
ଚୁଡ଼ାପାଲି : ବଲାଙ୍ଗିର ସଦର ଥାନା ଚୁଡ଼ାପାଲି ପୋଲ ଉପରେ ଏକ ବାଇକକୁ ଗୋଟିଏ ଚାରି ଚକିଆ ଯାନ ସାମ୍ନା ପଟରୁ ଧକ୍କା ଦେବାରୁ ବାଇକ ଆରୋହୀ ଗୁରୁତର ହୋଇଛି । ଗୁରୁତର ଆହତ ଜଣକ ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ଜିରାଟମାଲ ଗ୍ରାମର ଅକ୍ଷୟ ମହାକୁର(୩୦) । ସୂଚନା ଅନୁସାରେ ବାଇକ୍ ଆରୋହୀ ଅକ୍ଷୟ ନିଜ ଘରକୁ ଫେରୁଥିବା ସମୟରେ ଚୁଡ଼ାପାଲି ଓ ଢୁଲୁସର୍ ମଝିରେ ଥିବା ପୋଲ ଉପରେ ସାମନା ପଟୁ ଯାଉଥିବା ଗାଡ଼ି ଧକ୍କା ଦେଇଥିଲା । ତୁରନ୍ତ ଗାଡ଼ିକୁ ଉପସ୍ଥିତ ଥିବା କିଛି ଲୋକ ପିଛା କରିଥିଲେ ମଧ୍ୟ ଗାଡ଼ି ଦ୍ରୁତ ଗତିରେ ଚାଲିଯାଇଥିଲା । ସ୍ଥାନୀୟ ଲୋକେ ଅକ୍ଷୟଙ୍କୁ ଉଦ୍ଧାର କରି ଚୁଡ଼ାପାଲି ସିଏଚସିକୁ ପ୍ରାଥମିକ ଚିକିତ୍ସା ପାଇଁ ଆଣିଥିଲେ । ସ୍ଥାନୀୟ ପୁଲିସ ଘଟଣା ସ୍ଥଳକୁ ଆସି ଛାନଭିନ ଆରମ୍ଭ କରିଛନ୍ତି । ଅଧିକ ଚିକିତ୍ସା ପାଇଁ ଗୁରୁତରଙ୍କୁ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।