ତୁଷୁରା ସରକାରୀ ବାଳକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଅନୁଷ୍ଠିତ

ତୁଷୁରା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ଗୁଡଭେଲା ବ୍ଲକ୍‌ର ସରକାରୀ ବାଳକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ତୁଷୁରାର ପ୍ରଥମ ବାର୍ଷିକ ଉତ୍ସବ ଶନିବାର ଅପରାହ୍ନରେ ବିଦ୍ୟାଳୟ ପରିସରରେ ପ୍ରଧାନ ଶିକ୍ଷକ ହେମନ୍ତ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଗୁଡଭେଲା ବ୍ଲକ୍ ବିଇଓ ରୁଷିଆ ମେହେର ଉଦ୍‌ଘାଟକ ଭାବେ ଯୋଗ ଦେଇ ବାର୍ଷିକ ଉତ୍ସବକୁ ଉଦ୍‌ଘାଟନ କରିଥିଲେ । ମୁଖ୍ୟଅତିଥି ଭାବେ ତୁଷୁରା ଏନ୍ଏସି ଅଧ୍ୟକ୍ଷ ଅଜୟ ଜୟଶ୍ଵାଲ ଯୋଗଦେଇ ଏଭଳି ଏକ ଭବ୍ୟ କାର୍ଯ୍ୟକ୍ରମର ଆୟୋଜନ କରିଥିବାରୁ ପ୍ରଧାନ ଶିକ୍ଷକଙ୍କୁ ଭୂୟସୀ ପ୍ରଶଂସା କରିଥିଲେ । ବିଶିଷ୍ଟ ଅତିଥି ଭାବେ ତୁଷୁରା ଥାନା ଆଇଆଇସି ସଞ୍ଜିବ କୁମାର ପ୍ରଧାନ, ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ସମାଜସେବୀ ପିଙ୍କୁ ଅଗ୍ରୱାଲ, ବିଶିଷ୍ଟ ସମାଜ ସଂସ୍କାରକ ବିଭୋର କେଡିଆ, ସିଆର୍‌ସିସି ଜଗମୋହନ ତ୍ରିପାଠୀ ଯୋଗଦେଇ ବିଦ୍ୟାଳୟ ଅଭିନବ ଉଦ୍ୟମକୁ ସାଧୁବାଦ ଜଣାଇଥିଲେ । ମୁଖ୍ୟବକ୍ତା ଭାବେ ତୁଷୁରା ବାଳିକା ହାଇସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ଭକ୍ତ ଚରଣ ଦାଶ ଯୋଗ ଦେଇଥିଲେ । ଏହି ଅବସରରେ ଗତ ଡ଼ିସେମ୍ବର ୩୧ ତାରିଖରେ ସରକାରୀ ଚାକିରୀରୁ ଅବସର ନେଇଥିବା ପ୍ରଧାନ ଶିକ୍ଷକ ଆର୍ତ୍ତତ୍ରାଣ ବେହେରାଙ୍କୁ ମାନପତ୍ର, ସ୍ମୃତି ଚିହ୍ନ, ଉପହାର ଓ ଉପଢ଼ୌକନ ଦେଇ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଉକ୍ତ ବାର୍ଷିକ ଉତ୍ସବରେ ବିଶେଷ ସହଯୋଗ କରିଥିବାରୁ ବିଦ୍ୟାଳୟ ତରଫରୁ ଶିକ୍ଷକ ପ୍ରଭାତ କିଶୋର ରାଏଙ୍କୁ ମାନପତ୍ର ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ସଭା ଶେଷରେ ବାର୍ଷିକ କ୍ରୀଡା ଓ ବାର୍ଷିକ ଉତ୍ସବ ଉପଲକ୍ଷେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ସାର୍ଟିଫିକେଟ ଓ ଟ୍ରଫି ଦେଇ ପୁରସ୍କୃତ କରାଯାଇଥିଲା । ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଚଳିତ ବର୍ଷ ଜିଲ୍ଲାସ୍ତରୀୟ ସୁରଭିରେ ଦ୍ଵିତୀୟ ସ୍ଥାନ ଅଧିକାର କରିଥିବା ଦଳକୁ ପୁରସ୍କୃତ କରାଯାଇଥିଲା । ଶେଷରେ ସହକାରୀ ଶିକ୍ଷୟିତ୍ରୀ ବିନ୍ଦୁ ମାହାଣା ଧନ୍ୟବାଦ ଅର୍ପଣ କରିଥିଲେ । ସହକାରୀ ଶିକ୍ଷୟିତ୍ରୀ ପ୍ରଶାନ୍ତି ଦାସ, ସୁଶ୍ରୀ ରଞ୍ଜିତା ନାଗ, ପରିଚାଳନା ସମିତିର ସଦସ୍ୟ/ସଦସ୍ୟା ସଂପୂର୍ଣ୍ଣ ସହଯୋଗ କରିଥିଲେ ।

Leave A Reply

Your email address will not be published.