ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘର ଧାରଣା ଓ ଦାବିପତ୍ର ପ୍ରଦାନ

ନୂଆପଡା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା) ପକ୍ଷରୁ ବିଭିନ୍ନ ସମସ୍ୟାକୁ ନେଇ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରି ଧାରଣାରେ ବସିଥିଲେ । ଓଷ୍ଟା ଜିଲ୍ଲା ସାଧାରଣ ସମ୍ପାଦକ ରବୀନ୍ଦ୍ରନାଥ ଯୋଷୀଙ୍କ ନେତୃତ୍ୱରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲା ଶିକ୍ଷା ଅଧିକାରୀ କରୁଣାକର ଭୁଏଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ ବିଭିନ୍ନ ସମସ୍ୟାକୁ ନେଇ ଦୀର୍ଘ ଦିନରୁ ଦାବି କରି ଆସୁଥିଲେ ମଧ୍ୟ ସରକାର କୌଣସି ପଦକ୍ଷେପ ନେଇ ନ ଥିବାରୁ ପୁଣି ସମସ୍ୟା ଉପରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଦାବିପତ୍ର ଦେବା ସହ ଆସନ୍ତା ୭ରେ ରାଜ୍ୟ ରାଜଧାନୀଠାରେ ବିଶାଳ ସମାବେଶ କରି ଧାରଣାରେ ବସିବା ପାଇଁ ଚେତାବନୀ ଦେଇଛନ୍ତି । ୧୯୯୪ ଅନୁଦାନ ଆଇନରୁ ବାଦ୍‌ ପଡିଥିବା ବିଦ୍ୟାଳୟ ଗୁଡିକୁ ପୂର୍ଣ୍ଣ ଅନୁଦାନ, ଯୋଗ୍ୟ ବିବେଚିତ ବିଦ୍ୟାଳୟକୁ ଅନୁଦାନ ପ୍ରଦାନ, ନୂତନ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ଶିକ୍ଷକ ଓ କର୍ମଚାରୀମାନଙ୍କୁ ଚାକିରୀ ସର୍ତ୍ତାବଳୀ ସହ ପେନ୍‌ସନ୍‌, ୧୯୯୪ ଜୁନ ୭ରୁ ଅଦ୍ୟାବଧି ଅନୁଦାନପ୍ରାପ୍ତ ବିଦ୍ୟାଳୟ ଓ ୨୦୨୩ ନଭେମ୍ବର ୧ ଯୋଗ୍ୟ ୩୯୯ ବିଦ୍ୟାଳୟକୁ ସପ୍ତମ ବେତନ ପ୍ରଦାନ, ୨୦୦୪ରୁ ୨୦୧୩ ମଧ୍ୟରେ ନିଯୁକ୍ତି ପାଇଥିବା ଚୁକ୍ତିଭିତ୍ତିକ ଶିକ୍ଷକଙ୍କର ୬ଟି ନେସ୍‌ନାଲ୍‌ ଇନକ୍ରିମେଣ୍ଟ ସହ ବରିଷ୍ଠତା ପ୍ରଦାନ, ଅଫିସ କାର୍ଯ୍ୟାଳୟ ସହାୟକମାନଙ୍କର ଯୋଗ୍ୟତା ଭିତ୍ତିକ ପଦୋନ୍ନତି ସହ ଉଚ୍ଚତର ଗ୍ରେଡପେ ହାରରେ ଦରମା, ନୂତନ ଓ ପୂର୍ଣ୍ଣ ଅନୁଦାନପ୍ରାପ୍ତି ବିଦ୍ୟାଳୟରେ ଖାଲି ପଡିଥିବା ପଦବୀ ପୂରଣ, ଷଷ୍ଠରୁ ଦଶମ ପିଲାଙ୍କ ପାଇଁ ଶାରୀରିକ ଶିକ୍ଷା ପାଠ୍ୟକ୍ରମ ପ୍ରଚଳନ କରିବା, ଚାକିରୀ ସର୍ତ୍ତାବଳୀ ଓ ଅବସରକାଳୀନ ସମସ୍ତ ସୁବିଧା ଯୋଗାଇ ଦେବା ଦାବି କରିଛନ୍ତି । ଏହି ସମୟରେ ଜିଲ୍ଲା ସଭାପତି ବନବିହାରୀ ମେହେର, ଉପସଭାପତି ଭରତ ଚନ୍ଦ୍ର ବେହେରା, ସଦର ବ୍ଲକ ସଭାପତି ପଣ୍ଡୁରାମ ପାଣ୍ଡେ, ସଂଗ୍ରାମ କିଶୋର ପ୍ରଧାନ, ନିରଞ୍ଜନ ବିଶ୍ୱାଳ, ଉପେନ୍ଦ୍ର ପାଢୀ, ଦୁର୍ବାଦଳ ସାହୁ, ପଞ୍ଚାନନ ମଟାରୀ, ନରେନ୍ଦ୍ର କୁମାର କର, ଅଜିତ କୁମାର ପାଢୀ, ପଦ୍ମନାଭ ସାହୁ, ପ୍ରଫୁଲ୍ଲ ମହାରଣା, ଚିତ୍ତରଞ୍ଜନ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.