ତିରୁପତି ଦେବସ୍ଥାନମ୍ ବିଧିଭଳି ମା’ ତାରାତାରିଣୀ ମନ୍ଦିରରେ ପ୍ରଥା ପ୍ରଚଳିତ ହେବ – ଜିଲ୍ଲାପାଳ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଦେବଭୂମି ଭାରତ ବର୍ଷର ୪ରି ଶକ୍ତିପୀଠମାନଙ୍କ ମଧ୍ୟରେ ବିଶ୍ୱବନ୍ଦନୀୟା ମା’ ତାରାତାରିଣୀ ଅନ୍ୟତମ । ଏହି ମନ୍ଦିରରେ ଏବେ ପ୍ରଚଳିତ ବିଧିବିଧାନ ସିଂହାଚଳମ୍ କ୍ଷେତ୍ର ଓ ତିରୁପତି ଦେବସ୍ଥାନମ୍ ବିଧିଭଳି ଆଦ୍ୟାଶକ୍ତି ମା’ ତାରାତାରିଣୀ ମନ୍ଦିରରେ ନୀତି-ପ୍ରଥା ପ୍ରଚଳିତ ହେବ ବୋଲି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଗତକାଲି ତାଙ୍କ ସମ୍ମିଳନୀ କକ୍ଷରେ ପରିଚାଳନା ପରିଷଦ ବର୍ଗ ଏବଂ ଉନ୍ନୟନ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରି ଏ ସମ୍ପର୍କିତ ମତ ଉପସ୍ଥାପନା କରିଛନ୍ତି । ପ୍ରକାଶ ଥାଉକି, କଳିଯୁଗର ଦ୍ୱିତୀୟାର୍ଦ୍ଧରେ ନିର୍ମିତ ଓ ପ୍ରତିଷ୍ଠିତ ଐତିହାସିକ ମନ୍ଦିର ତାରାତାରିଣୀ ପୀଠ ପରିସରରେ ବହୁବିଧ ଉନ୍ନତି, ନୂତନ ବିଗ୍ରହାଦି ସ୍ଥାପନା ହୋଇ ସୌନ୍ଦର୍ଯ୍ୟିକରଣ ସହ ନବନିର୍ମିତ ମନ୍ଦିର ଓ ପାର୍ଶ୍ଵବେଢ଼ା ଆଦି ଆଜକୁ ୨୦ବର୍ଷ ଧରି ନିର୍ମିତ ହୋଇଆସିଛି । ଏହାର ପୁନଃ-ପ୍ରତିଷ୍ଠା କରାଯିବା ନେଇ କରୋନା କଟକଣା ଲାଗି ରହିଥିବା ଭିତ୍ତିରେ ଅନେକ ପ୍ରତିବନ୍ଧକ ଆସିଥିଲା । ଏବେ ପୁନଃ-ପ୍ରତିଷ୍ଠା ନିମନ୍ତେ ଯୋଗ-ଲଗ୍ନ ନିରୂପଣ ହୋଇଥିବା ଜଣାଯାଏ । ପୂଣ୍ୟ ବୈଶାଖମାସ ଅର୍ଥାତ ଚଳିତ ଇଂରାଜୀ ବର୍ଷା ମେ’ ମାସ ୧୫ ତାରିଖରୁ ୨୦ ତାରିଖ ମଧ୍ୟରେ ବିଧିବଦ୍ଧ ଭାବେ ପୁନଃ-ପ୍ରତିଷ୍ଠା ମହୋତ୍ସବ ଯଥା ରୀତିରେ ଅନୁଷ୍ଠିତ ହେବ ବୋଲି ଜଣାପଡିଛି । ଏହି ଅବସରରେ ୧୦୦୮ କଳସ ଯାତ୍ରା, ଅଙ୍କୁରାରୋପଣ, ଅନ୍ନଯଜ୍ଞ, ଘୃତଯଜ୍ଞ ସମାହିତ ହେବା ସାଂଗକୁ ବହୁ ସାଧୁସନ୍ଥ, ଗଣକ, ଏକଶହଜଣ ପୁରୋହିତଙ୍କ ଯଜ୍ଞକାର୍ଯ୍ୟ ସମ୍ପାଦିତ ହେଉଥିବା ବିଷୟରେ ଦେବୀ ଭଗବତୀଙ୍କ ସେବାୟତ ମାନେ ବୈଠକରେ ଉପସ୍ଥାପନ କରିଛନ୍ତି । ଏହାଦ୍ଵାରା ଯଥା କାର୍ଯ୍ୟ ଆୟୋଜିତ ହେଉଥିବା ବେଳେ ଏହି ଧର୍ମସଭାରେ ପୁରୀ ଗଜପତି ମହାରାଜ, ପୁରୀ ଶଙ୍କରାଚାର୍ଯ୍ୟ ଏବଂ ମୁଖ୍ୟମନ୍ତ୍ରୀଙ୍କ ଯୋଗଦାନ ହେଉଥିବା ନିମନ୍ତେ ପ୍ରସ୍ତୁତି ବ୍ୟାପକ କରାଯାଉଥିବା ଜଣାଯାଏ । ଗଞ୍ଜାମ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନର ସହଯୋଗରେ ବିଭିନ୍ନ ବର୍ଗର ବହୁପଦାଧିକାରୀମାନଙ୍କ ଦାୟିତ୍ୱ ସୂଚାରୁରୂପେ କାର୍ଯ୍ୟ ତୁଲାଇବା ନିମନ୍ତେ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ନିକଟ ଋଷିକୂଲ୍ୟା ତୀରସ୍ଥ ଦକ୍ଷିଣ ଦିଗରେ ଅବସ୍ଥାପିତ ପୂର୍ଣ୍ଣଗିରି ଶିଖର ଶୀର୍ଷରେ ବିଦ୍ୟମାନ ସ୍ତନପୀଠରେ ଅବସ୍ଥାନ କରିଥିବା ମା’ତାରାତାରିଣୀଙ୍କ ମନ୍ଦିର ବିଶ୍ୱବନ୍ଦନୀୟା ଭାବେ ଖ୍ୟାତ । ତାରାତାରିଣୀ ନାମେ ଦୁଇଭଉଣୀ ଏକ ଓ ଅଭିନ୍ନ ରୂପରେ ପୂଜିତ । ଯାହା ପୁରାଣ ଓ ଐତିହାସିକ ସାମାରୋହର ଦିଗନ୍ତ ଦର୍ଶନ ବର୍ଣ୍ଣନାତୀତ । ତାରା ଓ ତାରିଣୀ ଦୁଇଭଉଣୀ ଏକ ଏବଂ ଅଭିନ୍ନ ରୂପରେ ପ୍ରସିଦ୍ଧ ରହିଛି । ମା’ ତାରାତାରିଣୀଙ୍କ ପ୍ରସିଦ୍ଧତା ଯୁଗେ ଯୁଗେ ଅପୂର୍ବ ମହିମାନେଇ ପ୍ରତିଷ୍ଠାଲାଭ କରିଛନ୍ତି । ସିଂହଦ୍ୱାର ଠାରୁ ଏହି ମନ୍ଦିରର ପୁରୁଣା କୀର୍ତ୍ତି ଶୋଭାପାଉଥିବା ବେଳେ ପୀଠ ପରିସରରେ କେନ୍ଦ୍ରସରକାର ଓ ରାଜ୍ୟସରକାରଙ୍କ ପ୍ରତ୍ନତାତ୍ତ୍ୱିକ ବିଭାଗ, ସଂସ୍କୃତି ଓ ପର୍ଯ୍ୟଟନ ବିଭାଗର ପୃଷ୍ଠପୋଷକତାରେ ସର୍ବାଙ୍ଗୀନ ଉନ୍ନତି ସାଧିତ ହୋଇଅଛି । ପ୍ରାୟତଃ ୫୦ କୋଟି ଟଙ୍କାର ରାଜକୋଷର ଅର୍ଥ ବିନିଯୋଗ ହୋଇଛି । କାର୍ଯ୍ୟ ଇତି ମଧ୍ୟରେ ଶେଷ ହେବାକୁ ଯାଉଛି । ପ୍ରାୟ ୫ ଲକ୍ଷରୁ ୭ ଲକ୍ଷ ଭକ୍ତଙ୍କ ସମାଗମ ତଥା ଜନଗହଳି ହେବାର ସମ୍ଭାବନାକୁ ଦୃଷ୍ଟିରେ ରଖି ଜିଲ୍ଲାପ୍ରଶାସନ ବ୍ୟବସ୍ଥାଭିତ୍ତିକ ଧ୍ୟାନ ରଖିଛି ।

ପ୍ରବଳ ଗ୍ରୀଷ୍ମ ପ୍ରବାହ ହେତୁ, ତଥା କୋଭିଡର ପ୍ରକୋପ ସମ୍ଭାବନା ହେତୁ ବାହାର ଜିଲ୍ଲା କିମ୍ବା ରାଜ୍ୟରୁ ନିମନ୍ତ୍ରଣ ନ କରି କେବଳ ଗଞ୍ଜାମ ଜିଲ୍ଲାର ବାସିନ୍ଦା ଗଣ ଉକ୍ତ ପ୍ରତିଷ୍ଠା ଉତ୍ସବରେ ସାମିଲ ହେବାକୁ ଜିଲ୍ଲାପାଳ ଅନୁରୋଧ କରିଥିଲେ । ସର୍ବୋପରି ଆଗାମୀ ଦିନରେ ଭକ୍ତି ଓ ଶାକ୍ତ ଧର୍ମରେ ଏହା ଲୋକାର୍ପିତ ହେବାକୁ ଯାଉଅଛି । ମା’ ତାରାତାରିଣୀ ପୀଠ ଦେଶର ଅନ୍ୟତମ ପ୍ରଧାନ ଶକ୍ତି ପୀଠଭାବେ ପରିଗଣିତ ହେବାକୁ ଯାଉଅଛି ବୋଲି ଗଣନା କରାଯାଏ ।

Leave A Reply

Your email address will not be published.

error: Content is protected !!