jayashree

ଅଧିକ ଲାଭର ଲୋଭ ଦେଖାଇ ୧୮.୪୦ ଲକ୍ଷ ଟଙ୍କା ଠକେଇ : ମୁମ୍ବାଇରୁ ଆସି ରାଉରକେଲାରେ ଫେରାର ଅଭିଯୁକ୍ତକୁ ଧରିଲା ପୋଲିସ

  • ଛେଣ୍ଡ ପୋଲିସର ସହଯୋଗରେ ଅଭିଯୁକ୍ତକୁ କାବୁ କରିଛି ମୁମ୍ବାଇ ପୋଲିସ

ରାଉରକେଲା, (ସସ୍ମିତା ପ୍ରଧାନ) : ଅଧିକ ଲାଭର ପ୍ରତିଶ୍ରୁତି ଦେଇ ଲକ୍ଷାଧିକ ଟଙ୍କା ଠକେଇ । ୨୦ ମାସରେ ଜମା ଟଙ୍କା ଦୁଇଗୁଣା ହେବ ବୋଲି ଦେଖାଇଥିଲେ ସ୍ୱପ୍ନ । ହେଲେ ଟଙ୍କା ନେବା ପରେ ନା ମିଳିଲା ଲାଭ, ନା ଫେରିଲା ମୂଳଧନ । ଶେଷରେ ଏହି ଠକେଇ ମାମଲାର ଫେରାର ଅଭିଯୁକ୍ତକୁ ରାଉରକେଲାରୁ ଗିରଫ କରିଛି ମୁମ୍ବାଇ ପୋଲିସ । ସୂଚନା ଅନୁସାରେ, ମୁମ୍ବାଇର କାନ୍ଦିଭଲି ଅଞ୍ଚଳର ମହମ୍ମଦ ଫାରୁକ ଚାନେ ମଣିହାରଙ୍କୁ ବିହାରର ସନ୍ତୋଷ କୁମାର ନାମକ ଜଣେ ବ୍ୟକ୍ତି ମେସର୍ସ ଗର୍ଗେଟସ୍ ମ୍ୟୁଚୁଆଲ ବେନିଫିଟ୍ସ ନିଧି ଲିମିଟେଡ୍‌ରେ ଟଙ୍କା ନିବେଶ କରିବାକୁ ପ୍ରଲୋଭିତ କରିଥିଲେ । ୨୦୧୯ ନଭେମ୍ବରରୁ ୨୦୨୦ ସେପ୍ଟେମ୍ବର ମଧ୍ୟରେ ଅଭିଯୋଗକାରୀ ପର୍ଯ୍ୟାୟକ୍ରମେ ୧୮ ଲକ୍ଷ ୪୦ ହଜାର ଟଙ୍କା ଜମା କରିଥିଲେ । ହେଲେ ନିର୍ଦ୍ଧାରିତ ସମୟ ପରେ ମଧ୍ୟ ଟଙ୍କା ଦୁଇଗୁଣା ହେବା ତ ଦୂରର କଥା, ନିଜର ଜମା ଟଙ୍କା ମଧ୍ୟ ଫେରସ୍ତ ପାଇନଥିଲେ । ଏନେଇ ୨୦୨୫ ଏପ୍ରିଲ ୨୧ ତାରିଖରେ କାନ୍ଦିଭଲି ଥାନାରେ ଠକେଇ ମାମଲା ରୁଜୁ ହୋଇଥିଲା । ତଦନ୍ତ ବେଳେ ଅଭିଯୁକ୍ତ ବିଭିନ୍ନ ବ୍ୟାଙ୍କ ଖାତା ଜରିଆରେ ଟଙ୍କା ନେଇ ଅନ୍ୟ ଆକାଉଣ୍ଟକୁ ସ୍ଥାନାନ୍ତର କରିଥିବା ଜଣାପଡ଼ିଥିଲା । ଅଭିଯୁକ୍ତର ଖୋଜଖବର ପାଇ ମୁମ୍ବାଇ ପୋଲିସର ପିଏସ୍‌ଆଇ ରବୀନ୍ଦ୍ର ଛାବନଙ୍କ ନେତୃତ୍ୱରେ ଏକ ପୋଲିସ ଟିମ୍ ରାଉରକେଲାରେ ପହଞ୍ଚିଥିଲା । ଛେଣ୍ଡ ଥାନା ପୋଲିସର ସହଯୋଗରେ ଫେରାର ଅଭିଯୁକ୍ତ ସନ୍ତୋଷ କୁମାରକୁ ଧରିବାରେ ସଫଳ ହୋଇଛି ମୁମ୍ବାଇ ପୋଲିସ । ଅନ୍ୟପଟେ, ଅଧିକ ଲାଭର ପ୍ରଲୋଭନ ଦେଖାଉଥିବା ନିଧି କମ୍ପାନୀ ଓ ଚିଟ୍‌ଫଣ୍ଡ ଯୋଜନାରେ ଟଙ୍କା ନିବେଶ ନକରିବାକୁ ରାଉରକେଲା ପୋଲିସ ପକ୍ଷରୁ ଜନସାଧାରଣଙ୍କୁ ସତର୍କ କରାଯାଇଛି ।

Leave A Reply

Your email address will not be published.