jayashree

କନ୍ଧମାଳରେ ଏସ୍‌ବିଆଇ ୠଣ ଘୋଟାଲା ମାମଲା : ତିନି ମାସ ପରେ ଆଉ ଦୁଇ ଜଣଙ୍କୁ ଗିରଫ କଲା ଇଓଡବ୍ଲ୍ୟୁ

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ଥିତ ଏସ୍‌ବିଆଇ ମୁଖ୍ୟ ଶାଖାରେ ହୋଇଥିବା ୮ କୋଟି ଟଙ୍କାର ଋଣ ଜାଲିଆତି ମାମଲାରେ ଆଉ ଦୁଇଜଣଙ୍କୁ ଗିରଫ କରିଛି ରାଜ୍ୟ ଅର୍ଥନୈତିକ ଅପରାଧ ଶାଖା । ପୂର୍ବରୁ ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତ ଆଶୁତୋଷ ଆଚାର୍ଯ୍ୟଙ୍କୁ ଗିରଫ କରାଯାଇଥିବା ବେଳେ ୩ ମାସ ପରେ ଏଥିରେ ସାମିଲ ଥିବା ତତ୍‌କାଳୀନ ଫୁଲବାଣୀ ଯୋଗାଣ ନିରୀକ୍ଷକ ସମରେଶ ରଂଜନ ଦାସ ଓ ହେମନ୍ତ ପଣ୍ଡାଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ତେବେ ଏଥିରେ ଆହୁରି ବହୁ ବ୍ୟକ୍ତି ସାମିଲ ଥିବା ଏତାଲାରେ ଦର୍ଶାଯାଇଥିବା ବେଳେ ସେମାନେ କେବେ ଗିରଫ ହେବେ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି । ସୂଚନା ପ୍ରକାରେ ୨୦୨୨ ମସିହାରେ ଫୁଲବାଣୀ ଷ୍ଟେଟବ୍ୟାଙ୍କ ମୁଖ୍ୟ ଶାଖାର ତତ୍କାଳୀନ ଡେପୁଟି ମ୍ୟାନେଜର ଆଶୁତୋଷ ଆଚାର୍ଯ୍ୟ ୫୯ ଜଣଙ୍କ ନାମରେ ସରକାରୀ ଚାକିରିଆମାନଙ୍କ ପାଇଁ ଉଦ୍ଧିଷ୍ଟ ଏକ୍ସପ୍ରେସ କ୍ରେଡିଟ ଲୋନ ମଞ୍ଜୁର କରିଥିଲେ, ଯାହାର ପରିମାଣ ଥିଲା ୬ କୋଟି ୭୭ ଲକ୍ଷ ୩୦ ହଜାର ଟଙ୍କା । ସେହିଭଳି ସେ ୨୬ ଜଣଙ୍କ ନାମରେ ୯୯ ଲକ୍ଷ ୮୨ ହଜାର ୭୯୫ ଟଙ୍କାର ପେନସନ ଋଣ ମଞ୍ଜୁର କରିଥିଲେ । ଏହିଭଳି ଭାବେ ସମୂଦାୟ ୮ କୋଟି ୧ ଲକ୍ଷ ୮୭ ହଜାର ଟଙ୍କା ଋଣ ମଞ୍ଜୁର କରାଯାଇଥିଲା, ଯାହାକି ପରବର୍ତୀ ସମୟରେ ଆଶୁତୋଷ ନିଜ ଘର ଲୋକଙ୍କ ଆକାଉଣ୍ଟକୁ ପଠାଇ ଦେଇଥିଲେ । ଏନେଇ ଇଓଡବ୍ଲୁ ନିକଟରେ ଅଭିଯୋଗ ହେବା ପରେ କେସ ନଂ.୧୪/୨୩ରେ ଏକ ମାମଲା ରୁଜ୍ଜୁ କରାଯାଇ ତଦନ୍ତ ଚାଲିଥିଲା । ୩ମାସ ପୂର୍ବରୁ ଆଶୁତୋଷ ଗିରଫ ହୋଇଥିଲେ । ତତ୍‌କାଳୀନ ଫୁଲବାଣୀ ଯୋଗାଣ ନିରୀକ୍ଷକ ସମରେସ ରଂଜନ ଦାସଙ୍କୁ ଗିରଫ କରିଛି । ଇଓଡବ୍ଲୁ ସମରେଶଙ୍କ ଆକାଉଣ୍ଟକୁ ୧କୋଟି ୪୬ଲକ୍ଷ ୩୦ହଜାର ଟଙ୍କା ପଠାଯାଇଥିଲା । ତେବେ ଏଥିରେ ସମ୍ପୃକ୍ତ ଅନ୍ୟ ବ୍ୟକ୍ତି ମାନେ କେବେ ଗିରଫ ହେବେ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଏହି ଘୋଟାଲାର ଅଧିକ ତଦନ୍ତ ହେଲେ ଉପରୋକ୍ତ ବ୍ୟକ୍ତିଙ୍କୁ ବାଦ ଦେଇ ବହୁ ବଡ଼ ବଡ଼ ବକ୍ତିଙ୍କ ସମ୍ପୃକ୍ତି ପଦାକୁ ଆସିବା ସହ ଏହି ଘୋଟାଲାର ଚେର କେଉଁ କେଉଁ ଜିଲ୍ଲାକୁ ସବୁ ଲମ୍ବିଛି ତାହା ସାମ୍ନାକୁ ଆସିପାରିବ ।

Leave A Reply

Your email address will not be published.