ରାଉରକେଲାର ନିର୍ମାଣାଧୀନ ବିର୍ସାମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ ଏବଂ ବିର୍ସାମୁଣ୍ଡା ଫୁଟବଲ ଷ୍ଟାଡିୟମ ନିର୍ମାଣ କାର୍ଯ୍ୟର ଅଗ୍ରଗତିର ସମୀକ୍ଷା

ଭୁବନେଶ୍ୱର, (କେ.ସତ୍ୟନାରାୟଣ ରେଡ୍ଡୀ) : ରାଜ୍ୟ କ୍ରୀଡ଼ା ଓ ଯୁବସେବା ମନ୍ତ୍ରଣାଳୟ ବିଭାଗ ପକ୍ଷରୁ ଏବଂ ସଚିବ ସ୍ତରୀୟ ଟିମ୍‌ ପକ୍ଷରୁ ରାଉରକେଲାଠାରେ ନିର୍ମାଣାଧୀନ ଥିବା ବିର୍ସାମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ ଏବଂ ବିର୍ସାମୁଣ୍ଡା ଫୁଟବଲ ଷ୍ଟାଡିୟମ ନିର୍ମାଣ କାର୍ଯ୍ୟର ମଧ୍ୟ ଅଗ୍ରଗତି ସମୀକ୍ଷା କରାଯାଇଛି । ପଡ଼ିଲାଣି ଅଭ୍ୟାସ ପଡ଼ିଆର ଟର୍ଫ, ମୁଖ୍ୟ ଷ୍ଟାଡିୟମର କାର୍ଯ୍ୟ ନିର୍ଦ୍ଧାରିତ ସମୟ ସୁଦ୍ଧା ଶେଷ ହେବ ବୋଲି ପ୍ରକାଶ କରାଯାଇଛି । ସୂଚନା ଥାଉକି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟ ସରକାରଙ୍କ ଇଲେକ୍ଟ୍ରୋନିକ୍‌ ଏବଂ ସୂଚନା ଓ ପ୍ରଯୁକ୍ତିବିଦ୍ୟା, କ୍ରୀଡ଼ା ଓ ଯୁବସେବା ତଥା ଗୃହ ବିଭାଗର ରାଷ୍ଟମନ୍ତ୍ରୀ ତୁଷାରକାନ୍ତି ବେହେରା ରାଉରକେଲା ଗସ୍ତରେ ଆସି ନିର୍ମାଣାଧୀନ ବିର୍ସାମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମର ଅଗ୍ରଗତି ଅନୁଧ୍ୟାନ କରିଛନ୍ତି । ଖୁବଶୀଘ୍ର ଏହି ଅନ୍ତର୍ଜାତୀୟ କ୍ରୀଡ଼ା ଭିତ୍ତିଭୂମିର ନିର୍ମାଣ କାର୍ଯ୍ୟ ଶେଷ କରାଯିବ ବୋଲି ସେ ସୂଚନା ଦେଇଛନ୍ତି । ଏହି ଗସ୍ତ ବେଳେ ମନ୍ତ୍ରୀଙ୍କ ସହ କ୍ରୀଡ଼ା ଓ ଯୁବ ସେବା ବିଭାଗର ସଚିବ ଆର୍‍ ଭିନିଲ କ୍ରିଷ୍ଣା ଏବଂ ଇଡକୋ ପରିଚାଳନା ନିର୍ଦ୍ଦେଶକ ଭୁପିନ୍ଦର ସିଂହ ପୁନିଆ ମଧ୍ୟ ସାମିଲ ହୋଇଥିଲେ । ଏହି ଉଚ୍ଚସ୍ତରୀୟ ଟିମ୍‌ ବିର୍ସାମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ ସହ ନିର୍ମାଣାଧୀନ ବିର୍ସାମୁଣ୍ଡା ଫୁଟବଲ ଷ୍ଟାଡିୟମ ଏବଂ ପରେ ପରେ ଦ୍ୱିତୀୟ ବ୍ରାହ୍ମଣୀ ସେତୁ ବୁଲି ଦେଖିଥିଲେ । ବିର୍ସାମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମର ନିର୍ମାଣ କାର୍ୟ୍ୟ ବୁଲି ଦେଖିବା ପରେ ମନ୍ତ୍ରୀ ଗଣମାଧ୍ୟମକୁ କହିଥିଲେ ଯେ, ୨୦୨୩ ପୁରୁଷ ବିଶ୍ୱକପ ହକି ପାଇଁ ଷ୍ଟାଡିୟମର ବିଭିନ୍ନ ନିର୍ମାଣ କାର୍ଯ୍ୟ ଜୋରସୋରରେ ଚାଲିଛି । ଏଠାରେ ହେଉଥିବା ଅଭ୍ୟାସ ପଡ଼ିଆର ନିର୍ମାଣ କାମ ଇତିମଧ୍ୟରେ ଶେଷ ହୋଇଛି । ନିର୍ଦ୍ଧାରିତ ସମୟ ଭିତରେ ମୁଖ୍ୟ ଷ୍ଟାଡିୟମର ନିର୍ମାଣ କାର୍ଯ୍ୟ ଶେଷ ହେବ ବୋଲି କହିଛନ୍ତି ।

ଏହି ଅବସରରେ ମନ୍ତ୍ରୀ ଓ ସଚିବସ୍ତରୀୟ ଟିମ୍‌ ମୁଖ୍ୟ ଷ୍ଟାଡିୟମ ସହିତ ପ୍ରବେଶ ପଥ, ଅଭ୍ୟାସ ପଡ଼ିଆ, ଦର୍ଶକ ଗ୍ୟାଲେରୀ, ଖେଳାଳି ଓ ଅଫିସିଆଲଙ୍କ ପାଇଁ ନିର୍ମାଣ କରାଯାଉଥିବା ରହଣୀସ୍ଥଳ, ଚେଞ୍ଜିଙ୍ଗ ରୁମ, ଅତ୍ୟାଧୁନିକ ଜିମ୍‌, ଶୌଚାଳୟ ଆଦି ବୁଲି ଦେଖିଥିଲେ । ତା’ଛଡ଼ା ହକି ବିଶ୍ୱକପକୁ ଦୃଷ୍ଟିରେ ରଖି ରାଉରକେଲା ସହରରେ ବିଭିନ୍ନ ଭିତ୍ତିଭୂମିର ବିକାଶ ସହିତ ସହରର ସୌନ୍ଦର୍ଯ୍ୟକରଣ କାମ ଚାଲିଛି । ଏସବୁ କାର୍ଯ୍ୟ ସଠିକ ସମୟରେ ଶେଷ କରିବା ଲାଗି ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ, ରାଉରକେଲା ମହାନଗର ନିଗମ ଏବଂ ସ୍ମାର୍ଟ ସିଟିର ଅଧିକାରୀମାନଙ୍କୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ସୁନ୍ଦରଗଡ଼ ହେଉଛି ହକିର ଏନ୍ତୁଡ଼ିଶାଳ । ତେଣୁ ସୁନ୍ଦରଗଡ଼ ଜିଲ୍ଲାର ଗାଁ ଗହଳିରୁ ଯେଉଁ ପିଲାମାନେ ହକି ପ୍ରତି ଆଗ୍ରହୀ ହୋଇ ଆସୁଛନ୍ତି । ମୂଳରୁ ସେମାନଙ୍କ ଅଭ୍ୟାସ ପାଇଁ ବ୍ଲକ ସ୍ତରରେ ତିଆରି ହେଉଥିବା ଅନ୍ତର୍ଜାତୀୟ ମାନର ଟର୍ଫ ବିଶେଷ ସହାୟକ ହେବ । ସେମାନେ ସବୁ ଦୃଷ୍ଟିରୁ ପ୍ରସ୍ତୁତ ହୋଇ ଆଗାମୀ ଦିନରେ ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ଓଡ଼ିଶା ଏବଂ ଭାରତ ପାଇଁ ଗୌରବ ଆଣିପାରିବେ, ଯାହାକି ନିର୍ଦ୍ଧାରିତ ସମୟ ସୁଦ୍ଧା ଏହା ଶେଷ ହେବ ବୋଲି ମନ୍ତ୍ରୀ ଗଣମାଧ୍ୟମକୁ କହିଛନ୍ତି । କ୍ଷେତ୍ରସ୍ତରୀୟ ଅନୁଧ୍ୟାନ ପରେ ମନ୍ତ୍ରୀ ଏବଂ ସଚିବ ରାଉରକେଲା ବିମାନବନ୍ଦରଠାରେ ଏକ ବୈଠକ କରିଥିଲେ । ରାଉରକେଲା ସହରରେ ବିଶ୍ୱକପ ହକି ପାଇଁ ଚାଲିଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସମୀକ୍ଷା କରିଥିଲେ । ଏହି ଗସ୍ତ ବେଳେ ରାଉରକେଲା ବିଧାୟକ ଶାରଦା ପ୍ରସାଦ ନାୟକ, ସୁନ୍ଦରଗଡ଼ ଜିଲ୍ଲାପାଳ ଡାକ୍ତର ପରାଗ ହର୍ଷଦ ଗାଭାଲି, ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ତଥା ମହାନଗର ନିଗମ କମିଶନର ଡାକ୍ତର ଶୁଭଙ୍କର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ୨୦୨୩ରେ ଓଡ଼ିଶାରେ ପୁରୁଷ ହକି ବିଶ୍ୱକପର ଆୟୋଜନ ହେବାକୁ ଯାଉଛି । ଲଗାତାର ଭାବେ ଦ୍ୱିତୀୟ ଥର ପାଇଁ ଓଡ଼ିଶା ଏହି ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟର ଆୟୋଜନ କରୁଛି । ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ ସହିତ ରାଉରକେଲାଠାରେ ନିର୍ମାଣ ହେଉଥିବା ଅତ୍ୟାଧୁନିକ ବିର୍ସାମୁଣ୍ଡା ହକି ଷ୍ଟାଡିୟମରେ ଏହି ଅନ୍ତର୍ଜାତୀୟ କ୍ରୀଡ଼ାର ବିଭିନ୍ନ ମ୍ୟାଚ ଖେଳାଯିବ । ଏହି ଷ୍ଟାଡିୟମରେ ଏକାସାଙ୍ଗରେ ୨୦ ହଜାର ଦର୍ଶକ ବସି ଖେଳ ଉପଭୋଗ କରିବା ପାଇଁ ସୁବିଧା କରାଯାଉଛି ।

Leave A Reply

Your email address will not be published.