ଗୁଡ଼ହାଣ୍ଡି ଡୋକରୀଚଞ୍ଚରା ସୁବର୍ଣ୍ଣ ଜୟନ୍ତୀ ମହୋତ୍ସବ ଉଦ୍‌ଯାପିତ

  • ପାଣି ପାଇଁ ଡହଳବିକଳ ପର୍ଯ୍ୟଟକ, ଟ୍ରାଫିକ୍ ସମସ୍ୟା ନାକେଦମ୍

କଳାହାଣ୍ଡି, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ୍ ସାହାଜଖୋଲ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ୮ ଦିନ ଧରି ଚାଲିଥିବା ଗୁଡ଼ହାଣ୍ଡି ଡୋକରୀଚଞ୍ଚରା ସୁବର୍ଣ୍ଣ ଜୟନ୍ତୀ ମହୋତ୍ସବ ଉଦ୍‌ଯାପିତ ହୋଇଯାଇଛି । ଏହି ଅବସରରେ ରାମଚରିତ ମାନସ ପାଠ ସହ ପୂଣ୍ୟକୁଣ୍ଡ ସ୍ନାନ, ଡୋକରୀଦର, ଭୈରବଧାର, ଗୁଡ଼ହାଣ୍ଡି, ଶ୍ରୀରାମ ମନ୍ଦିର, ଶିବ ମନ୍ଦିର, କଳ୍ପବଟ, ଡୋକରୀ ଦେବୀ ଆଦି ପୀଠରେ ପୂଜାର୍ଚ୍ଚନା ସହ ଷୋହଳ ପ୍ରହର ନାମଯଜ୍ଞ ଅନୁଷ୍ଠିତ ହୋଇଛି । ଚଳିତ ବର୍ଷ ଅତିଥି ଭାବେ ନିର୍ବାଚିତ ପ୍ରତିନିଧିମାନେ ପର୍ଯ୍ୟଟନସ୍ଥଳୀର ବିକାଶ ଦିଗରେ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେଇଛନ୍ତି । ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ବିଭିନ୍ନ ଦିବସରେ ପର୍ଯ୍ୟଟକଙ୍କ ମନୋରଞ୍ଜନ ପାଇଁ ବିଭିନ୍ନ ଜିଲ୍ଲାରୁ ସାଂସ୍କୃତିକ ଦଳ ଯୋଗଦେଇ ନୃତ୍ୟ ପରିବେଷଣ କରିଥିଲେ । ଚଳିତ ବର୍ଷ ହଜାର ହଜାର ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ହେଲେ ଏଥର ବ୍ୟବସ୍ଥା ଠିକ୍‌ ହୋଇ ନଥିବାରୁ ପର୍ଯ୍ୟଟକଙ୍କୁ ବହୁ ଅସୁବିଧା ଭୋଗିବାକୁ ପଡ଼ିଥିଲା । ଯଦ୍ବାରା ସେମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ପର୍ଯ୍ୟଟନସ୍ଥଳୀରେ ଦୁଇଟି ନଳକୂପ ଥିଲେ ହେଁ କମ୍ ପାଣି ବାହାରୁଛି । ଯଦ୍ବାରା ପାନୀୟ ଜଳ ସମସ୍ୟା ଦେଖାଦେଉଛି । ଲୋକେ ପାଣି ପାଇଁ ବହୁ ଅସୁବିଧା ଭୋଗିଥିବା ଅଭିଯୋଗ କରିଛନ୍ତି । ପୁଣି ରାସ୍ତା ସଂକୀର୍ଣ୍ଣ ଯୋଗୁଁ ଟ୍ରାଫିକ୍ ସମସ୍ୟା ଦେଖାଦେଇଥିଲା । ପାକିଂ ବ୍ୟବସ୍ଥାକୁ ନେଇ ପର୍ଯ୍ୟଟକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା । ପୁଣି ଭିଡ଼କୁ ଦୃଷ୍ଟିରେ ରଖି ଆବଶ୍ୟକ ବ୍ୟବସ୍ଥା କରାଯାଇ ନଥିବାରୁ ଗ୍ରୀଷ୍ମ ତାତିରୁ ମୁକ୍ତି ପାଇବା ପାଇଁ ପର୍ଯ୍ୟଟକମାନେ ଗଛ ତଳେ ଆଶ୍ରୟ ନେଇଥିବା ଦେଖାଯାଇଥିଲା । ପର୍ଯ୍ୟଟନସ୍ଥଳୀର ଉନ୍ନତି ପାଇଁ ପ୍ରାୟ କୋଟିଏ ଟଙ୍କା ଅନୁଦାନ ଦେଇଛନ୍ତି । ହେଲେ ତାହା ଠିକ୍ ଭାବେ ବିନିଯୋଗ କରାଯାଉ ନଥିବା ଅଭିଯୋଗ ହେଉଛି । ତୁରନ୍ତ ପ୍ରଶାସନ ତଥା କମିଟି ସଦସ୍ୟ ଆଗାମୀ ବର୍ଷରେ ଏଥିପ୍ରତି ଦୃଷ୍ଟି ଦେବାକୁ ପର୍ଯ୍ୟଟକ ମହଲରେ ଦାବୀ ହେଉଛି ।

Leave A Reply

Your email address will not be published.

error: Content is protected !!