
- ସୁରକ୍ଷିତ ସ୍ଥାନକୁ ଯିବାକୁ ପରାମର୍ଶ
କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ) : ସମ୍ଭାବ୍ୟ ବାତ୍ୟା ଓ ଏହାର ପ୍ରଭାବରେ ଆସନ୍ତା ନଭେମ୍ବର ୩ ଓ ୪ ତାରିଖରେ ପ୍ରବଳ ବର୍ଷା ଆଶଙ୍କାକୁ ନେଇ କନ୍ଧମାଳ ଜିଲ୍ଲାରେ ସତର୍କତା ଜାରି କରିଛି ପ୍ରଶାସନ । ଲଗାଣ ବର୍ଷା ଯୋଗୁଁ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବନ୍ୟା, ଜଳବନ୍ଦୀ ଓ ଭୂସ୍ଖଳନ ଭଳି ବିପଦଜନକ ସ୍ଥିତି ସୃଷ୍ଟି ହେବାର ଆଶଙ୍କା ଥିବାରୁ ଲୋକଙ୍କୁ ଆଗୁଆ ସଚେତନ ଓ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ବିଶେଷକରି ନଦୀକୂଳ, ତଳିଆ ଅଞ୍ଚଳ, ପାହାଡ଼ିଆ ଉପତ୍ୟକା ଏବଂ ଭୂସ୍ଖଳନ ଆଶଙ୍କା ଥିବା ସ୍ଥାନରେ ବସବାସ କରୁଥିବା ପରିବାର ଗୁଡ଼ିକୁ ସତର୍କ ରହିବା ସହ ପ୍ରଶାସନର ନିର୍ଦ୍ଦେଶ ମାନି ନିକଟସ୍ଥ ବାତ୍ୟା ଆଶ୍ରୟସ୍ଥଳୀ କିମ୍ବା ଅନ୍ୟ ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ କୁହାଯାଇଛି । ଗର୍ଭବତୀ ମହିଳା, ଶିଶୁ, ବୟସ୍କ ଓ ଅସୁସ୍ଥ ବ୍ୟକ୍ତିଙ୍କୁ ବିପଦ ମୁକାବିଲା ପୂର୍ବରୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ଉପରେ ପ୍ରଶାସନ ଗୁରୁତ୍ୱ ଦେଇଛି । ସେହିପରି ବର୍ଷା ସମୟରେ ନଦୀ, ନାଳ ଓ ଜଳପ୍ଲାବିତ ରାସ୍ତାପାର ନହେବାକୁ ଚେତାବନୀ ଦିଆଯାଇଛି । ବିଦ୍ୟୁତ୍ ଖୁଣ୍ଟ, ଛିଣ୍ଡି ପଡ଼ିଥିବା ତାର ଓ ବଡ଼ ବଡ଼ ଗଛଠାରୁ ଦୂରେଇ ରହିବା ସହ ବଜ୍ରପାତ ସମୟରେ ଘରୁ ବାହାରକୁ ନଯିବାକୁ ପରାମର୍ଶ ଦିଆଯାଇଛି । ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ନଭେମ୍ବର ୩ ଓ ୪ ତାରିଖରେ ଜିଲ୍ଲାର ସମସ୍ତ ସ୍କୁଲକୁ ଛୁଟି ଘୋଷଣା କରାଯାଇଛି । ଅତ୍ୟାବଶ୍ୟକ କାମ ନଥିଲେ ଘରୁ ବାହାରିବାରୁ ନିବୃତ୍ତ ରହିବା ସହ ଘରେ ଶୁଖିଲା ଖାଦ୍ୟ, ପିଇବା ପାଣି, ଜରୁରୀ ଔଷଧ ଓ ଅନ୍ୟ ଆବଶ୍ୟକ ସାମଗ୍ରୀ ମହଜୁଦ ରଖିବାକୁ କୁହାଯାଇଛି । ପାନୀୟ ଜଳକୁ ଫୁଟାଇ ବ୍ୟବହାର କରିବା ସହ ଗୃହପାଳିତ ପଶୁଙ୍କ ସୁରକ୍ଷା ପ୍ରତି ମଧ୍ୟ ଯତ୍ନବାନ ହେବାକୁ ପରାମର୍ଶ ରହିଛି । ଅନ୍ୟପକ୍ଷରେ ବାତ୍ୟା ସମ୍ପର୍କରେ ସାମାଜିକ ଗଣମାଧ୍ୟମରେ ପ୍ରଚାରିତ ଅପ୍ରମାଣିତ ଖବର ଓ ଗୁଜବରେ ବିଶ୍ୱାସ ନକରିବାକୁ ପ୍ରଶାସନ ଅନୁରୋଧ କରିଛି । କେବଳ ଜିଲ୍ଲା ପ୍ରଶାସନ ଓ ପାଣିପାଗ ବିଭାଗର ସରକାରୀ ସୂଚନାକୁ ଅନୁସରଣ କରିବାକୁ କୁହାଯାଇଛି । ସମ୍ଭାବ୍ୟ ବିପଦକୁ ଏଡ଼ାଇବା ପାଇଁ ଆତଙ୍କିତ ନହୋଇ ସଚେତନ ରହିବା ସହ ପ୍ରଶାସନକୁ ସହଯୋଗ କରିବା ହିଁ ଏବେ ସମସ୍ତଙ୍କ ପାଇଁ ଜରୁରୀ ହୋଇପଡ଼ିଛି ।