ପ୍ରଥମ ଇସ୍ପାତ ନାଟକ ମହୋତ୍ସବର ତୃତୀୟ ସନ୍ଧ୍ୟା : ରଙ୍ଗମଞ୍ଚ ତରଫରୁ ନାଟକ ‘ଜୀବନ ଏମିତି’ ମଞ୍ଚସ୍ଥ

ରାଉରକେଲା, (ସସ୍ମିତା ପ୍ରଧାନ) : ଏକତ୍ର ରାଉରକେଲା ଦ୍ଵାରା ଆୟୋଜିତ ପ୍ରଥମ ଇସ୍ପାତ ନାଟ୍ୟ ମହୋତ୍ସବ ୨୦୨୩ ତୃତୀୟ ସନ୍ଧ୍ୟାରେ ନାଟ୍ୟାନୁଷ୍ଠାନ ରଙ୍ଗମଞ୍ଚ ତରଫରୁ ନାଟକ ‘ଜୀବନ ଏମିତି’ ମଞ୍ଚସ୍ଥ ହୋଇଥିବା ବେଳେ ନାଟକକୁ ଅଶୋକ ବହିଦାର ରଚନା ଓ ନାଟ୍ୟ ରୂପାନ୍ତର, ଅଭିକଳ୍ପ, ସଂଗୀତ ଓ ନିର୍ଦ୍ଦେଶନା କୈଳାସ ପାଣିଗ୍ରାହୀ ଦେଇଥିଲେ । ନାଟକରେ ଜୀବନ, ଜୀବିକା ଓ ମାନବିକତା ଭିତରେ ଥିବା ଦ୍ଵନ୍ଦକୁ ଦର୍ଶାଯାଇଛି । ମଣିଷ ର ଜୀବିକା ଅଲଗା ଅଲଗା ହୋଇପାରେ । ଜୀବନ ଜିଇଁବାର ଶୈଳୀ ବି ଭିନ୍ନ ହୋଇପାରେ । କିନ୍ତୁ ମାନବିକତା ସବୁଠି ନଥାଏ । ନାୟକ ମଙ୍ଗଳୁ ବୋଦା ଟିଏ ରଖି ତା’ ମାଧ୍ୟମରେ ରୋଜଗାର କରି ସଂସାର ଚଳାଏ । ବୋଦାକୁ ହୀରା ବୋଲି ଡାକେ । ସାପ୍ତାହିକ ହାଟରେ ହୀରାକୁ ଲଢେଇରେ ବାଜି ଲଗାଏ । ହୀରା ଜିତେ । ହୀରା ଜିତିଲେ ଯାହା ମିଳେ ସେଥିରେ ମଙ୍ଗଳୁ ପରିବାର ଚଳାଏ । ବୟସର ଚାପରେ ହୀରା ଦୁର୍ବଳ ହୁଏ । ଏଣେ ମଙ୍ଗଳୁର ଏକମାତ୍ର ପୁଅକୁ ଅଜଣା ରୋଗ ଗ୍ରାସ କରେ । ପୁଅକୁ ଡାକ୍ତର ଖାନା ନନେଲେ ପୁଅ ବଞ୍ଚିବି, ଏପଟେ ହୀରାକୁ ହାଟକୁ ନେଲେ ରୋଜଗାର ମିଳିବନି । ମଙ୍ଗଳୁ ଅନ୍ତଦ୍ୱନ୍ଦରେ ଘାଣ୍ଟି ହୁଏ । ପୁଅ ବଡ ନାଁ ହୀରା । ଜୀବନ ନା ଜୀବିକା । ଏମିତି ଏକ ଅନ୍ତଦ୍ୱନ୍ଦର କାହାଣୀ ଜୀବନ ଏମିତି । ଏହି ନାଟକରେ ପ୍ରଳୟ ଶତପଥୀ ମଞ୍ଚ, ଅମୂଲ୍ୟ ବିଶୋଇ ସଂଗୀତ ଓ ଆଲୋକ ତଥା ଶବ୍ଦରେ ଶ୍ରୀ ଲାଇଟ୍ସକ୍ ଓ ସାଗର ସ୍ୱାଇଁ ସହଯୋଗ କରିଥିଲେ । ଅଭିନୟରେ ସର୍ବଶ୍ରୀ ସୁରେଶ, ସୈ।ମ୍ୟରଞ୍ଜନ, ଶିବାନୀ, ଓମ୍, କୈଳାସ, ହେମନ୍ତ, ଆନନ୍ଦ, ସୌରଭ, ବିଭୁତି ଭୂଷଣ, ଗୌରାଙ୍ଗ ପ୍ରମୁଖ ଅଭିନୟ କରିଥିବା ବେଳେ ମଞ୍ଚ ପରିଚାଳନାରେ ସରୋଜ, ଅରବିନ୍ଦ, ପ୍ରସନ୍ନ, ଅମୀୟ ପ୍ରମୁଖ ସହଯୋଗ କରିଥିଲେ । ଆଜିର ଏହି ନାଟକରେ ମୁଖ୍ୟ ଅତିଥି ଭାବେ ସମାଜସେବୀ ପ୍ରଶାନ୍ତ ବେହେରା ଓ ସମ୍ମାନିତ ଅତିଥି ଭାବେ ଡାକ୍ତର କିରଣ ମିଶ୍ର ଯୋଗଦେଇଥିବା ବେଳେ ଉପସଭାପତି ରମେଶ ମହାନ୍ତି ସ୍ୱାଗତ ଭାଷଣ ଓ ଅନୁଷ୍ଠାନର ଲକ୍ଷ୍ୟ ତଥା ସଦସ୍ୟ ପ୍ରକାଶ ସାହାଣୀ ଧନ୍ୟବାଦ ଅର୍ପଣ କରିଥିଲେ । ମୁଖ୍ୟ ଅତିଥି ଶ୍ରୀ ବେହେରା ଅନୁଷ୍ଠାନର ଉଦ୍ୟମକୁ ସାଧୁବାଦ ଦେବା ସହ ଏକତ୍ର ର ସାହିତ୍ୟ ଓ ସଂସ୍କୃତି ତଥା ନାଟକ ପ୍ରତିବଦ୍ଧତାକୁ ଦୋହରାଇ ଥିଲେ । ସମ୍ମାନିତ ଅତିଥି ଡା.ମିଶ୍ର ତାଙ୍କ ବକ୍ତବ୍ୟରେ ନାଟକ ଆମ ଜୀବନର କଥା କୁହେ ବୋଲି ମତ ରଖିଥିଲେ । ବିଶିଷ୍ଟ ଅତିଥି ସହରସେବା ବିଭାଗର ମୁଖ୍ୟ ମହାପ୍ରବନ୍ଧକ ପ୍ରତାପ କୁମାର ସ୍ଵାଇଁ, ସଭାପତି ରାଜୀବ ପାଣି, ଆଲୋକ ବୋଷ, ସୁମନ ଦତ୍ତ, ପ୍ରଶାନ୍ତ ପତି, ଚନ୍ଦ୍ର ଶେଖର ଶତପଥୀ, ସରୋଜ ଶଙ୍ଖୁଆ, ପ୍ରଜ୍ଞାନନ୍ଦ ମହାନ୍ତି, କନକଲତା ଦାସ, ପ୍ରବୀର କୁମାର ଜେନା, ଆନନ୍ଦ ଚନ୍ଦ୍ର ମହାନ୍ତି, ସୁକାନ୍ତ ଚନ୍ଦ୍ର ଖୁଣ୍ଟିଆ ପ୍ରମୁଖ ଉପସ୍ଥିତ ଥିଲେ । ଝିଲିମା ମହାପାତ୍ର ମଞ୍ଚ ସଂଯୋଜନା କରିଥିଲେ । କଲ୍ୟାଣୀ ଦାସ ଓ କ୍ଷୀରୋଦା ବାରିକ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.