ଟ୍ରେନରେ ଛାଡି ଦେଇଥିଲେ ୧୬ ଲକ୍ଷର ସୁନାଗହଣା : ଫେରାଇଲା ବଲାଙ୍ଗିର ଆର୍‌ପିଏଫ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ଭୁଲ ବଶତଃ ଟ୍ରେନରେ ଛାଡି ଦେଇଥିଲେ ସୁନା ଅଳଙ୍କାର । ସେହି ସୁନା ଅଳଙ୍କାରକୁ ଉଦ୍ଧାର କରି ରେଳ ଯାତ୍ରୀଙ୍କୁ ଫେରାଇଲା ରେଳବାଇ ପୁଲିସ । ହାୱଡାରୁ ରାଉରକେଲା ଅଭିମୁଖେ ଆସୁଥିବା ଦମ୍ପତି ଭୁଲରେ ଲକ୍ଷାଧିକ ଟଙ୍କାର ସୁନାଗହଣା ଟ୍ରେନରେ ଛାଡି ଦେଇଥିବାବେଳେ ପୁଲିସ ତାକୁ ଉଦ୍ଧାର କରି ସୁରକ୍ଷିତ ଭାବରେ ଫେରାଇ ଦେଇଛି । ମିଳିଥିବା ସୂଚନା ଅନୁସାରେ ହାୱଡା ନିବାସୀ ଶ୍ୟାମ ତେବେରୱାଲ ଓ ତାଙ୍କର ସ୍ତ୍ରୀ ଅଂଶୁ ଏକ ବାହାଘରକୁ ଗତ ସୋମ‌ବାର ରାଉଲକେଲା ଆସିଥିଲେ । ହାୱଡାରୁ ଜଗଦଲପୁର ଯାଉଥିବା ସମଲେଶ୍ୱରୀ ଏକ୍ସପ୍ରେସରେ ବସି ଯାତ୍ରା କରୁଥିଲେ । ଓହ୍ଲାଇବା ସମୟରେ ଭୁଲ ବଶତଃ ତାଙ୍କର ସୁନାଗହଣା ଭର୍ତି ବ୍ୟାଗକୁ ସେଠାରେ ଛାଡିଦେଇଥିଲେ । ତେବେ ଟ୍ରେନଟି ବଲାଙ୍ଗିର ଜଙ୍କସନକୁ ପହଞ୍ଚିବା ସମୟରେ ରେଳବାଇ ପୁଲିସର ଜଣେ କର୍ମଚାରୀ ବ୍ୟାଗ ଦେଖିଥିଲେ । ତାକୁ ଉଦ୍ଧାର କରି ଥାନାରେ ଜଣାଇବା ପରେ ଯାତ୍ରୀଙ୍କ ସମ୍ପୂର୍ଣ୍ଣ ତଥ୍ୟ ହାସଲ କରି ବଲାଙ୍ଗିର ରେଳବାଇ ପୁଲିସ ତାଙ୍କୁ ଫୋନ କରିଥିଲା । ଏତେବେଳ ପର୍ଯ୍ୟନ୍ତ ସେ ସୁନାଗହଣା ଛାଡିଥିବା କଥା ଜାଣି ନଥିଲେ । ପୁଲିସଠାରୁ ଖବର ପାଇବା ପରେ ସେମାନେ ସଙ୍ଗେସଙ୍ଗେ ବଲାଙ୍ଗିର ଆସି ସୁନାଗହଣା ପାଇଥିବା କହିଛନ୍ତି । ସୁନାଗହଣାର ମୂଲ୍ୟ ୧୬ ଲକ୍ଷରୁ ଅଧିକ ହେବ ବୋଲି ସେମାନେ କହିଛନ୍ତି । ସେମାନେ ରେଳବାଇ ପୁଲିସକୁ ଧନ୍ୟବାଦ ଦେବା ସହ ତାଙ୍କ କାର୍ଯ୍ୟକୁ ପ୍ରଶଂସା କରିଛନ୍ତି ।

Leave A Reply

Your email address will not be published.

14 + twenty =