ପିକ୍‌ଅପ୍‌ ଭ୍ୟାନ ସହ ବାଇକର ମୁହାଁମୁହିଁ ଧକ୍କା : ବାଇକ୍‌ ଚାଳକଙ୍କ ମୃତ୍ୟୁ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ୫୯ ନଂ ଜାତୀୟ ରାଜପଥ ଦେଇ ଯାଇଥିବା ଟାଉନସ୍ଥିତ ଦମକଳ କେନ୍ଦ୍ର ନିକଟରେ ଏକ ବୋଲେରୋ ପିକ୍‌ଅପ୍‌ ଭ୍ୟାନ ସହ ବାଇକର ମୁହାଁମୁହିଁ ଧକ୍କା ହେବା ଫଳରେ ବାଲିଗୁଡା ମେଡିକାଲରେ ବାଇକ ଚାଳକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଘଟଣାରୁ ପ୍ରକାଶ ଯେ, ରବିବାର ଅପରାହ୍ନରେ ଏକ ବୋଲେରୋ ମ୍ୟାକ୍ସ ପିକଅପ ଭ୍ୟାନ ନଂ ଓଡି-୦୭-ଏଫ-୪୬୯୪ ଟି ବାଲିଗୁଡ଼ାରୁ ତୁମୁଡିବନ୍ଧକୁ ଯାଉଥିବା ବେଳେ ଅପର ପକ୍ଷରୁ ରାୟଗଡା ଜିଲ୍ଲା ଟିକିରି ଅଞ୍ଚଳରୁ ଭଞ୍ଜନଗର ନିକଟସ୍ଥ କଇଠପଲ୍ଲୀ ପଞ୍ଚାୟତ ଡୁଡୁଆ ଗ୍ରାମର ସନ୍ତୋଷ କୁମାର ରଣା ବାଇକ ନଂ ଓଡି- ୩୨-ଡି-୭୫୫୫ରେ ନିଜ ଗ୍ରାମକୁ ଯାଉଥିବା ବେଳେ ଭ୍ୟାନ ସହ ମୁହାଁମୁହିଁ ଧକ୍କା ହେବା ଫଳରେ ସନ୍ତୋଷ ତଳେ ପଡିଯାଇଥିଲେ । ଖବର ପାଇ ସଙ୍ଗେସଙ୍ଗେ ଦମକଳ ବାହିନୀ କର୍ମଚାରୀ ବାଲିଗୁଡା ମେଡିକାଲରେ ଭର୍ତ୍ତୀ କରିଥିଲେ । ସେଠାରେ କିନ୍ତୁ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ । ପରେ ପରେ ବାଲିଗୁଡା ପୋଲିସ ସଦଳବଳ ସହ ଏସ୍‌ଆଇ ପ୍ରମୋଦ କୁମାର ଜେନା ଘଟଣା ସ୍ଥଳରେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରି ଏକ ମାମଲା ରୁଜୁ କରି ଗାଡି ଦୁଇଟି ଯାକକୁ ଜବତ କରିବା ସହ ଭ୍ୟାନର ଡ୍ରାଇଭରକୁ ଥାନାକୁ ଆଣି ଅଧିକ ତଦନ୍ତ ଅବ୍ୟାହତ ରଖିଛନ୍ତି ।

Leave A Reply

Your email address will not be published.