ଓଡ଼ିଆପାଲିରେ ପ୍ରାଣୀ ସମ୍ପଦ ବିଭାଗ ପକ୍ଷରୁ ମାଗଣା ପ୍ରାଣୀ ଚିକିତ୍ସା ଶିବିର

ପାଟଣାଗଡ଼, (ଗୋରେଖନାଥ ବରିହା) : ପ୍ରାଣୀ ସମ୍ପଦ ବିକାଶ ବିଭାଗ, ଖପ୍ରାଖୋଲ ପକ୍ଷରୁ ଓଡ଼ିଆପାଲି ଗ୍ରାମରେ ଗ୍ରାମ ପଞ୍ଚାୟତ ଅଫିସ୍ ପ୍ରାଙ୍ଗଣରେ ପ୍ରାଣୀ ପାଳକମାନଙ୍କ ପାଇଁ ମାଗଣା ପ୍ରାଣୀ ଚିକିତ୍ସା, ଟୀକାକରଣ, କୃମୀ ନିରାକରଣ ଶିବିର ଅନୁଷ୍ଠିତ ହୋଇଛି । ଉକ୍ତ ଚିକିତ୍ସା ଶିବିରରେ ୪୮ ଜଣ ପ୍ରାଣୀ ପାଳକଙ୍କ ଗାଈ, ବଳଦ, ଛେଳି, ମେଣ୍ଢା, କୁକୁଡ଼ା, ବତକ ଆଦିଙ୍କୁ କୃମି ଔଷଧ, ଭିଟାମିନ, ହଜମି ପାଉଡର, ଲିଭର୍ ଟନିକ ଦିଆଗଲା । ଖପ୍ରାଖୋଲ ବ୍ଲକ୍‌ର ଗୋଷ୍ଠୀ ପ୍ରାଣୀ ସମ୍ପଦ ଅଧିକାରୀ ଡ଼ା ସୁଜିତ କୁମାର ଶତପଥୀ ଏବଂ ଖପ୍ରାଖୋଲ ତହସିଲଦାର ଆଦିତ୍ୟ ପ୍ରସାଦ ମିଶ୍ରଙ୍କ ମିଳିତ ନେତୃତ୍ୱରେ ଓଡ଼ିଆ ପାଲି ଗ୍ରାମର ଗୋଚର ଭୂମିକୁ ଜବରଦଖଲ ମୁକ୍ତ କରି ପ୍ରାଣୀ ପାଳକ ମାନଙ୍କ ପ୍ରାଣୀ ସମ୍ପଦ ପାଇଁ ଉପଯୋଗୀ କରିବା ସକାଶେ ଏକ ସଚେତନତା ବାର୍ତ୍ତା ଦିଆଯାଇଛି । ଉକ୍ତ ସଚେତନତା ତଥା ମାଗଣା ପ୍ରାଣୀ ଚିକିତ୍ସା ଶିବିରରେ ଓଡ଼ିଆପାଲି ସରପଞ୍ଚଙ୍କୁ ନିମନ୍ତ୍ରଣ କରାଯାଇ ଯୋଜନାର ସଫଳ ରୂପାୟନ ପାଇଁ ସହଯୋଗ ନିମନ୍ତେ ଅନୁରୋଧ କରାଯାଇଛି । ଅତିରିକ୍ତ ପ୍ରାଣୀ ଚିକିତ୍ସା ଅଧିକାରୀ ଡ଼ା ରାକେଶ କୁମାର ବେଦବାକ ଶିବିର ପରିଚାଳନା କରିଥିବା ବେଳେ ସୁରେଶ ସେଲମା ଏବଂ ସତ୍ୟାନନ୍ଦ ଭୋଇ ଶିବିରରେ ସହଯୋଗ କରିଥିଲେ ।

Leave A Reply

Your email address will not be published.