ପଦ୍ମପୁର, (ନିରୋଜ କୁମାର ପାଣୀ) : ବୟସର ଅପରାହ୍ନରେ ନିଜ ପେନସନ ପଇସାରୁ ୧ ଲକ୍ଷ ୫ ହଜାର ଟଙ୍କା ମନ୍ଦିରକୁ ଦାନ କଲେ ୯୪ ବର୍ଷୀୟ ବୃଦ୍ଧ । ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ସୋହେଲା ବ୍ଲକ ଅନ୍ତର୍ଗତ ଚିଚିଣ୍ଡା ଗ୍ରାମର ୯୪ ବର୍ଷୀୟ ବୃଦ୍ଧ କାର୍ତ୍ତିକ ଚନ୍ଦ୍ର ଦେବତା ନିଜ ଗ୍ରାମର ଜଗନ୍ନାଥ ମନ୍ଦିରର ରୋଷେଇ ଘର ନିର୍ମାଣ ପାଇଁ ୬୫,୦୦୦ ଟଙ୍କା ଓ ମହାଦେବ ମନ୍ଦିରର ଉନ୍ନତି ପାଇଁ ୪୦,୦୦୦ ଟଙ୍କା ନିଜ ପେନସନ ପଇସାରୁ ମୁକ୍ତ ହସ୍ତରେ ଦାନ କରିଛନ୍ତି । କାର୍ତ୍ତିକ ଚନ୍ଦ୍ର ଦେବତା ଅବିଭକ୍ତ ସମ୍ବଲପୁର ଜିଲ୍ଲାର ଜିଲ୍ଲାପାଳ କାର୍ଯ୍ୟାଳୟରେ ମୁଖ୍ୟ କିରାଣୀ ଭାବରେ କାର୍ଯ୍ୟରତ ଥିଲେ । ୧୯୮୭ ମସିହାରୁ ସେ ସରକାରୀ ଚାକିରିରୁ ଅବସର ନେଇଥିବା ବେଳେ ବର୍ତ୍ତମାନ ସେ ସୋହେଲା ବ୍ଲକର ନିଜ ଗ୍ରାମ ଚିଚିଣ୍ଡା ଠାରେ ପରିବାର ସଙ୍ଗେ ରହୁଛନ୍ତି । ଶ୍ରୀ ଦେବତା ମନ୍ଦିରକୁ ଅର୍ଥ ଦାନ ନିମନ୍ତେ ଇଚ୍ଛା ପ୍ରକଟ କରିଥିଲେ ଏବଂ ତାଙ୍କ ପୁଅ ରାଜୁ ଦେବତାଙ୍କୁ ଜଣାଇଥିଲେ । ତେବେ ଗାଁର ଗଉନ୍ତିଆ ସନ୍ତୋଷ ବିଶ୍ରି, ମନ୍ଦିର କମିଟି ସଦସ୍ୟ ବିଲୋଚନ ବିଶ୍ରି, ହେମସାଗର ପ୍ରଧାନ ଏବଂ ଯୋଗେଶ୍ୱର ଷଡ଼ଙ୍ଗୀଙ୍କ ଉପସ୍ଥିତିରେ ଗ୍ରାମର ଉଭୟ ଜଗନ୍ନାଥ ମନ୍ଦିର ଓ ମହାଦେବ ମନ୍ଦିର ଉନ୍ନତି ପାଇଁ ଦାନ ଅର୍ଥ ହସ୍ତାନ୍ତର କରିଛନ୍ତି । ତେବେ ବରିଷ୍ଠ ନାଗରିକଙ୍କ ଏପରି ବଦାନ୍ୟତା ସ୍ଵଭାବ ଯୋଗୁଁ ବୁଦ୍ଧିଜୀବୀ ମହଲରେ ସେ ପ୍ରଶଂସାର ପାତ୍ର ସାଜିଛନ୍ତି ।