
ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବ୍ଲକସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’-୨୦୨୬ ସୋମବାର ଖପ୍ରାଖୋଲ ନୋଡାଲ ଉଚ୍ଚ ବିଦ୍ୟାଳୟଠାରେ ଉତ୍ସାହ ଓ ଉଦ୍ଦୀପନାର ସହ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନଶିକ୍ଷକ ଇସ୍ପାଲ ସୁନାଙ୍କ ନେତୃତ୍ୱରେ ଆୟୋଜିତ ଉଦ୍ଘାଟନୀ ଉତ୍ସବରେ ବିଇଓ ଅଭିନବ ମିଶ୍ର ମୁଖ୍ୟ ଅତିଥି ଏବଂ ବିଧାୟକ ପ୍ରତିନିଧି ପଦ୍ମନ ସିଂ ବରିହା, ଏବିଇଓ ମିନିକେତନ ବରିହା ଓ ସ୍କୁଲ କମିଟି ସଭାପତି ନରେନ୍ଦ୍ର ଭୋଇ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ଚଳିତ ବର୍ଷର ମୁଖ୍ୟ ବିଷୟବସ୍ତୁ ‘ସମୃଦ୍ଧ ଭାଷା ଓ ସମୃଦ୍ଧ ଓଡ଼ିଶା’ ଉପରେ ବିଇଓ ଶ୍ରୀ ମିଶ୍ର ଛାତ୍ରଛାତ୍ରୀଙ୍କୁ ମାର୍ଗଦର୍ଶନ କରିଥିଲେ । ବ୍ଲକର ୧୪ଟି କ୍ଲଷ୍ଟରରୁ ୩୬୯ ଜଣ ଛାତ୍ରଛାତ୍ରୀଙ୍କ ସହ ବହୁ ସଂଖ୍ୟାରେ ଶିକ୍ଷକ ଓ ଶିକ୍ଷୟିତ୍ରୀ ଯୋଗଦେଇଥିଲେ । ଏହି ଅବସରରେ ରଚନା, ଚିତ୍ରାଙ୍କନ, ପ୍ରକଳ୍ପ, କୁଇଜ୍, ନୃତ୍ୟ ଓ ସଙ୍ଗୀତ ସମେତ ୩୨ଟି ବିଭିନ୍ନ ପ୍ରତିଯୋଗିତାରେ ଛାତ୍ରଛାତ୍ରୀ ଭାଗନେଇ ନିଜର ପ୍ରତିଭା ଓ ସୃଜନଶୀଳତା ପ୍ରଦର୍ଶନ କରିଥିଲେ ।