ଜିଲ୍ଲାସ୍ତରୀୟ ଯୁବ ରେଡ୍‌କ୍ରସ୍‌ ତାଲିମ ଶିବିର ଉଦ୍‌ଯାପିତ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଭାରତୀୟ ରେଡ୍‌କ୍ରସ୍‌ ସୋସାଇଟି, ଓଡିଶା ରାଜ୍ୟ ଶାଖା ତରଫରୁ ଆଗଲପୁର ପଞ୍ଚାୟତ ସମିତି ମହାବିଦ୍ୟାଳୟ, ବାଣୀ ନିକେତନ, ରୋତ୍‌ରେ ତିନିଦିନ ଧରି ଚାଲୁଥିବା ବଲାଙ୍ଗିର ଜିଲ୍ଲାସ୍ତରୀୟ ଯୁବ ରେଡ୍‌କ୍ରସ୍‌ ତାଲିମ ଶିବିର ଆଜି ଉଦ୍‌ଯାପିତ ହେଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ସନ୍ତୋଷ କୁମାର ରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ରାଜ୍ୟ ରେଡ୍‌କ୍ରସ୍‌ ସଂଯୋଜକ ଗୋପାଳକୃଷ୍ଣ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ମହାବିଦ୍ୟାଳୟ ପରିଚାଳନା ପରିଷଦର ସଭାପତି କାହ୍ନୁଚରଣ ଦର୍ଜି, ଜିଲ୍ଲା ରେଡ୍‌କ୍ରସ୍‌ ସଂଯୋଜକ ଡକ୍ଟର ଦୈତାରୀ ପୂଜାରୀ ଓ ଜିଲ୍ଲା ଯୁବ ରେଡ୍‌କ୍ରସ୍‌ ସଂପାଦକ ଡକ୍ଟର ଅମୃତ ସିଂ ବରିହା ପ୍ରଭୃତି ସମ୍ମାନିତ ଅତିଥି ଭାବେ ଯୋଗଦେଇ ରେଡ୍‌କ୍ରସ୍‌ ସ୍ୱେଚ୍ଛାସେବୀ ଛାତ୍ରଛାତ୍ରୀଙ୍କୁ ଉଦ୍‌ବୋଧନ ଦେଇଥିଲେ । ଯୁବ ରେଡ୍‌କ୍ରସ୍‌ର ଉପଦେଷ୍ଟା ଡକ୍ଟର ଲିଙ୍ଗରାଜ ମେହେର ସଭା ସଂଯୋଜନା କରିଥିବା ବେଳେ ଅଧ୍ୟାପକ ବାମଦେବ ମେହେର ଧନ୍ୟବାଦ ଅର୍ପଣ କରିଥିଲେ । ଗତ ତିନିଦିନ ଧରି ହୋଇଥିବା ଏହି ଶିବିରରେ ବଲାଙ୍ଗିର ଜିଲ୍ଲାର ୩୦ଟି ମହାବିଦ୍ୟାଳୟର ୧୫୦ଜଣ ରେଡ୍‌କ୍ରସ୍‌ ସ୍ୱେଚ୍ଛାସେବୀ ଛାତ୍ରଛାତ୍ରୀ ଓ ଉପଦେଷ୍ଟା ଯୋଗ ଦେଇଥିଲେ । ଏହି ଶିବିରରେ ରେଡ୍‌କ୍ରସ୍‌ର ଇତିହାସ, ଲକ୍ଷ ଓ ଉଦ୍ଦେଶ୍ୟ, ଏଚ୍ଆଇଭି/ଏଡ୍‌ସ୍‌, ରକ୍ତଦାନ, ଯୋଗଶିକ୍ଷା, ସଡକ ସୁରକ୍ଷା, ପ୍ରାକୃତିକ ବିପର୍ଯ୍ୟୟ ଓ ପରିଚାଳନା, ସ୍ୱେଚ୍ଛାକୃତ ରକ୍ତଦାନ, ପ୍ରାଥମିକ ଚିକିତ୍ସା ସେବା ଆଦି ଆଠ ଗୋଟି ଶୀର୍ଷକରେ ଅଭିଜ୍ଞ ବ୍ୟକ୍ତିମାନଙ୍କ ଦ୍ଵାରା ଶିକ୍ଷା ଓ ତାଲିମ ଦିଆଯାଇଥିଲା । ଏହି ଅବସରରେ ସ୍ୱେଚ୍ଛାସେବୀ ଛାତ୍ରଛାତ୍ରୀଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ପ୍ରତିଯୋଗିତାମାନ ଆୟୋଜିତ ହୋଇଥିଲା । ପ୍ରବନ୍ଧରେ ସୁନି ଖମାରୀ, ରେଶମା ସା, ଝରଣା ମଲ୍ଲିକ, ତର୍କରେ ସୁନି ଖମାରୀ, ବବୁଲ ସାହୁ, ଆଦର୍ଶ ସାହୁ, ସଂଗୀତରେ ଅମିତ ସାହୁ, ଚନ୍ଦ୍ରିକା ବାଘ, ପ୍ରମିତା ଷାଣ୍ଢ, ଏକକ ଅଭିନୟରେ ସୁବ୍ରତ ପଧାନ, ଅମିତ ସାହୁ, ମୋହିତ ଅଗ୍ରୱାଲ, ନୃତ୍ୟରେ ପ୍ରମିଳା ଷାଣ୍ଢ, ଅର୍ପଣ ବାରିକ, ମିନତୀ ରାଉତ, କୁଇଜରେ ଶଙ୍କର ଗୁରୁ, ସଞ୍ଜୟ ସାହୁ, ବବଲୁ ମହାକୁଡ ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲେ । ବିଭିନ୍ନ ମହାବିଦ୍ୟାଳୟରୁ ଆସିଥିବା ରେଡ୍‌କ୍ରସ୍‌ର ସ୍ୱେଚ୍ଛାସେବୀ ଓ ଉପଦେଷ୍ଟାମାନଙ୍କୁ ଅତିଥିମାନଙ୍କ ଦ୍ୱାରା ଏକ ପ୍ରମାଣପତ୍ର ଓ ସ୍ମାରକୀ ପ୍ରଦାନ କରାଯାଇଥିଲା । ଏହି ଶିବିରରେ ପିଏସ୍‌ କଲେଜ, ଦେଓଗାଁର ଅଧ୍ୟାପକ ମଳୟ ରଞ୍ଜନ ରଣା ଶ୍ରେଷ୍ଠ ରେଡ୍‌କ୍ରସ୍‌ ଉପଦେଷ୍ଟା ଭାବେ ପୁରସ୍କୃତ ହୋଇଥିବା ବେଳେ ଦଶଜଣ ଶ୍ରେଷ୍ଠ ସ୍ୱେଚ୍ଛାସେବୀଙ୍କୁ ରାଜ୍ୟସ୍ତରୀୟ ଯୁବ ରେଡ୍‌କ୍ରସ୍‌ ତାଲିମ ଶିବିରକୁ ମନୋନୀତ କରାଯାଇଛି । ଏହି ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ବିଭିନ୍ନ ମହାବିଦ୍ୟାଳୟରୁ ଆସିଥିବା ରେଡ୍‌କ୍ରସ୍‌ ସ୍ୱେଚ୍ଛାସେବୀ ଓ ଉପଦେଷ୍ଟାଙ୍କ ସମେତ ରୋତ୍‌ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ସହଯୋଗ କରିଥିଲେ ।

Leave A Reply

Your email address will not be published.