jayashree

‘ଭୂମି-ସମ୍ମାନ’ ପୁରସ୍କାରରେ ପୁରସ୍କୃତ ହୋଇଥିବା ୬୮ ଜିଲ୍ଲା ମଧ୍ୟରେ ଓଡ଼ିଶାର ୧୯ ଜିଲ୍ଲା ସାମିଲ୍‌

ଭୁବନେଶ୍ୱର : ଡିଜିଟାଲ୍‌ ଇଣ୍ଡିଆ ଲ୍ୟାଣ୍ଡ ରେକର୍ଡ ଆଧୁନିକୀକରଣ କାର୍ଯ୍ୟକ୍ରମର ଲକ୍ଷ୍ୟଗୁଡ଼ିକୁ ପୂରଣ କରିବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଓଡ଼ିଶାକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଭାରତର ଶ୍ରେଷ୍ଠ ରାଜ୍ୟ ଭାବେ ‘ଭୂମି ସମ୍ମାନ’ ପୁରସ୍କାର ପ୍ରଦାନ କରିଛନ୍ତି । ନୂଆଦିଲ୍ଲୀ ସ୍ଥିତ ବିଜ୍ଞାନ ଭବନଠାରେ ଅନୁଷ୍ଠିତ ଏକ ବର୍ଣ୍ଣାଢ଼୍ୟ କାର୍ଯ୍ୟକ୍ରମରେ ଓଡ଼ିଶାକୁ ଏହି ପୁରସ୍କାର ପ୍ରଦାନ କରାଯାଇଛି । ଦେଶର ସମୁଦାୟ ଜିଲ୍ଲା ୭୬୬ ମଧ୍ୟରୁ ୬୮ଟି ଜିଲ୍ଲାକୁ ଡିଆଇଏଲ୍‌ଆର୍‌ଏମ୍‌ପି ଅନ୍ତର୍ଗତ ୬ଗୋଟି ବର୍ଗରେ ପ୍ଲାଟିନମ୍‌ ପୁରସ୍କାର ମିଳିଛି । ତନ୍ମଧ୍ୟରୁ ଓଡ଼ିଶାର ୧୯ଟି ଜିଲ୍ଲା ଏହି ପୁରସ୍କାର ପାଇବା ସମଗ୍ର ଓଡ଼ିଶାବାସୀଙ୍କ ପାଇଁ ଗୌରବର ବିଷୟ ।

ଓଡ଼ିଶାର ଅନୁଗୁଳ, ବୌଦ୍ଧ, ବରଗଡ, ଭଦ୍ରକ, ଦେଓଗଡ, ଢେଙ୍କାନାଳ, ଗଜପତି, ଗଂଜାମ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡା, କେନ୍ଦୁଝର, ଖୋର୍ଦ୍ଧା, କୋରାପୁଟ, ନବରଙ୍ଗପୁର, ନୟାଗଡ, ନୂଆପଡା, ରାୟଗଡା ଓ ସମ୍ବଲପୁର ଆଦି ୧୯ଟି ଜିଲ୍ଲା ଏହି ପ୍ଲାଟିନମ ପୁରସ୍କାର ନିମନ୍ତେ ବିବେଚିତ ହୋଇଥିଲେ । ରାଷ୍ଟ୍ରପତି ଏହି ଜିଲ୍ଲାମାନଙ୍କର ଜିଲ୍ଲାପାଳ ବା ଅତିରିକ୍ତ ଜିଲ୍ଲାପାଳମାନଙ୍କୁ ‘ଭୂମି ସମ୍ମାନ’ ପୁରସ୍କାର ପ୍ରଦାନ କରିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦିଗଦର୍ଶନରେ ୫ଟି କାର୍ଯ୍ୟାନ୍ୱୟନ ତଥା ‘ମୋ ସରକାର’ ନିୟମାବଳୀ ମାଧ୍ୟମରେ ଜମିଜମା ରେକର୍ଡ ଏବଂ ଜନସେବାକୁ ଡିଜିଟାଇଜେସନ୍‌ କରିବାରେ ଓଡିଶା ଏକ ଅଗ୍ରଣୀ ରାଜ୍ୟ ହୋଇପାରିଛି । ବିଭାଗ ଦ୍ୱାରା ନାଗରିକମାନଙ୍କୁ ଯୋଗାଇ ଦିଆଯାଉଥିବା ୩୪ଟି ପ୍ରମୁଖ ସେବାକୁ ଅନ୍‌ଲାଇନ୍‌ କରାଯିବା ଦ୍ୱାରା ଲୋକମାନେ ଅନଲାଇନ ମାଧ୍ୟମରେ ଆବେଦନ ଏବଂ ସ୍ଥିତି ଜାଣିପାରୁଛନ୍ତି ।

ଭର୍ଚୁଆଲ୍‌ କୋର୍ଟ ମାଧ୍ୟମରେ ୧୩ ହଜାରରୁ ଊଦ୍ଧ୍ୱର୍ ମାମଲାର ଫଇସଲା ହୋଇଛି । ୨୦୨୪ ମାର୍ଚ୍ଚ ମାସ ସୁଦ୍ଧା ରାଜ୍ୟର ଅନ୍ୟ ସମସ୍ତ ଜିଲ୍ଲା ଡିଆଇଏଲ୍‌ଆର୍‌ଏମ୍‌ପିର ମାନଦଣ୍ଡ ଯଥା, ଜମି ରେକର୍ଡର କମ୍ପ୍ୟୁଟରୀକରଣ, ଜମି ନକ୍ସାର କମ୍ପ୍ୟୁଟରୀକରଣ, ଜମି ରେକର୍ଡ ଏବଂ ନକ୍ସାର ସଂଯୋଗୀକରଣ, ନିବନ୍ଧନ ଓ ଉପନିବନ୍ଧନ କାର୍ଯ୍ୟାଳୟର କମ୍ପ୍ୟୁଟରୀକରଣ, ତହସିଲ ଏବଂ ନିବନ୍ଧନ କାର୍ଯ୍ୟାଳୟର ସଂଯୋଗୀକରଣ ଏବଂ ଆଧୁନିକ ରେକର୍ଡ କକ୍ଷ ନିର୍ମାଣ କ୍ଷେତ୍ରରେ ଶତପ୍ରତିଶତ ଲକ୍ଷ୍ୟ ହାସଲ କରିବା ପାଇଁ ପଦକ୍ଷେପ ନିଆଯିବ ।

Leave A Reply

Your email address will not be published.