ଆରଓବି ଭୁବନେଶ୍ଵର ପକ୍ଷରୁ ‘ପ୍ରଶାସନିକ ସେବା ଏବଂ ନୂତନ ଭାରତ’ ଶୀର୍ଷକ ୱେବିନାର ଆୟୋଜିତ

ଦେଶର ଆଶା ଓ ଆକାଂକ୍ଷା ପୂରଣ କରିବା ଦିଗରେ ପ୍ରଶାସନିକ ସେବା ଅଧିକାରୀମାନେ କାର୍ୟ୍ୟ କରିବା ଉଚିତ୍ : ବିଶେଷଜ୍ଞ

ଭୁବନେଶ୍ଵର, (ପିଆଇବି) : ଏପ୍ରିଲ ୨୧ : ବର୍ତ୍ତମାନର ପ୍ରଶାସନିକ ସେବା ଅଧିକାରୀମାନେ ଦ୍ରୁତ ପରିବର୍ତ୍ତନଶୀଳ ବିଶ୍ଵ ସହିତ ଖାପଖୁଆଇ କାର୍ୟ୍ୟ କରିବା ଉଚିତ୍ । ସେମାନେ ଦେଶବାସୀଙ୍କ ଆଶା ଓ ଆକାଂକ୍ଷା ପୂରଣ କରିବା ଦିଗରେ କାର୍ୟ୍ୟ କରିବା ଆବଶ୍ୟକ । ଭୁବନେଶ୍ଵରସ୍ଥିତ ଆଞ୍ଚଳିକ ଜନ ସମ୍ପର୍କ କାର୍ୟ୍ୟାଳୟ (ଆରଓବି) ପକ୍ଷରୁ ଆୟୋଜିତ ‘‘ପ୍ରଶାସନିକ ସେବା ଏବଂ ନୂତନ ଭାରତ ଶୀର୍ଷକ’’ ୱେବିନାରରେ ବିଶେଷଜ୍ଞମାନେ ଏହା କହିଛନ୍ତି ।
ଏହି ୱେବିନାରରେ ବିଶେଷଜ୍ଞ ବକ୍ତା ଭାବେ ଅଂଶଗ୍ରହଣ କରି ଓଡ଼ିଶା ସରକାରଙ୍କ ହସ୍ତତନ୍ତ, ବୟନ ଏବଂ ହସ୍ତଶିଳ୍ପ ବିଭାଗର କମିଶନର ତଥା ସଚିବ ଶ୍ରୀମତୀ ଶୁଭା ଶର୍ମା କହିଥିଲେ ଯେ ପ୍ରଯୁକ୍ତି ଏବଂ ସାମାଜିକ ଗଣମାଧ୍ୟମ ଆଜିର ଦୁନିଆରେ ପରିବର୍ତ୍ତନକାରୀ ଭୂମିକା ନିର୍ବାହ କରୁଛନ୍ତି । ବର୍ତ୍ତମାନର ପ୍ରଶାସନିକ ଅଧିକାରୀମାନେ ପ୍ରଯୁକ୍ତି, ସାମାଜିକ ଗଣମାଧ୍ୟମକୁ ଗ୍ରହଣ କରିବା ଉଚିତ୍ ଏବଂ ଜନସେବାରେ ଏହାର ସର୍ବୋତ୍ତମ ଉପଯୋଗ କରିବା ଆବଶ୍ୟକ ବୋଲି ସେ କହିଥିଲେ ।
କଟକ ମହାନଗର ଉପ ଆରକ୍ଷୀ ଆୟୁକ୍ତ ଶ୍ରୀ ପ୍ରତୀକ ସିଂ ଏହି ୱେବିନାରରେ ଅଂଶଗ୍ରହଣ କରି ପ୍ରଶାସନିକ ସେବା ଅଧିକାରୀମାନଙ୍କ ପରିବର୍ତ୍ତିତ ଭୂମିକା ବିଷୟରେ ଆଲୋଚନା କରିଥିଲେ । ଶ୍ରୀ ସିଂ କହିଥିଲେ ଯେ ପ୍ରଶାସନିକ ସେବା ଅଧିକାରୀମାନେ ଦେଶର ଆଶାଆକାଂକ୍ଷା ପ୍ରତି ଧ୍ୟାନ ଦେବା ସହିତ ତଦନୁଯାୟୀ କାର୍ୟ୍ୟ କରିବା ଆବଶ୍ୟକ । ସେମାନେ ଆତ୍ମନିର୍ଭର ଭାରତ ସଂକଳ୍ପକୁ ସାକାର କରିବା ଦିଗରେ କାର୍ୟ୍ୟ କରିବା ଉଚିତ୍ ।
ଏହି କାର୍ୟ୍ୟକ୍ରମରେ ଭୋପାଳସ୍ଥିତ ଜାତୀୟ ଆଇନ ସଂସ୍ଥାନ ବିଶ୍ଵବିଦ୍ୟାଳୟର ଡିନ୍ ଡକ୍ଟର ତପନ ରଞ୍ଜନ ମହାନ୍ତି ଅଂଶଗ୍ରହଣ କରିଥିଲେ । ପ୍ରଶାସନିକ ସେବା ମହତ୍ୱ ଉପରେ ଆଲୋକପାତ କରିବା ସହ ରାଷ୍ଟ୍ର ନିର୍ମାଣରେ ଏହାର ଯୋଗଦାନ ଉପରେ ସେ ବିସ୍ତୃତ ଭାବେ ଆଲୋଚନା କରିଥିଲେ । ସେ କହିଥିଲେ ଯେ, ଭାରତ କେବଳ ଏକ ରାଷ୍ଟ୍ର ନୁହେଁ ଏହା ଏକ ବିଚାର । ସ୍ୱାଧୀନତା ପରେ ଦେଶର ନୀତି ନିର୍ଦ୍ଧାରକମାନେ ଏହି ବିଚାର ପୋଷଣ କରିଥିଲେ ଏବଂ ଭାରତକୁ ଆଜିର ସ୍ଥିତିରେ ପହଞ୍ଚାଇବା ଲାଗି ଯୋଗଦାନ ଦେଇଥିଲେ । ପ୍ରଶାସନିକ ସେବା ଅଧିକାରୀମାନଙ୍କର ପୂର୍ବରୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା, ବର୍ତ୍ତମାନ ରହିଛି ଏବଂ ଆଗକୁ ମଧ୍ୟ ରହିବ ବୋଲି ସେ କହିଥିଲେ ।
ଆରଓବି ଭୁବନେଶ୍ଵରର ଅତିରିକ୍ତ ମହାନିର୍ଦ୍ଦେଶକ ଶ୍ରୀ ଅଖିଳ କୁମାର ମିଶ୍ର ବ୍ୟାପକ ଭାବେ ପ୍ରଶାସନିକ ସେବାର କ୍ରମବିକାଶ ବିଷୟରେ କହିଥିଲେ ଏବଂ ଏହାର ମୂଳଦୁଆ ଉପରେ ବିଶେଷ ଭାବେ ଆଲୋଚନା କରିଥିଲେ । ଶ୍ରୀ ମିଶ୍ର କହିଥିଲେ ଯେ ପ୍ରଶାସନିକ ସେବାର ୫ଟି ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ ହେଉଛି – ଆଇନ ପ୍ରତି ସମ୍ମାନ, ନିରପେକ୍ଷତା, ସ୍ୱାଧୀନତା, ପେସାଗତ ମନୋଭାବ ଏବଂ କର୍ତ୍ତବ୍ୟ ନିଷ୍ଠା
ଏହି ୱେବିନାରରେ ଦେଶ ତଥା ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ବୁଦ୍ଧିଜୀବୀ, ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ । ୱେବିନାରର ବୈଷୟିକ ଅଧିବେଶନ ପରେ, ଏକ ସାକ୍ଷାତକାର ଅଧିବେଶନ ଆୟୋଜନ କରାଯାଇଥିଲା । ଏଥିରେ ବିଭିନ୍ନ ଅଂଶଗ୍ରହଣକାରୀ ବିଶେଷ କରି ଛାତ୍ରଛାତ୍ରୀମାନେ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ ଓ ବିଶେଷଜ୍ଞମାନଙ୍କୁ ବିଭିନ୍ନ ପ୍ରଶ୍ନ ପଚାରିଥିଲେ । କାର୍ୟ୍ୟକ୍ରମରେ ଯୋଗ ଦେଇଥିବା ବିଶେଷଜ୍ଞମାନେ ସେମାନଙ୍କର ପ୍ରଶ୍ନର ଉତ୍ତର ଦେଇଥିଲେ ।

Leave A Reply

Your email address will not be published.