ସଇଁତଲା, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ଅନ୍ତର୍ଗତ ବିବିନା ଗ୍ରାମରେ ଥିବା ପୋଲିସ କଲୋନୀର ବାଡ଼ ନିର୍ମାଣ କାର୍ଯ୍ୟକୁ ନେଇ ବିବାଦ ସୃଷ୍ଟି ହୋଇଛି । ଉକ୍ତ ବାଡ଼ ନିର୍ମାଣ କାମ ନିମ୍ନମାନର ଭାବରେ କରାଯାଉଥିବା ଅଭିଯୋଗ ଉଠିବା ପରେ ସ୍ଥାନୀୟ ଠିକାଦାର ସଂଘ ଘଟଣାସ୍ଥଳକୁ ପହଞ୍ଚି କାମକୁ ବନ୍ଦ କରାଇଥିବା ଜଣାପଡ଼ିଛି । ସୂଚନା ଅନୁସାରେ, ବିବିନା ପୋଲିସ କଲୋନୀ ପରିସରକୁ ସୁରକ୍ଷା ଦୃଷ୍ଟିରୁ ବାଡ଼ ନିର୍ମାଣ ପାଇଁ ପ୍ରାୟ ୩୦ ଲକ୍ଷ ଟଙ୍କାର ଠିକା କାର୍ଯ୍ୟ ମଞ୍ଜୁରି ମିଳିଥିଲା । ଏହି କାର୍ଯ୍ୟକୁ କଳାହାଣ୍ଡି ଜିଲ୍ଲାର ହେମନ୍ତ ସାହୁ ନାମକ ଠିକାଦାର ଗ୍ରହଣ କରିଥିବା ସୂଚନା ମିଳିଛି । କୁହାଯାଉଛି ଯେ, ଉକ୍ତ ଠିକାଦାର ୨୬ ପ୍ରତିଶତ ଲେସ୍ରେ ଟେଣ୍ଡର ପକାଇ କାମଟି ନେଇଥିଲେ । କିନ୍ତୁ କାର୍ଯ୍ୟ ଆରମ୍ଭ ହେବା ପରେ ନିର୍ମାଣ କାମର ଗୁଣଗତମାନକୁ ନେଇ ସନ୍ଦେହ ଦେଖାଦେଇଛି । ସ୍ଥାନୀୟ ଲୋକମାନେ ଏବଂ ଠିକାଦାର ସଂଘର କିଛି ସଦସ୍ୟଙ୍କ ଅଭିଯୋଗ ଅନୁସାରେ, ବାଡ଼ ନିର୍ମାଣ କାମରେ ନିମ୍ନମାନର ସାମଗ୍ରୀ ବ୍ୟବହାର କରାଯାଉଥିବା ସହିତ ନିୟମିତ ପ୍ରକ୍ରିୟା ମଧ୍ୟ ପାଳନ ହେଉନଥିଲା । କେତେକ ସ୍ଥାନରେ ଭିତି ଠିକ୍ଭାବେ ଖୋଦା ହୋଇନଥିବା ସହ ସିମେଣ୍ଟ ଓ ବାଲୁକାର ମିଶ୍ରଣ ମଧ୍ୟ ଠିକ୍ ଅନୁପାତରେ ହୋଇନଥିବା ଦାବି କରାଯାଇଛି । ଏହା ସହିତ ଦ୍ରୁତ ଗତିରେ କାମ ସରାଇବା ପାଇଁ ଗୁଣମାନକୁ ଅବହେଳା କରାଯାଉଥିବା ଅଭିଯୋଗ ମଧ୍ୟ ଆସିଛି । ଏହି ଖବର ଜାଣିବା ପରେ ସ୍ଥାନୀୟ ଠିକାଦାର ସଂଘର ସଦସ୍ୟମାନେ ଘଟଣାସ୍ଥଳକୁ ପହଞ୍ଚି ନିର୍ମାଣ କାମକୁ ତୁରନ୍ତ ବନ୍ଦ କରାଇଥିଲେ । ସରକାରୀ ଅର୍ଥରେ ହେଉଥିବା ଏପରି କାର୍ଯ୍ୟରେ ଯଦି ନିମ୍ନମାନର କାମ ହୁଏ, ତେବେ ସରକାରୀ ଧନର ଅପଚୟ ହେବା ସହିତ ଆଗାମୀ ଦିନରେ ଗଠନର ସ୍ଥାୟୀତ୍ୱ ନେଇ ସମସ୍ୟା ହୋଇପାରେ । ତେଣୁ ସଠିକ ତଦନ୍ତ ହେବା ପର୍ଯ୍ୟନ୍ତ କାମ ବନ୍ଦ ରଖିବାକୁ ସେମାନେ ଦାବି କରିଥିଲେ । ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ବିଭାଗୀୟ ଏସଡିଓ ମାଣିକ କୁମ୍ଭାର ଘଟଣାସ୍ଥଳକୁ ପହଞ୍ଚି ପରିସ୍ଥିତିର ତଦନ୍ତ କରିଥିଲେ । ସେ ନିର୍ମାଣ କାମର ଗୁଣମାନ ଯାଞ୍ଚ କରିବା ସହିତ ସମ୍ପୃକ୍ତ ଠିକାଦାରଙ୍କୁ ନିୟମ ଅନୁଯାୟୀ ଓ ମାନକ ରକ୍ଷାକରି କାମ କରିବା ପାଇଁ ତାଗିଦ ଦେଇଥିବା ଫୋନ ଯୋଗେ କହିଛନ୍ତି ।