ଦାଦନ ଶ୍ରମିକ ଉଦ୍ଧାର କଲା ବେଲପଡା ପୋଲିସ

ବେଲପଡା, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ବେଲପଡା ପୋଲିସ ବିଶ୍ଵସ୍ଥସୂତ୍ରରୁ ଖବର ପାଇ ବାହାର ରାଜ୍ୟକୁ ଚାଲାଣ ହେବାକୁ ଥିବା ୧୮ ଜଣ ଦାଦନ ଶ୍ରମିକଙ୍କୁ ବେଲପଡା ଥାନା ଅନ୍ତର୍ଗତ ବାଗଦୋର ଗ୍ରାମରୁ ଉଦ୍ଧାର କରିଛି । ଦାଦନ ଶ୍ରମିକମାନେ ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ଥାନା ଗୁଲୁମି ଗ୍ରାମର ବୋଲି ତଦନ୍ତ ସମୟରେ ଜଣାପଡିଛି । ୫ ଜଣ ପୁରୁଷ ୪ ଜଣ ମହିଳା ଏବଂ ୯ ଜଣ ନାବାଳକ ଏବଂ ନାବାଳିକାଙ୍କୁ ଉଦ୍ଧାର କରି ଥାନାକୁ ଅଣାଯାଇଥିବା ସୂଚନା ମିଳିଛି । ଦାଦନ ସର୍ଦ୍ଦାର ସେମାନଙ୍କୁ ତେଲେଙ୍ଗାନା ରାଜ୍ୟ ସ୍ଥିତ ନିଜମାବାଦ ଚାଲାଣ କରିବା ପାଇଁ ବାଗଦୋର ଗ୍ରାମରେ ରଖିଥିବା ବେଳେ ପୋଲିସ ମାଡ଼ିବସିଥିଲା । ଦାଦନ ସର୍ଦ୍ଦାର କୌଶଳକ୍ରମେ ଖସିପଳାଇଥିବା ବେଳେ ତାକୁ ଧରିବା ପାଇଁ ପ୍ରୟାସ ଜାରି ରଖିଥିବା ବେଲପଡା ପୋଲିସ ତରଫରୁ ସୂଚନା ମିଳିଛି । ଅନ୍ୟ ପକ୍ଷରେ ଦାଦନ ଶ୍ରମିକମାନଙ୍କୁ ତାଙ୍କ ଗ୍ରାମକୁ ପଠାଇ ଦିଆଯାଇଥିବା ବେଳେ ଏନେଇ ବେଲପଡା ଥାନା କେସ ନଂ ୨୯୭/୨୦୨୪ରେ ଏକ ମାମଲା ଋଜୁ କରି ଘଟଣାର ଅଧିକ ତଦନ୍ତ କରୁଥିବା ବେଲପଡା ଥାନାଧିକାରୀ ଅନନ୍ତ ପଧାନ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.