ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ଟୁରିଜିମ୍ ଓ ଟ୍ରାଭେଲ ଶିକ୍ଷା ବିଭାଗର ଜାତୀୟ ସମ୍ମିଳନୀ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ବିଶ୍ଵବିଦ୍ୟାଳୟସ୍ଥିତ ନୂତନ ସମ୍ମିଳନୀ କକ୍ଷରେ ବୁଧବାର ଉଚ୍ଚ ଶିକ୍ଷା ବିଭାଗ ଏବଂ ପର୍ଯ୍ୟଟନ ମନ୍ତ୍ରଣାଳୟ ମିଳିତ ସହଯୋଗରେ ଉପକୂଳ ଓ ସାମୁଦ୍ରିକ ପର୍ଯ୍ୟଟନସ୍ଥଳୀର ସ୍ଥାୟୀ ରକ୍ଷଣବେକ୍ଷଣ ଶୀର୍ଷକକୁ ନେଇ ଦୁଇ ଦିନିଆ ଜାତୀୟ ସମ୍ମିଳନୀ ଉଦ୍‌ଘାଟିତ ହୋଇଥିଲା । ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ଗୀତାଞ୍ଜଳୀ ଦାଶ ଅଧ୍ୟକ୍ଷତା କରି ଭାରତର ଉପକୂଳ ଓ ସାମୁଦ୍ରିକ ପର୍ଯ୍ୟଟନସ୍ଥଳୀ ଉପରେ ଆଲୋଚନା କରିବା ସହ ଓଡ଼ିଶାର ପର୍ଯ୍ୟଟନସ୍ଥଳୀ ମଧ୍ୟ କୌଣସି ଗୁଣରେ କମ ନୁହେଁ ବୋଲି କହିଥିଲେ । ତାହା ସହ ସ୍ଥାୟୀ ରକ୍ଷଣବେକ୍ଷଣର ଆବଶ୍ୟକତା ଏବଂ ତାହାର ଉନ୍ନତି କରଣ କରିବା ପାଇଁ କହିଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭୁବନେଶ୍ୱରସ୍ଥିତ ଶିକ୍ଷା ଓ ଅନୁସନ୍ଧାନ ବିଶ୍ଵବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ସୀତାକାନ୍ତ ମିଶ୍ର ଯୋଗ ଦେଇ ସାମୁଦ୍ରିକ ଏବଂ ଉପକୂଳ ପର୍ଯ୍ୟଟନସ୍ଥଳୀର ଆଧ୍ୟାତ୍ମିକତା କ୍ଷେତ୍ର ଉପରେ ଗୁରୁତ୍ୱ ଦେଇ ଏହାର ସଂରକ୍ଷଣ କରିବା ପାଇଁ କହିଥିଲେ । ତାହା ସହ ବର୍ତ୍ତମାନ ଭୌଗଳିକସ୍ଥିତିକୁ ନେଇ କିଛି ଗବେଷକ ପର୍ଯ୍ୟଟନସ୍ଥଳୀର ବିକାଶ ପାଇଁ କାର୍ଯ୍ୟ ଜାରି ରଖିଥିବା କହିଥିଲେ । ବକ୍ତା ଭାବେ ନୂଆ ଦିଲ୍ଲୀସ୍ଥିତ ଜାମିଆ ମିଲିଆ ଇସଲାମୀଆ ବିଶ୍ଵବିଦ୍ୟାଳୟର ପର୍ଯ୍ୟଟନ ବିଭାଗର ମୁଖ୍ୟ ପ୍ରଫେସର ନୀମିତ ରଞ୍ଜନ ଚୌଧୁରୀ ଯୋଗ ଦେଇ କୋଭିଡ ସମୟରେ ପର୍ଯ୍ୟଟନସ୍ଥଳୀର ବିକାଶ ଧାରାରେ ଉପୁଜିଥିବା ବାଧା ବିଘ୍ନ ଉପରେ ଆଲୋକପାତ କରିଥିଲେ । ସମ୍ମାନିତ ଅତିଥି ଭାବେ ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗର ପୂର୍ବତନ ସହ ନିର୍ଦ୍ଦେଶକ ଡ. ରତିକାନ୍ତ ପଟ୍ଟନାୟକ ଯୋଗ ଦେଇ ଶୀର୍ଷକ ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ ଦୁଇଟି ପୁସ୍ତିକା ଅତିଥିମାନଙ୍କ ଦ୍ଵାରା ଉନ୍ମୋଚନ କରାଯାଇଥିଲା । ସମ୍ମିଳନୀର ଆବାହିକା ରିତୁ ତିୱାରୀ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଡ. ଇକବଲ ଅହମଦ ଭଟ୍ଟ ଅତିଥି ପରିଚୟ ପ୍ରଦାନ କରିଥିଲେ । ଛାତ୍ରୀ ଦୀପଶିଖା ସଭା ପରିଚାଳନା କରିଥିବା ବେଳେ ଯୋଗେଶ ଭାଉସାହେବ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଅଧ୍ୟାପିକା କଳ୍ପନା ବେହେରାଙ୍କ ସମେତ ଛାତ୍ରଛାତ୍ରୀ ସହଯୋଗ କରିଥିଲେ । ଶେଷରେ ସମସ୍ତ ଅତିଥିଙ୍କ ସମେତ ପର୍ଯ୍ୟଟନ ଭାରତର ସମ୍ପାଦକ ନାରାୟଣ ମହାଙ୍କୁଡ଼ଙ୍କୁ ବିଭାଗ ପକ୍ଷରୁ ସମ୍ମାନିତ କରାଯାଇଥିଲା । ଦ୍ଵିତୀୟ ଅଧିବେଶନରେ ତିନୋଟି ଟେକ୍ନିକାଲ ସେକ୍ସନରେ ରାଜ୍ୟ ଓ ରାଜ୍ୟ ବାହାରରୁ ୫୫ ଜଣ ଗବେଷକ, ଗବେଷିକା, ଛାତ୍ର, ଛାତ୍ରୀ ଯୋଗ ଦେଇଥିଲେ ।

Leave A Reply

Your email address will not be published.