ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଅମଲା ଭବନ ଠାରେ ବଲାଙ୍ଗିର ରେଳ ଉପଭୋକ୍ତା ସଂଘର ସାଧାରଣ ପରିଷଦ ବୈଠକ ସଂଘର ସଭାପତି ପ୍ରଫେସର ତରୁଣ କୁମାର ମିଶ୍ରଙ୍କ ସଭାପତିତ୍ୱରେ ଆଜି ସକାଳେ ଅନୁଷ୍ଠିତ ହୋଇଯାଇଛି । ମା’ ସମଲେଶ୍ୱରୀଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ସହ ପ୍ରଦୀପ ପ୍ରଜ୍ୱଳନ କରି ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । ପ୍ରଥମେ ଗତକାଲି ଇହଧାମ ତ୍ୟାଗ କରିଥିବା ରେଳ ଉପଭୋକ୍ତା ସଂଘର ବରିଷ୍ଠ ସଦସ୍ୟ ବୃନ୍ଦାବନ ବରାଳଙ୍କ ଅମର ଆତ୍ମାର ସଦ୍ଗତି ପାଇଁ ୨ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ସଂଘର ସାଧାରଣ ସଂପାଦକ ନାରାୟଣ ପାଢୀ ବାର୍ଷିକ ବିବରଣୀ ପଠନ କରିବା ସହ ସଂଘ ଗତ ୬ମାସ ମଧ୍ୟରେ ରେଳ ଉପଭୋକ୍ତାଙ୍କ ପାଇଁ କଣ ସବୁ କାର୍ଯ୍ୟ କରିଛି ସେନେଇ ସୂଚନା ପ୍ରଦାନ କରିଥିଲେ । ସଭାପତି ପ୍ରଫେସର ଶ୍ରୀ ମିଶ୍ର ନିଜ ନିଜ ବକ୍ତବ୍ୟରେ ସଂଘର ଆଗାମୀ ଦିନର କାର୍ଯ୍ୟସୂଚୀ ଓ ନୂତନ ପ୍ରସ୍ତାବ ଗୁଡିକ ଉପରେ ଆଲୋକପାତ କରିଥିଲେ । ସମସ୍ତ ପ୍ରସ୍ତାବକୁ ଉପସ୍ଥିତ ସମସ୍ତ ସଦସ୍ୟ ସମର୍ଥନ ଜଣାଇଥିଲେ । ସହ ସଂପାଦକ ଦିବାକର ହୋତା ସଭା ସଂଯୋଜନା କରିଥିବା ବେଳେ କୋଷାଧ୍ୟକ୍ଷ ଅଶୋକ କୁମାର ଚାନ୍ଦ ଆୟ ବ୍ୟୟର ବିବରଣୀ ପ୍ରଦାନ କରିଥିଲେ । ଏହି ଅବସରରେ ନୂତନ ଭାବେ ସଦସ୍ୟତା ଗ୍ରହଣ କରିଥିବା ୨୦ଜଣ ସଦସ୍ୟଙ୍କୁ ଫୁଲତୋଡା ଦେଇ ସ୍ୱାଗତ କରାଯାଇଥିଲା । ସମସ୍ତ କାର୍ଯ୍ୟକ୍ରମକୁ ପ୍ରଭାକର ମିଶ୍ର, ସୁଦ୍ଧାର୍ଥି ପଟେଲ, ରଶ୍ମୀ ରଂଜନ ଯୋଷୀ, ଅନୀଲ ନନ୍ଦ, ଅତୁଲ ଅଗ୍ରୱାଲ, ହିତେଶ କୁମାର ସାହୁ ପ୍ରମୁଖ ସହଯୋଗ କରିଥିବା ବେଳେ ଶ୍ରୀମନ୍ତ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । ଆଜିର ବୈଠକରେ ସମସ୍ତ ସଦସ୍ୟ ଉପସ୍ଥିତ ରହି ନିଜର ମତାମତ ପ୍ରଦାନ କରିଥିଲେ ।