
- ବ୍ୟାପକ ଜନସଚେତନତା ଉପରେ ଗୁରୁତ୍ଵାରୋପ
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିରରେ ଆଜି ଅପରାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ବଲାଙ୍ଗିର ଜିଲାରେ ଶିଶୁ ଶ୍ରମିକ ନିରାକରଣ ସମ୍ପର୍କିତ ଏକ ସଚେତନତା ବୈଠକ ଜିଲ୍ଲାପାଳ ଗୌରୱ ଶୀୱାଜୀ ଈସାଲୱାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଡ଼. ବିଜୟାନନ୍ଦ ସେଠୀ, ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ପ୍ରଭାତ କୁମାର ମହାପାତ୍ର , ଜିଲ୍ଲାପରିଷଦ ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ତରଣୀ ସୁନା ପ୍ରମୁଖ ଉପସ୍ଥିତ ଥିଲେ । ବୈଠକରେ ଜିଲ୍ଲାପାଳ ଉଦ୍ବୋଧନ ଦେଇ ଏକ ସୁସ୍ଥ ସମାଜ ଗଠନ ନିମନ୍ତେ ସଂଗଠିତ ଭାବେ ସବୁ ସ୍ତରରେ ଶିଶୁ ଶ୍ରମିକ ନିରାକରଣ ନିମନ୍ତେ ଉଦ୍ୟମ କରିବାକୁ ପରାମର୍ଶ ଦେବା ସହ ଏଥି ନିମନ୍ତେ ବ୍ୟାପକ ଜନସଚେତନତା ଉପରେ ଗୁରୁତ୍ଵାରୋପ କରିଥିଲେ । ୬-୧୪ବର୍ଷର ଶିଶୁଙ୍କ ତଥ୍ୟ ରଖିବାକୁ ଏବଂ ସିଜନାଲ ହଷ୍ଟେଲରେ ରଖିବାକୁ କହିଥିଲେ । ଶିଶୁ ଦଶମ ପରେ କଣ କରୁଛନ୍ତି ସେ ବାବଦରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ସର୍ଭେ କରିବା ସହ ରିପୋର୍ଟ ଦେବାକୁ କହିଥିଲେ । ବୈଠକରେ ଶ୍ରମ ନିରିକ୍ଷକ, ଶିଶୁ କଲ୍ୟାଣ କମିଟି ର ସଦସ୍ୟା, ମହିଳା ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟା, ଅଙ୍ଗନବାଡି କର୍ମୀ ମାନେ ଉପସ୍ଥିତ ଥିଲେ । ବୈଠକରେ ଶ୍ରମ ଆଇନ ୧୯୮୬ ସମ୍ପର୍କରେ ଆଲୋଚନା ହେବାସହ ୧୪ ବର୍ଷ ପୂର୍ଣ୍ଣ କରିନଥିବା ଶିଶୁଙ୍କୁ କୌଣସି ପ୍ରକାରର ବୃତ୍ତି ଏବଂ ପ୍ରକ୍ରିୟାରେ ତଥା ୧୪ ବର୍ଷରୁ ୧୮ ବର୍ଷ ବୟସର କିଶୋରମାନଙ୍କୁ ବିପଦ ସଙ୍କୁଳ ବୃତ୍ତି ଏବଂ ପ୍ରକ୍ରିୟାରେ ନିୟୋଜନ କରିବା ଏକ ଧର୍ତ୍ତବ୍ୟ ଅପରାଧ ଅଟେ ତେଣୁ ଏ ସମ୍ପର୍କରେ ବ୍ୟାପକ ଜନସଚେତନତା କରାଯିବା ଉପରେ ଆଲୋଚନା କରାଯାଇଥିଲା । ଯଦି କୌଣସି ବ୍ୟକ୍ତି ୧୪ ବର୍ଷରୁ କମ ବୟସର ଶିଶୁଙ୍କୁ କାମରେ ନିୟୋଜିତ କରିଛନ୍ତି କିମ୍ବା ୧୪ ବର୍ଷ ରୁ ୧୮ ବର୍ଷ ବୟସ ମଧ୍ୟରେ ଥିବା କିଶୋରମାନଙ୍କୁ ବିପଦ ସଙ୍କୁଳ ବୃତ୍ତି ଏବଂ ପ୍ରକ୍ରିୟାରେ ନିୟୋଜିତ କରିବାର ନଜରକୁ ଆସେ ତେବେ ତୁରନ୍ତ ଜିଲ୍ଲା ଶ୍ରମ ଅଧିକାରୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କୁ ଅବଗତ କରିପାରିବେ । ଏତଦବ୍ୟତୀତ ନିଶୁଳ୍କ ଶ୍ରମିକ ସହାୟତା ହେଲ୍ପ ଲାଇନ ନମ୍ବର ୧୫୫୩୬୮ ଏବଂ ଚାଇଲ୍ଡ ଲାଇନ ନମ୍ବର ୧୦୯୮କୁ ଯୋଗାଯୋଗ କରିବାକୁ ଅନୁରୋଧ କରାଯାଇଛି । ବୈଠକରେ ଶିଶୁ ଶ୍ରମିକ ଚିହ୍ନଟ କରିବା ସହ ସେମାନଙ୍କ ଥଇଥାନ ଉପରେ ଆଲୋଚନା ହୋଇଥିଲା । ଶିଶୁ ଶ୍ରମିକ ଆଇନର ଉଲ୍ଲଂଘନ କରୁଥିବା ଅନୁଷ୍ଠାନ କିମ୍ବା ବ୍ୟବସାୟୀକ ପ୍ରତିଷ୍ଠାନ ଉପରେ ଶ୍ରମ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ବୈଠକରେ ଜିଲ୍ଲା ଶ୍ରମ ଅଧିକାରୀ ସୁକାନ୍ତ ସେଠୀ ପ୍ରାରମ୍ଭିକ ସୂଚନା ଦେବା ସହ ସଭା ପରିଚାଳନା କରିଥିଲେ ।