ଅର୍ବାନ ବ୍ୟାଙ୍କ ନିର୍ବାଚନରେ ମିଳିତ ମଂଚର ପଲ୍ଲାଭାରୀ

ରାଉରକେଲା, (ସସ୍ମିତା ପ୍ରଧାନ) : ଆଉ ମାତ୍ର ଦୁଇଟା ଦିନପରେ ରାଉରକେଲା ଅର୍ବାନ ବ୍ୟାଙ୍କ ନିର୍ବାଚନ । ଏହି ନିର୍ବାଚନରେ ବିଜେଡି ବିଭକ୍ତ ହୋଇଥିବା ବେଳେ ମିଳିତ ମଂଚ ପ୍ୟାନେଲର ପଲ୍ଲା ଭାରି ଥିବା ଆକଳନ କରାଯାଇଛି । ନିର୍ବାଚନ ପ୍ରକ୍ରିୟାରେ ଗୋଟିଏ ପ୍ୟାନେଲରେ ଆଦିତ୍ୟ ମହାପାତ୍ର ସଭାପତି ପ୍ରାର୍ଥୀ ଭାବେ ଓହ୍ଲାଇ ଥିବା ବେଳେ ଟିଏ ବିଲ୍‌ର ବକେୟା ଖିଲାପକାରୀ ହିସାବରେ ନାମାଙ୍କନ ପତ୍ର ନାକଚ ହୋଇଛି । ସେହିପରି ଅନ୍ୟତମ ନିର୍ଦ୍ଦେଶକ ପ୍ରାର୍ଥୀ ସୁଦର୍ଶନ ମିଶ୍ର ଅର୍ବାନ ବ୍ୟାଙ୍କ ସହ ଚୁକ୍ତିନାମା କରି ଆର୍ଥିକ ଲାଭ ସଂସ୍ଥା ସହ ଜଡିତ ରହି ଲାଭାନ୍ୱିତ ହୋଇଥିବାରୁ ତାଙ୍କର ନାମାଙ୍କନ ପତ୍ରଟିକୁ ନିର୍ବାଚନ ଅଧିକାରୀ ନାକଚ କରି ଦେଇଛନ୍ତି । ପ୍ରଥମରୁ ଏହି ବରିଷ୍ଠ ସଭ୍ୟଙ୍କ ନାମାଙ୍କନ ପତ୍ର ନାକଚ ହେବାରୁ ସେ ଦେଇଥିବା ପ୍ୟାନେଲ ପ୍ରତି ଶକ୍ତ ଝଟକା ଲାଗିଥିଲା । ନିଜର ନାମାଙ୍କନ ପତ୍ର ବଂଚାଇ ପାରୁନଥିବା ବ୍ୟକ୍ତି ବ୍ୟାଙ୍କ ସଭାପତି ଭାବେ କିପରି ବ୍ୟାଙ୍କ ଚଳାଇ ଥାନ୍ତେ ତାହା ସାଧାରଣରେ ଚର୍ଚ୍ଚା ଜୋର ଧରିଛି । ସେହି ପ୍ୟାନେଲର ଅନ୍ୟତମ ୧୫ ନମ୍ବର ପ୍ରାର୍ଥୀ ଲକ୍ଷ୍ମୀଧର ପାଣିଗ୍ରାହୀ ସ୍ୱଇଚ୍ଛାରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିନେଲେ । ଫଳରେ ମିଳିତ ପ୍ୟାନେଲର ମାଠିଆ ଚିହ୍ନର ସଭାପତି ପ୍ରାର୍ଥୀ ଦିଲିପ ମହାପାତ୍ରଙ୍କ ପ୍ୟାନେଲର ୩ଜଣ ଅପ୍ରତିଦ୍ଵନ୍ଦୀ ଭାବେ ପରିଚାଳନା ପରିଷଦକୁ ନିର୍ବାଚିତ ହେଲେ । ଅନ୍ୟ ପକ୍ଷରେ ରାଉରକେଲାର ଅପ୍ରତିଦ୍ଵନ୍ଦୀ ନେତା ପୂର୍ବତନ ମନ୍ତ୍ରୀ ଦିଲିପ ରାୟଙ୍କ ଆଶୀର୍ବାଦ ଓ ଶୁଭେଚ୍ଛା ଦିଲିପ ମହାପାତ୍ରଙ୍କ ପ୍ୟାନେଲ ପ୍ରତି ଥିବାରୁ ଅଂଶୀଦାର ମାନଙ୍କର ମାଠିଆ ଚିହ୍ନ ପ୍ରତି ସମର୍ଥନ ବୃଦ୍ଧି ପାଇବାରେ ଲାଗିଛି । ରାଜ୍ୟର ବରିଷ୍ଠ ବିଜେଡି ନେତାଙ୍କ ମାଠିଆ ଚିହ୍ନ ପ୍ରତି ମଧ୍ୟ ଦେଖିବାକୁ ମିଳୁଛି । ସେହିପରି ଜୁଏଲ୍‌ଙ୍କ ଅତ୍ୟନ୍ତ ନିକଟତର ପୂର୍ଣ୍ଣିମା କେରକେଟା ମାଠିଆ ଚିହ୍ନରେ ପ୍ରାର୍ଥୀ ହୋଇଥିବାରୁ ଜୁଏଲଙ୍କ ସମର୍ଥନ ମଧ୍ୟ ରହିଛି । ରଘୁନାଥପାଲି ବିଧାୟକ ତଥା ସୁନ୍ଦରଗଡ ସମବାୟ ନିର୍ବାଚନ ପରିଚାଳନା ସମିତିର ଅଧ୍ୟକ୍ଷ ସୁବ୍ରତ ତରାଇଙ୍କ ସମର୍ଥନ ଦିଲିପ ମହାପାତ୍ରଙ୍କ ପ୍ୟାନେଲ ପ୍ରତି ରହିଛି । ସେହିପରି ଚ୍ୟାମ୍ବର ଅଫ୍‌ କମର୍ସର ସଭାପତି ସଂପାଦକଙ୍କ ସମେତ ବହୁ ବରିଷ୍ଠ ସଦସ୍ୟଙ୍କ ସମର୍ଥନ ମଧ୍ୟ ରହିଛି । ଏହି ଦଳ ପ୍ରତି ମଧ୍ୟ କଂଗ୍ରେସ ଦଳର ବରିଷ୍ଠ କର୍ମକର୍ତ୍ତାଙ୍କ ସମର୍ଥନ ରହିଛି । ସର୍ବୋପରି ରାଉରକେଲା ରାଜନୀତିରେ ଦିଲିପ ରାୟଙ୍କ ଆଶୀର୍ବାଦ ଯାହା ପ୍ରତି ରହିଛି ତାଙ୍କର ଜିତାପଟ ଘଟିଛି । ଉଦାହରଣ ସ୍ୱରୂପ ତାଙ୍କ ସମର୍ଥନ ଦ୍ୱାରା ଚ୍ୟାମ୍ବର ଅଫ କମର୍ସ, ରାଉରକେଲା ଶ୍ରମିକ ସଂଘ ଟ୍ରେଡ୍ ୟୁନିୟନ ପରି ନିର୍ବାଚନରେ ଜିତାପଟ ଘଟିଛି । ସେହିପରି ପରିଚାଳନା ପରିଷଦର ପ୍ରାକ୍ତନ ସଭାପତି ରାଜେଶ ମହାପାତ୍ରଙ୍କ ସମୟ କାଳରେ ବ୍ୟାଙ୍କର ଏନ୍‌ପିଏ ହ୍ରାସ କରିବା, ଡିପୋଜିଟ ବୃଦ୍ଧି କରିବା, ଶକ୍ତିନଗର ବ୍ରାଞ୍ଚକୁ ଆମ୍ଭାଗାନ ନିକଟକୁ ଆର୍‌ବିଆଇର ଅନୁମତି କ୍ରମେ ସେଠାକୁ ସ୍ଥାନାନ୍ତର କରିବା, ଡେଲି ମାର୍କେଟ ଓ ରାଜଗାଙ୍ଗପୁର ବ୍ରାଞ୍ଚକୁ ନୂତନତ୍ୱ ପ୍ରଦାନ କରିବା, ବ୍ୟାଙ୍କକୁ ସମୃଦ୍ଧ ଏବଂ ବ୍ୟାଙ୍କ ସ୍ୱାସ୍ଥ୍ୟ ବୃଦ୍ଧିରେ ସହାୟକ ହୋଇଥିବାରୁ ଅଂଶୀଦାର ଓ ଜମାକାରୀ ଗ୍ରାହକଙ୍କ ମଧ୍ୟରେ ଲୋକପ୍ରିୟତା ଓ ବିଶ୍ୱସନୀୟତା ରାଜେଶ ମହାପାତ୍ରଙ୍କ ଥିବାରୁ ତାଙ୍କର ସମର୍ଥନ ଦିଲିପ ମହାପାତ୍ରଙ୍କ ପ୍ୟାନେଲକୁ ସୁବିଧା ଜନକ ସ୍ଥିତିରେ ରଖିଛି । ଅନ୍ୟ ପଟରେ ଆଦିତ୍ୟ ମହାପାତ୍ରଙ୍କ ପ୍ୟାନେଲରେ କିଏ ସଭାପତି ହେବ ତାହା ସ୍ପଷ୍ଟ ହୋଇନଥିବା ବେଳେ ଅନ୍ୟ ପ୍ରାର୍ଥୀ ମାନେ ଏହି ନିର୍ବାଚନ ବୈତରଣୀ ପାର ହେବା ପାଇଁ ଉଦ୍ୟମ ଚଳାଇଛନ୍ତି । ତେବେ ଦିଲିପ ମହାପାତ୍ରଙ୍କ ପ୍ୟାନେଲ ସାମୁହିକ ଶକ୍ତି ପାଇଥିବାରୁ ମାଠିଆ ଦଳ ସେମାନଙ୍କ ଉପରେ ଭାରି ପଡିବ ବୋଲି ରାଜନୀତି ସମୀକ୍ଷକଙ୍କ ମହଲରେ ମତ ପ୍ରକାଶ ପାଉଛି ।

Leave A Reply

Your email address will not be published.