ଟିଟିଲାଗଡରେ ବିଜେପି ନେତାଙ୍କ ଠାରୁ ମିଳିଲା ପୁଳା ପୁଳା ଟଙ୍କା

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ନିର୍ବାଚନ ତାରିଖ ପାଖକୁ ଆସୁଥିବା ବେଳେ ଟିଟିଲାଗଡ ପୋଲିସ ପକ୍ଷରୁ ଜୋର୍‌ଦାର୍‌ ପେଟ୍ରୋଲିଂ କରାଯିବା ସହ ସ୍ପେଶିଆଲ୍‌ ଫ୍ଲାଇଙ୍ଗ ସ୍କ୍ୱାର୍ଡ ମଧ୍ୟ ବୁଲୁଛନ୍ତି । ତେବେ ମଙ୍ଗଳବାର ରାତି ସାଢ଼େ ବାରଟା ବେଳେ ଟିଟିଲାଗଡ଼ ପୋଲିସ ପକ୍ଷରୁ ରେଳ ଓଭର୍‌ର୍ବ୍ରିଜ୍ ଉପରେ ଗାଡି ଅଟକାଇ ଯାଞ୍ଚ କରୁଥିବା ବେଳେ ସେହି ସମୟରେ ଗାଡି ନମ୍ବର ଓଡି୨୫ଡି ୦୦୦୯ ବିଶିଷ୍ଟ ଗାଡିରେ ମୁରିବାହାଲ୍ ଅଞ୍ଚଳର ବିଜେପି ନେତା ଶ୍ରୀ ଶ୍ରୀବତ୍ସ ବେହେରା ନିଜ ଘରକୁ ଫେରୁଥିଲେ । ପୋଲିସ ତାଙ୍କ ଗାଡ଼ି ଯାଞ୍ଚ କରିବାରୁ ତାଙ୍କ ନିକଟରୁ ଟଙ୍କା ବିଡା କିଛି ବାହାରିବା ଦେଖି ଫ୍ଲାଇଙ୍ଗ ସ୍କ୍ୱାର୍ଡକୁ ଖବର ଦେଇଥିଲେ । ସ୍କ୍ୱାର୍ଡ ପହଞ୍ଚି ଗାଡ଼ିକୁ ଯାଞ୍ଚ କଲାପରେ ୪ ଲକ୍ଷ ୪୮ହଜାର ଟଙ୍କା ଓ କିଛି ବିଜେପି ଲୋଗୋ ଥିବା ପତାକା ମିଳିଥିଲା । ଏହି ଖବର ପ୍ରଚାରିତ ହେବା ପରେ ବିଜୁ ଜନତା ଦଳର କର୍ମୀମାନେ ସେହିଠାରେ ପହଞ୍ଚି ପୋଲିସକୁ ଗାଡି ଯାଞ୍ଚ କରିବା ସହ ରେଳ ଷ୍ଟେସନ୍‌ ସମ୍ମୁଖରେ ଥିବା ସନ୍‌ ଭ୍ୟୁ ଲଜ୍‌ରେ ଆହୁରି ଟଙ୍କା ମିଳିବ ଏବଂ ସେହିଠାରୁ ଏହି ଟଙ୍କା ଅଣାଯାଇଥିବା ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତିକରି ସନ୍‌ ଭ୍ୟୁ ଲଜ୍‌କୁ ମଧ୍ୟ ଚଢ଼ାଉ କରାଯାଇଥିଲା କିନ୍ତୁ ସେଠାରୁ କିଛି ବାହାରିଲା ନାହିଁ । ଏହି ଚଢ଼ାଉରେ ଏସ୍‌ଡିପୀଓ ଶ୍ରୀମତୀ ଅଙ୍କିତା କୁମ୍ଭାର, ଥାନାଧିକାରୀ ଅବନୀ ସାହୁ, ଫ୍ଲାଇଙ୍ଗ ସ୍କ୍ୱାର୍ଡ ସହ ପୋଲିସ କର୍ମଚାରୀ ମାନେ ଉପସ୍ଥିତ ଥିଲେ । ତେବେ ନିର୍ବାଚନ ଆଚରଣ ବିଧି ଲାଗିଥିବା ବେଳେ ଏତେ ଟଙ୍କା କାହିଁକି ରାତିରେ ନେଇକି ଯାଉଥିଲେ ବୋଲି ପଚାରିବାରୁ ବିଜେପି ନେତା ଶ୍ରୀବତ୍ସ ବେହେରା ମୁଁ ମୋ ଭଉଣୀ ଘର ବୌଦ୍ଧ ଜିଲ୍ଲାର ଟୁପାଉଡ଼ାର ଠାରେ ଜମି କିଣିବା ପାଇଁ ଯାଇଥିଲି, ଫେରିବା ବେଳକୁ ବିଳମ୍ବ ହୋଇଗଲା, ଖାଇବା ପାଇଁ ଅଟକି ଥିଲି, ଖାଇବାକୁ ମଧ୍ୟ ମିଳିଲାନି, ସେଠାରୁ ମୁଁ ଘରକୁ ଫେରୁଥିବା ବେଳେ ପୋଲିସ ଚେକିଙ୍ଗ କଲେ, ଯେଉଁ ଟଙ୍କା ବାହାରିଛି ସବୁ ମୋ ଭିଣେଇଙ୍କ, ମୁଁ ରାଜନୀତି ଦଳରେ ଅଛି କିନ୍ତୁ ଏ ଟଙ୍କା ବଣ୍ଟା କାମ କରେନି, ମୋର କପଡା ବ୍ୟବସାୟ ମଧ୍ୟ ରହିଛି, ବଲାଙ୍ଗିରରେ ପେମେଣ୍ଟ ମଧ୍ୟ କରିକି ବାକି ଟଙ୍କା ଧରି ଫେରୁଥିଲେ ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି । ତେବେ ପୋଲିସ ଏ ଦିଗରେ ତଦନ୍ତ କଲେ ସବୁ ତଥ୍ୟ ସାମ୍ନାକୁ ଆସିବ ବୋଲି କୁହାଯାଉଛି । କିନ୍ତୁ ବିଜେଡି କର୍ମୀ ଏହାକୁ ତୀବ୍ର ବିରୋଧ କରିବା ସହ ବିଜେପି ପକ୍ଷରୁ ନିର୍ବାଚନ ପାଇଁ ଟଙ୍କା ବାଣ୍ଟିବା ପାଇଁ ଆଣୁଥିବା ଅଭିଯୋଗ କରିଛନ୍ତି ।

Leave A Reply

Your email address will not be published.