
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସାମଗ୍ରିକ ଓ ସମନ୍ୱିତ ବିକାଶ ପାଇଁ ଗୁରୁତ୍ୱ ଦିଆଯାଇଛି । ବ୍ରହ୍ମପୁରରେ ଅନୁଷ୍ଠିତ ଜିଲ୍ଲା ଯୋଜନା କମିଟି ବୈଠକରେ ବିଭିନ୍ନ ବିଭାଗର ଉନ୍ନୟନ କାର୍ଯ୍ୟ ଓ ଆଗାମୀ ଯୋଜନା ନେଇ ବିସ୍ତୃତ ଆଲୋଚନା ହୋଇଛି । ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ତଥା ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିଲା । ଜିଲ୍ଲାର ବିକାଶ ପାଇଁ ସମସ୍ତ ବିଭାଗ ମଧ୍ୟରେ ସମନ୍ୱୟ ରଖି କାର୍ଯ୍ୟ କରିବା ସହ ଲୋକଙ୍କ ଆବଶ୍ୟକତାକୁ ସର୍ବାଧିକ ପ୍ରାଥମିକତା ଦେବାକୁ ଅଧ୍ୟକ୍ଷ ପରାମର୍ଶ ଦେଇଥିଲେ । ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ଗଞ୍ଜାମ ଜିଲ୍ଲାର ବାର୍ଷିକ ଯୋଜନାରେ ୮ ହଜାର ୧୧ କୋଟି ୮୯ ଲକ୍ଷ ଟଙ୍କାର ପ୍ରସ୍ତାବ ରହିଛି । ଗତବର୍ଷ ଏହା ୬ ହଜାର ୨୫୨ କୋଟି ୨୦ ଲକ୍ଷ ଟଙ୍କା ଥିଲା । ଅର୍ଥାତ୍ ଚଳିତ ବର୍ଷ ପ୍ରାୟ ୨୮ ପ୍ରତିଶତ ଅଧିକ ଅର୍ଥ ବିନିଯୋଗ ପ୍ରସ୍ତାବିତ ହୋଇଛି । ପରିବହନ କ୍ଷେତ୍ରରେ ୨ ହଜାର ୯୪୯ କୋଟି, ଗ୍ରାମୀଣ ବିକାଶ ପାଇଁ ୧ ହଜାର ୧୦୧ କୋଟି ୫୦ ଲକ୍ଷ ଏବଂ ଜଳସେଚନ ଓ ବନ୍ୟା ନିୟନ୍ତ୍ରଣ ପାଇଁ ୭୬୫ କୋଟି ୨୩ ଲକ୍ଷ ଟଙ୍କାର ପ୍ରସ୍ତାବ ରହିଛି । ସେହିପରି ସହରାଞ୍ଚଳ ବିକାଶ, ଶକ୍ତି, ଶିଳ୍ପ ଓ ଖଣିଜ କ୍ଷେତ୍ର ସହ ବିଭିନ୍ନ ମୌଳିକ ସେବା ପାଇଁ ମଧ୍ୟ ଅର୍ଥ ବିନିଯୋଗର ଯୋଜନା କରାଯାଇଛି । ବୈଠକରେ ରାସ୍ତାଘାଟର ସମସ୍ୟା, ପାନୀୟ ଜଳ, ଜଳସେଚନ, ସ୍ୱାସ୍ଥ୍ୟ, ଶିକ୍ଷା, ଗମନାଗମନ ଓ ଗ୍ରାମୀଣ ବିକାଶ ଭଳି ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା । ରାସ୍ତାରେ ବୁଲୁଥିବା ଗାଈଗୋରୁଙ୍କ ନିୟନ୍ତ୍ରଣ ଏବଂ ଗୋଶାଳା ସ୍ଥାପନ ନେଇ ମଧ୍ୟ ସଦସ୍ୟମାନେ ମତ ରଖିଥିଲେ । ଜନସାଧାରଣଙ୍କ ଆବଶ୍ୟକତା ଓ ଜିଲ୍ଲାର ପ୍ରାଥମିକତାକୁ ଆଧାର କରି ଉନ୍ନୟନ କାର୍ଯ୍ୟକୁ ଆହୁରି ଗତିଶୀଳ କରିବା ଉପରେ ବୈଠକରେ ଜୋର ଦିଆଯାଇଥିଲା । ବୈଠକରେ ଗଞ୍ଜାମ ଜିଲ୍ଲାର ସାଂସଦ, ବିଧାୟକ, ଜିଲ୍ଲାପାଳ, ଜିଲ୍ଲା ପରିଷଦ ଅଧିକାରୀଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଓ କମିଟି ସଦସ୍ୟମାନେ ଉପସ୍ଥିତ ଥିଲେ ।