ଗଞ୍ଜାମ ସହର ସ୍ଥିତ ଐତିହାସିକ ପୋତ୍ତାଗଡ଼ର ଉନ୍ନତିକରଣ ପାଇଁ ପ୍ରଶାସନର ପଦକ୍ଷେପ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ସହରସ୍ଥିତ ଐତିହାସିକ ପୋତ୍ତାଗଡ଼ ଉନ୍ନତିକରଣ କାର୍ଯ୍ୟ ଖୁବଶୀଘ୍ର ଆରମ୍ଭ ହେବ ବୋଲି ଜଣାପଡିଛି । ଏଥିପାଇଁ ଟେଣ୍ଡର ପ୍ରକ୍ରିୟା ସରିଯାଇଛି । ଏହି ଐତିହାସିକ ପୋତ୍ତାଗଡ଼ ଉନ୍ନତିକରଣ ପାଇଁ ୬ କୋଟି ୯୭ ଲକ୍ଷ ଟଙ୍କା ବ୍ୟୟ ଅଟ୍ଟକଳ ହୋଇଥିବା ଗଞ୍ଜାମ ତହସିଲ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି । ଏହାର ନିର୍ମାଣ କାର୍ଯ୍ୟ ହାତକୁ ନେଇଥିବା ବେଳେ ନିର୍ମାଣ କାର୍ଯ୍ୟ ଶୀଘ୍ର ଆରମ୍ଭ କରିବାକୁ ପୋତ୍ତାଗଡ଼ ପରିଦର୍ଶନରେ ଆସି ଓଡ଼ିଶା ସରକାରଙ୍କ ଅତିରିକ୍ତ ମୁଖ୍ୟଶାସନ ସଚିବ ତଥା ଜଳସମ୍ପଦ ବିଭାଗର ପ୍ରମୁଖ ଶାସନ ସଚିବ ଅନୁଗର୍ଗ ପରାମର୍ଶ ଦେଇଛନ୍ତି । ଆକର୍ଷଣୀୟ ପଥରରେ ପୋତ୍ତାଗଡ଼ର ମୁଖ୍ୟ ଫାଟକ ନିର୍ମାଣ ହେବ ଏବଂ ଜଳସେଚନ ବିଭାଗ ପକ୍ଷରୁ ଋଷିକୂଲ୍ୟା ନଦୀକୁ ଖନନ କରାଯାଇ ବୋଟିଂ କ୍ଲବ ନିର୍ମାଣ କରିବାକୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହୋଇଥିବା କୁହାଯାଏ । ଏଥିସହିତ ସେଠାରେ ଫୁଡ-ପ୍ଲାଜା, ଶିଶୁ ଉଦ୍ୟାନ, ବରିଷ୍ଠ ନାଗରିକଙ୍କ ପ୍ରାତଃ- ଭ୍ରମଣ ଏବଂ ସାନ୍ଧ୍ୟ ଭ୍ରମଣ ପାଇଁ ଚତୁଃପାର୍ଶ୍ୱରେ ଆଲୋକୀକରଣ ଆଦି ପ୍ରକଳ୍ପ ନିର୍ମାଣ କରିବାକୁ ପର୍ଯ୍ୟଟନ ବିଭାଗ ଲକ୍ଷ୍ୟ ରଖିଛି । ଏହାପରେ ପ୍ରମୁଖ ଶାସନ ସଚିବ ଛତ୍ରପୁର ନିକଟସ୍ଥ ସୁଶୋଭିତ ମଧୁରଜଳ ହ୍ରଦ “ତାମ୍ପରା” ହ୍ରଦକୁ ବୁଲି ଦେଖିଥିଲେ । ସଚିବଙ୍କ ପରିଦର୍ଶନ ବେଳେ ଜଳସମ୍ପଦ ବିଭାଗର ସ୍ୱତନ୍ତ୍ର ସଚିବ ଅର୍ଚ୍ଚନା ପଟ୍ଟନାୟକ, ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ, ବ୍ରହ୍ମପୁର ଉପ-ଜିଲ୍ଲାପାଳ ୱ.କୀର୍ତ୍ତି ଭାସନ୍‌, ଗଞ୍ଜାମ ତହସିଲଦାର ଅରୁଣ କୁମାର ନାୟକ, ଜଳ ପ୍ରଭାରୀ ତଥା ଜଳସେଚନ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ବିଜୟ କୁମାର ମିଶ୍ର, ଅଶ୍ୱିନୀ କୁମାର ମହାପାତ୍ର, ଋଷିକୁଲ୍ୟା, ବାହୁଦା, ବଂଶଧରା, ନାଗାବଳୀନଦୀ ପ୍ରକଳ୍ପର ବେସିନ୍‌ ତଥା ବ୍ରହ୍ମପୁର ଡିଭିଜନର ମୁଖ୍ୟଯନ୍ତ୍ରୀ ଅଶ୍ୱିନୀ କୁମାର ମହାନ୍ତି ପ୍ରମୁଖଙ୍କ ସମେତ ପୋତ୍ତାଗଡ଼ ଉନ୍ନୟନ କମିଟି ସଦସ୍ୟ ରାକେଶ ରଞ୍ଜନ ଦାସ, ସୁଧୀର କୁମାର ପାଢ଼ୀ, ମନୋଜ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

error: Content is protected !!