ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ଯମୁନା କନ୍ଧୁଣୀ ବାଳିକା ଉଚ୍ଚ ବିଦ୍ୟାଳୟର ଶିଶୁ ସଭାରେ ପାଇକମାଲ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଉପାଞ୍ଜଳି ମାଝୀ ଏବଂ ପାଇକମାଲ ତହସିଲଦାର ପରକ୍ଷୀତ ସାହୁ ମୁଖ୍ୟ ଅଥିତି ଭାବେ ଓ ବ୍ଲକ ଶିକ୍ଷା ଅଧିକାରୀ ଚୂଡ଼ାମଣି ବାରିକ ସମ୍ମାନିତ ଅଥିତି ଭାବେ ଯୋଗ ଦେଇଥିଲେ । ଛାତ୍ରୀମାନେ ମୁଖ୍ୟ ଅଥିତିଙ୍କୁ ଫୁଲତୋଡ଼ା ଏବଂ ଉପଢୌକନ ଦେଇ ସ୍ୱାଗତ କରିଥିଲେ । ଦଶମ ଶ୍ରେଣୀର ଛାତ୍ରୀ ପ୍ରଜ୍ଞା ପରିମିତା ଦୀପ ସଭା ପରିଚାଳନା କରିଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଶାନ୍ତ କୁମାର ପଣ୍ଡା ସଭାର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ପିଲାମାନେ ନିଜ ନିଜ କେରିଅର ତିଆରି କରିବା ପାଇଁ ପ୍ରଥମେ କଠିନ ପରିଶ୍ରମ କରି ଅଧ୍ୟୟନ କରିବା ଆବଶ୍ୟକ । ନିଜ କେରିଅର ତିଆରି କରିବାକୁ ହେଲେ ନିଜ ରୁଚି ଅନୁଯାଇ ଆଗକୁ ବଢିବାର ଅଛି । ନିଜ କେରିଅର ତିଆରି ପାଇଁ ମା, ବାପା, ପରିବେଶକୁ ଦୋଷ ଦେବା କଥା ନୁହେଁ । ଆମ୍ଭେ ନିଜେ ନିଜ ଲକ୍ଷ ପଥରେ ଜିରୋରୁ ହିରୋ ହୋଇପାରିବା କଠିନ ଅଧ୍ୟବସାୟ ବଳରେ ବୋଲି ତହସିଲଦାର ଉଦ୍ବୋଧନ ଦେଇଥିଲେ । ବିଡ଼ିଓ ଉପାଞ୍ଜଳି ମାଝୀ ଛାତ୍ରୀମାନଙ୍କୁ ନିଜ ଜୀବନର ଲକ୍ଷ ପଚାରି ବୁଝିବା ସହିତ ଏହି ବିଦ୍ୟାଳୟର ଛାତ୍ରୀମାନେ ଯେପରି ଶୃଙ୍ଖଳିତ ଭାବରେ ଅଧ୍ୟବସାୟ କରୁଛନ୍ତି ନିଶ୍ଚୟ ନିଜ ନିଜ ଲକ୍ଷ ହାସଲ କରିବେ ବୋଲି ମୋର ଆତ୍ମବିଶ୍ୱାସ ଅଛି ବୋଲି କହିଥିଲେ । ପାଇକମାଲ ବିଡ଼ିଓ ଏବଂ ତହସିଲଦାରଙ୍କ ବଦଳି କଥା ଜାଣି ପାରି ବିଦ୍ୟାଳୟର ଛାତ୍ରୀ/ସମସ୍ତ କର୍ମଚାରୀ ଭାବବିହ୍ୱଲ ହୋଇ ପଡ଼ିଥିଲେ । ନବମ ଶ୍ରେଣୀର ଛାତ୍ରୀ ଆର୍ଯ୍ୟା ପ୍ରଧାନ ଧନ୍ୟବାଦ ଅର୍ପଣ କରିବା ସହିତ ଏହିପରି ପ୍ରଶାସନିକ ଅଧିକାରୀମାନେ ଆମ ଗହଣରେ ସଦାସର୍ବଦା ରହିବାର ଆବଶ୍ୟକତା ଅଛି ବୋଲି ମତ ଦେଇଥିଲେ ।