- ବଡ଼ପତ୍ରାପାଲିକୁ ପରାସ୍ତ କରି ପାତଳପଡ଼ା ଚମ୍ପିୟାନ
ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ହଳଦୀ ପଞ୍ଚାୟତ ତେନ୍ତୁଳୀଖୁଣ୍ଟି ଗ୍ରାମରେ ଚାଲିଥିବା ପ୍ରଥମ ବର୍ଷ ‘ଜୟ ମା ସୁନ୍ଦର ଯାନୀ’ କ୍ରିକେଟ ପ୍ରତିଯୋଗିତା ବୁଧବାର ଉଦଯାପିତ ହୋଇଯାଇଛି । ଏଥିରେ ବଡପତ୍ରାପାଲିକୁ ପରାସ୍ତ କରି ପାତଳପଡ଼ା ପାୱାର ଇଲେଭେନ ଦଳ ଚମ୍ପିୟାନ ଆଖ୍ୟା ଅର୍ଜନ କରିଛି । ଉଦଯାପନୀ ଉତ୍ସବରେ ବଲାଙ୍ଗିର ଜିଲ୍ଲା ବିଜେପି ସଂଯୋଜକ ରାଜୀବ କୁମାର ମହାନ୍ତି ମୁଖ୍ୟ ଅତିଥି, ମୁରିବାହାଲ ବ୍ଲକ ବିଜେପି ସମ୍ପାଦକ ନାରାୟଣ ସାହୁ, ତେନ୍ତୁଳିଖୁଣ୍ଟି ଗ୍ରାମର ଜଙ୍ଗଲ ସୁରକ୍ଷା କମିଟି ସଭାପତି କୀର୍ତ୍ତନମଣି ଯାନୀ, ଉମାକାନ୍ତ ଛତ୍ରିଆ, ଗୌରାଙ୍ଗ ପଟ୍ଟନାୟକ, ଚିତ୍ରସେନ ଦାସ, ବେଦପ୍ରକାଶ ମହାକୁର, ଜୟରାମ ପୁଟେଲ,ନାରାୟଣ ଛତ୍ରିଆ ଓ ରସିକ ପୁଟେଲ ପ୍ରମୁଖ ସମ୍ମାନିତ ଅତିଥି ରୂପେ ଯୋଗଦେଇ ଖେଳାଳିଙ୍କୁ ଉତ୍ସାହିତ କରିଥିଲେ । ୬ଷ୍ଠ ଦିବସୀୟ ଏହି ପ୍ରତିଯୋଗିତାରେ ମୋଟ ୧୬ଗୋଟି ଦଳ ଅଂଶଗ୍ରହଣ କରିଥିବା ଆୟୋଜକ କମିଟି ସୂଚନା ଦେଇଛନ୍ତି । ଉଦଯାପନୀ ମ୍ୟାଚରେ ପାତଳପଡ଼ା ପାୱାର ଇଲେଭେନ୍ ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୦ ଓଭରରେ ୪ ୱିକେଟ ବିନିମୟରେ ୧୬୪ ରନ୍ କରିଥିଲା।ବଡ଼ପତ୍ରାପାଲି ଦଳ ନିର୍ଦ୍ଧାରିତ ୧୦ ଓଭରରେ ୬ ୱିକେଟ ବିନିମୟରେ ମାତ୍ର ୧୧୩ ରନରେ ଅଲଆଉଟ୍ ହୋଇଯାଇ ପରାସ୍ତ ହୋଇଥିଲା । ଚମ୍ପିୟାନ ଦଳକୁ ଟ୍ରଫି ସହ ୧୪ ହଜାର ଟଙ୍କା ଓ ରନର୍ସ ଅଫ ଦଳକୁ ଟ୍ରଫି ସହ ୧୦ହଜାର ଟଙ୍କା ପୁରସ୍କାର ପ୍ରଦାନ କରାଯାଇଥିଲା । ପାତଳପଡ଼ା ଦଳର ପ୍ରମୋଦ ରଣାଙ୍କୁ ମ୍ୟାନ ଅଫ ଦି ମ୍ୟାଚ୍ ଓ ସିରିଜ୍ ପୁରସ୍କାର ପ୍ରଦାନ କରାଯାଇଥିଲା । ମ୍ୟାଚ୍ ପରିଚାଳନା ଚୌବନ ଧରୁଆ ଓ ବଳଦେବ ବାଗ କରିଥିବା ବେଳେ ହଳଦୀ ଡଙ୍ଗରବୁଢ଼ା କଳାପରିଷଦର କଳାକାର ଗୋବିନ୍ଦ ମାଝୀ ସାଂସ୍କୃତିକ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଆୟୋଜକ କ୍ରିକେଟ କ୍ଲବ ସଭାପତି ଜଗମୋହନ ଯାନୀ, ଉପସଭାପତି କୁନା ନାଏକ, ସମ୍ପାଦକ କିଷାନ ଯାନୀଙ୍କ ସହ କ୍ଲବର ସମସ୍ତ ସଦସ୍ୟଙ୍କ ସହ ଗ୍ରାମବାସୀ ଏଥିରେ ସହଯୋଗ କରୁଥିଲେ ।