csstore

ଏବେ ଯୁବ ବର୍ଗଙ୍କ ପାଇଁ ଭୋଟର ହେବା ହେଲା ଆହୁରି ସହଜ, ବର୍ଷକୁ ଚାରି ଥର ସୁଯୋଗ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଏକ ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତି ନିମନ୍ତେ ଏବେ ଯୁବ ବର୍ଗଙ୍କ ପାଇଁ ଭୋଟର ହେବା ହେଲା ଆହୁରି ସହଜ, ଏଥିପାଇଁ ନିର୍ବାଚନ ଆୟୋଗର ପକ୍ଷରୁ ବର୍ଷକୁ ଚାରି ଥର ସୁଯୋଗ ରହିଛି ବୋଲି ଗତକାଲି ବରଗଡ଼ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ ଜିଲ୍ଲାପାଳ ମୋନୀଷା ବାନାର୍ଜୀ ସୂଚନା ଦେଇଥିଲେ । ଗତକାଲି ଭୋଟର ତାଲିକା ସଂଶୋଧନ ନିମନ୍ତେ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି, ସ୍ୱେଚ୍ଛାସେବୀ ଅନୁଷ୍ଠାନର ସ୍ୱେଚ୍ଛାସେବୀ, ସାମ୍ବାଦିକମାନଙ୍କୁ ନେଇ ଅନୁଷ୍ଠିତ ବୈଠକରେ ନୂତନ ଭୋଟରଙ୍କ ନାମ ଯୋଗ, ନାମ କାଟିବା ଏବଂ ଅନ୍ୟାନ୍ୟ ସଂଶୋଧନ କରିବା ପାଇଁ ଜନ ସଚେତନତା ସଂପର୍କରେ ଆଲୋଚନା ହୋଇଥିଲା । ଏଥିପାଇଁ ସ୍ୱେଚ୍ଛାସେବୀ ଅନୁଷ୍ଠାନ, ସ୍ୱୟଂ ସହାୟକ ଗୋଷ୍ଠୀ, ବୁଥ୍‌ସ୍ତରୀୟ ଅଧିକାରୀମାନେ ଜନ ସଚେତନତା ସୃଷ୍ଟି କରିବା ପାଇଁ ଆଗେଇ ଆସିବାକୁ ଜିଲ୍ଲାପାଳ ମୋନୀଷା ବାନାର୍ଜୀ ଗୁରୁତ୍ୱାରୋପ କରିଥିଲେ । ନୂତନ ଭୋଟର ହେବା ପାଇଁ ପ୍ରଥମେ ଅନଲାଇନ ଆବେଦନ କରିବାକୁ ହେବ । ଏହା ଏବେ ବର୍ଷକୁ ଚାରି ଥର କରାଯାଇ ପାରିବ । ଯାହା କି ୧ ଜାନୁଆରୀ,୧ ଏପ୍ରିଲ,୧ ଜୁଲାଇ,୧ ଅକ୍ଟୋବରରେ ହୋଇପାରିବ ବୋଲି କହିଥିଲେ । ବୈଠକରେ ଅତିରିକ୍ତ ଜିଲ୍ଲାପାଳ ମିର୍ଦ୍ଧା ଟପ୍ପୋ, ଜିଲ୍ଲା ନିର୍ବାଚନ ଅଧିକାରୀ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କଲ୍ୟାଣୀ ଦାଶ ଓ ଅନ୍ୟ ଅଧିକାରୀମାନଙ୍କ ସମେତ ରାଜନୈତିକ ଦଳର ପ୍ରତିନିଧି ପାଣ୍ତବ କର୍ଣ୍ଣ କଂଗ୍ରେସ, ଅଶୋକ ମିତ୍ତଲ ତୃଣ ମୂଳ କଂଗ୍ରେସ, ପଦ୍ମଲୋଚନ ମାଝୀ ବିଜେଡି, କୁଶ କୁମ୍ଭାର ଭାଜପା ପ୍ରମୁଖ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.