ବିଶ୍ୱ ଯୁବ ସଶକ୍ତିକରଣ ଦିବସରେ ଯୁବ ଦକ୍ଷତା ବିକାଶ ନିମନ୍ତେ ଷ୍ଟାର୍ଟଅଫ ସଂସ୍ଥା ସହିତ ବୁଝାମଣା ପତ୍ର ସ୍ୱାକ୍ଷରିତ

  • ପ୍ରତିବର୍ଷ ଦଶ ହଜାର କୁଶଳୀ ଯୁବଶକ୍ତି ସୃଷ୍ଟି ଲକ୍ଷ୍ୟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ବିଶ୍ୱ ଯୁବ ସଶକ୍ତିକରଣ ଦିବସ ପାଳନ ଅବସରରେ ରାଜ୍ୟ ବୈଷୟିକ ଶିକ୍ଷା ପ୍ରଶିକ୍ଷଣ ନିର୍ଦ୍ଦେଶାଳୟ ତରଫରୁ ଭୁବନେଶ୍ୱର ଚନ୍ଦ୍ରଶେଖରପୁରସ୍ଥିତ ସରକାରୀ ପଲିଟେକ୍‌ନିକ୍‌ ମହାବିଦ୍ୟାଳୟ ସହିତ ଷ୍ଟାର୍ଟଅଫ୍‌ ସଂସ୍ଥା ‘ସ୍କାଏ ରାଏଡର’ ଓ ସ୍କାଏ ରାଇଡର ଇଲେକ୍ଟ୍ରିକ୍‌’ ଏବଂ ‘ଏରୋ ରୋଭର୍ସ’ ସଂସ୍ଥା ସହିତ ତିନିଗୋଟି ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଯାଇଛି । ଡିଟିଇଟିର ନିର୍ଦ୍ଦେଶକ ରେଘୁ ଜି.ଙ୍କର ଉପସ୍ଥିତିରେ ସରକାରୀ ପଲିଟେକ୍‌ନିକ୍‌ ମହାବିଦ୍ୟାଳୟର ଅଧ୍ୟକ୍ଷ ସୁଶାନ୍ତ କୁମାର ପାତ୍ର, ସ୍କାଏ ରାଇଡର ସଂସ୍ଥାର ମୁଖ୍ୟ ହିମାଂଶୁ ଶେଖର ପଣ୍ଡା ଓ ସ୍କାଏ ରାଇଡର ଇଲେକ୍ଟ୍ରିକ୍‌ର ମୁଖ୍ୟ ନିହାର ରଞ୍ଜନ ପଣ୍ଡା ଓ ଏରୋ ରୋଭର୍ସ ପକ୍ଷରୁ ଅନୁଷ୍ଠାନର ମୁଖ୍ୟ ଯଯାତି ମହାନ୍ତି ବୁଝାମଣା ପତ୍ରରେ ସ୍ୱାକ୍ଷର କରିଥିଲେ । ସ୍ୱାକ୍ଷରିତ ବୁଝାମଣା ପତ୍ର ଅନୁସାରେ ସ୍କାଏ ରାଇଡର ସଂସ୍ଥା ସହିତ ସରକାରୀ ପଲିଟେକ୍‌ନିକ୍‌ କଲେଜର ମିଳିତ ଉଦ୍ୟମରେ କୌଶଳ ତାଲିମ କେନ୍ଦ୍ର (ସ୍କିଲ ଡେଭ୍‌ଲପ୍‌ମେଣ୍ଟ ସେଣ୍ଟର) ସ୍ଥାପନ କରାଯିବ । ଏହାଦ୍ୱାରା ରାଜ୍ୟ ତଥା ଦେଶର ଯୁବପିଢିଙ୍କୁ ଉଚ୍ଚକୋଟୀର ବୈଷୟିକ କୌଶଳ ଶିକ୍ଷା ପ୍ରଦାନ କରାଯାଇପାରିବ । ଏଠାରେ ଅଶୀରୁ ଅଧିକ ପାଠ୍ୟକ୍ରମ ଆରମ୍ଭ କରାଯିବ, ଯଦ୍ୱାରା ସାରା ଦେଶରୁ ଛାତ୍ରଛାତ୍ରୀମାନେ ଆସି ତାଲିମ ଗ୍ରହଣ କରିପାରିବେ ଏବଂ ବୈଷୟିକ କୌଶଳରେ ପାରଙ୍ଗମ ହୋଇପାରିବେ । ଏହାଦ୍ୱାରା ଆଗାମୀ ଦିନରେ ପ୍ରତିବର୍ଷ ଦଶ ହଜାର କୁଶଳୀ ଛାତ୍ରଛାତ୍ରୀଙ୍କୁ ନିଯୁକ୍ତି ପ୍ରଦାନର ଲକ୍ଷ୍ୟ ରହିଛି । ବିଭାଗୀୟ ନିର୍ଦ୍ଦେଶକ ରେଘୁ ଜି. ଯୋଗଦେଇ କହିଲେ ଯେ, ରାଜ୍ୟ ସରକାର ବୈଷୟିକ ଶିକ୍ଷା ନିର୍ଦ୍ଦେଶାଳୟ ଏବଂ ଦକ୍ଷତା ବିକାଶ କତ୍ତୃପକ୍ଷଙ୍କ ଜରିଆରେ ଛାତ୍ରଛାତ୍ରୀ ମାନଙ୍କୁ ନିଯୁକ୍ତି ସହାୟତା ପ୍ରଦାନ ପରିପ୍ରେକ୍ଷୀରେ ବୈଷୟିକ ଶିକ୍ଷା ପ୍ରଦାନ କରୁଛନ୍ତି । ଏହି ବୁଝାମଣା ପତ୍ର ସ୍ୱାକ୍ଷର ଷ୍ଟାର୍ଟଅଫ୍‌ ଗୁଡିକର ବିକାଶରେ ସହାୟତା ପ୍ରଦାନ କରିବା ସହିତ ଛାତ୍ରଛାତ୍ରୀମାନଙ୍କୁ ପ୍ରଶିକ୍ଷଣ ପରେ ନିଯୁକ୍ତି ସହାୟତା ପ୍ରଦାନ କରିବ ବୋଲି ନିର୍ଦ୍ଦେଶକ ପ୍ରକାଶ କରିଥିଲେ । ସ୍କାଏ ରାଇଡର ସଂସ୍ଥା ତରଫରୁ ଇଲେକ୍ଟ୍ରିକ ଯାନର ଆଗାମୀ ସମୟର ସମ୍ଭାବନାକୁ ନେଇ ୧୬ ପ୍ରକାରର ବୈଦ୍ୟୁତିକ ଯାନ ମଡେଲ ଉତ୍ପାଦନ କରାଯିବ । ଏହି ବିଦ୍ୟୁତ୍‌ ପରିଚାଳିତ ଯାନ ବିଭିନ୍ନ ଶିଳ୍ପ ସଂସ୍ଥା, ଡାକ୍ତରଖାନା, ସରକାରୀ ଓ ବେସରକାରୀ ସଂସ୍ଥା ତଥା ଜନସାଧାରଣଙ୍କର ଉପଯୋଗୀ ହୋଇପାରିବ । ସେହିପରି ଏରୋ ରୋଭର୍ସ ସଂସ୍ଥା ତରଫରୁ ଡ୍ରୋନ୍‌ କ୍ୟାମେରା ଉତ୍ପାଦନ, ରକ୍ଷଣାବେକ୍ଷଣ ଓ ଉଡାଣ(ପାଇଲଟିଂ) ଆଦି କୌଶଳ ପ୍ରଶିକ୍ଷଣ ପ୍ରଦାନର ବ୍ୟବସ୍ଥା ରହିଛି, ଯାହାଦ୍ୱାରା ଛାତ୍ରଛାତ୍ରୀ ବା ଇଚ୍ଛୁକ ଯୁବବର୍ଗ ତାଲିମ ପାଇ ନିଜେ ସ୍ୱାବଲମ୍ବୀ ହେବା ସହିତ ବିଭିନ୍ନ ଶିଳ୍ପ ସଂସ୍ଥା, କୃଷି କ୍ଷେତ୍ର, ସରକାରୀ କାର୍ଯ୍ୟ ଏବଂ ବିଭିନ୍ନ ଭିଡିଓ ଚିତ୍ର ଉତ୍ତୋଳନକାରୀ ସଂସ୍ଥାରେ କାର୍ଯ୍ୟରେ ନିଯୁକ୍ତି ପାଇପାରିବେ । କାର୍ଯ୍ୟକ୍ରମରେ ସରକାରୀ ପଲିଟେକ୍‌ନିକ୍‌ କଲେଜର ସମସ୍ତ କର୍ମକର୍ତ୍ତା, ଅଧ୍ୟାପକ, ଅଧ୍ୟାପିକା, ଛାତ୍ରଛାତ୍ରୀ, ସ୍କାଏ ରାଇଡରର ଛାତ୍ରଛାତ୍ରୀ ଏବଂ ନିଯୁକ୍ତିପ୍ରାପ୍ତ ପୂର୍ବତନ ଛାତ୍ରଛାତ୍ରୀ ଯୋଗଦେଇଥିଲେ । ମହାବିଦ୍ୟାଳୟର ବରିଷ୍ଠ ଅଧ୍ୟାପିକା ତନୁଜା ଦାସ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ।

Leave A Reply

Your email address will not be published.