରଲୋକ ଶନିବାର ସକାଳେ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୧ ବର୍ଷ ବୟସ ହୋଇଥିଲା । ଶେଷ ସମୟରେ ତାଙ୍କ ନିକଟରେ ପୁତ୍ର ମନୋଜ କୁମାର ପାଣିଗ୍ରାହୀ, ମାନସ ପାଣିଗ୍ରାହୀ ଓ ପରିବାର ବର୍ଗ ଉପସ୍ଥିତ ଥିଲେ । ସୂଚନା ଅନୁସାରେ, ସ୍ୱର୍ଗତ ପାଣିଗ୍ରାହୀ ଦୀର୍ଘ ବର୍ଷ ଧରି ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ରକ୍ସା ଏବଂ ପାର୍ବତୀପୁର ଉଚ୍ଚ ବିଦ୍ୟାଳୟରେ ଶିକ୍ଷକତା କରିଥିଲେ । ସେ ପାର୍ବତୀପୁର ସ୍କୁଲରୁ ଅବସର ଗ୍ରହଣ କରିଥିଲେ । ଜଣେ ଧାର୍ମିକ, କର୍ମନିଷ୍ଠ, ପରୋପକାରୀ ଏବଂ ନିର୍ଭୀକ ବ୍ୟକ୍ତିତ୍ୱ ଭାବରେ ସେ ଅଞ୍ଚଳରେ ବେଶ୍ ଜଣାଶୁଣାଥିଲେ । ଅନ୍ୟର ଦୁଃଖ ଦେଖିଲେ ସେ ସହିପାରୁ ନଥିଲେ, ସବୁବେଳେ ସାହାଯ୍ୟର ହାତ ବଢ଼ାଉଥିଲେ । ତାଙ୍କ ଦ୍ୱାରା ଅନେକ ଛାତ୍ରଛାତ୍ରୀ ଉପକୃତ ହୋଇଛନ୍ତି । ତାଙ୍କ ବିୟୋଗ ଖବର ପ୍ରଚାରିତ ହେବା ପରେ ମୂଳ ଗ୍ରାମ ଭଜବଲପୁର ସମେତ ସମଗ୍ର ବୀରମହାରାଜପୁର ଓ ସୁବର୍ଣ୍ଣପୁର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ପୁରାତନ ଛାତ୍ର, ଶିକ୍ଷକ ଓ ବୁଦ୍ଧିଜୀବୀ ତାଙ୍କ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ପରେ ସୋନପୁର ସ୍ଥିତ ରାମେଶ୍ୱର ମହାଶ୍ମଶାନ ଘାଟରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଛି ।