ମହାମହିମ ରାଜ୍ୟପାଳଙ୍କ ସୁବର୍ଣ୍ଣପୁର ଜିଲ୍ଲା ପରିଦର୍ଶନ

  • ଜିଲ୍ଲାର ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ପରାମର୍ଶ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ମହାମହିମ ରାଜ୍ୟପାଳ ଓଡିଶା ପ୍ରଫେସର ଗଣେଶୀ ଲାଲ ଗତକାଲି ସୁବର୍ଣ୍ଣପୁର ଜିଲ୍ଲା ପରିଦର୍ଶନରେ ଆସି ଜିଲ୍ଲାର ବୀରମହାରାଜପୁର ଠାରେ ଆୟୋଜିତ ଆଞ୍ଚଳିକ ଧନୁଯାତ୍ରା ମହୋତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ । ପରେ ପରେ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟାଳୟ ସ୍ଥିତ ସର୍କିଟ ହାଉସ ଠାରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ବୈଠକରେ ଯୋଗଦାନ କରିଥିଲେ । ବୈଠକରେ ଜିଲ୍ଲାପାଳ ସୁବର୍ଣ୍ଣପୁର ଶ୍ରୀମତୀ ଅବୋଲି ସୁନୀଲ ନରୱଣେ ରାଜ୍ୟପାଳଙ୍କୁ ବୈଠକକୁ ସ୍ୱାଗତ କରିବା ସହିତ ଜିଲ୍ଲାର ବିଭିନ୍ନ ବିଭାଗ ତରଫରୁ ଜିଲ୍ଲା ବିକାଶର ବିଭିନ୍ନ କାର୍ଯ୍ୟକ୍ରମର କାର୍ଯ୍ୟକାରିତାକୁ ରାଜ୍ୟପାଳଙ୍କୁ ଅବଗତ କରାଇଥିଲେ । ଆଲୋଚନା ବୈଠକରେ ରାଜ୍ୟପାଳ ଓଡିଶା, ଜିଲ୍ଲାର ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ଜିଲ୍ଲାସ୍ତରୀୟ ଅଧିକାରୀଙ୍କୁ ପରାମର୍ଶ ଦେବା ସହ ଜିଲ୍ଲାର ସମସ୍ତ ଶିକ୍ଷାନୁଷ୍ଠାନ ଗୁଡିକରେ ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କୁ ସ୍ୱଚ୍ଛ ପାନୀୟ ଜଳର ଉପଲବ୍ଧ କରାଇବା ତଥା ଛାତ୍ରୀଙ୍କ ନିମନ୍ତେ ସ୍ୱତନ୍ତ୍ର ଉତ୍ତମ ବ୍ୟବସ୍ଥା ସହିତ ଶୌଚାଳୟର ଉପଲବ୍ଧ କରାଇବାକୁ ପରାମର୍ଶ ଦେଇଛନ୍ତି । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ସର୍କିଟ ହାଉସ ଠାରେ ଜିଲ୍ଲାର ପ୍ରତିଷ୍ଠିତ ସାହିତ୍ୟ ଅନୁଷ୍ଠାନ ମହାନଦୀ ସାହିତ୍ୟ ସଂସଦର କର୍ମକର୍ତ୍ତା, ସହରର ବୁଦ୍ଧିଜୀବୀ, ବରିଷ୍ଠ ବ୍ୟକ୍ତି ବିଶେଷଙ୍କ ସହ ଜିଲ୍ଲା ପ୍ରଶାସନ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ଗସ୍ତର ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମ ଅବସରରେ ଜିଲ୍ଲାପାଳ ସୁବର୍ଣ୍ଣପୁର ଶ୍ରୀମତୀ ନରୱଣେ ସମେତ ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା, ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାଶ, ଉପଜିଲ୍ଲାପାଳ ବୀରମହାରାଜପୁର ଅଶୋକ ଭୋଇ, ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ପ୍ରମୁଖ ଯୋଗଦାନ କରିଥିଲେ ।

Leave A Reply

Your email address will not be published.