ସହରାଞ୍ଚଳ ଗରିବ ମହିଳାଙ୍କ ପାଇଁ ଆର୍ଥିକ ସଶକ୍ତିକରଣର ମାଧ୍ୟମ ପାଲଟିଛି ଜାତୀୟ ସହରାଞ୍ଚଳ ଜୀବିକା ମିଶନ

ଭୁବନେଶ୍ୱର, (ପିଆଇବି) : କେନ୍ଦ୍ର ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ଦୀନଦୟାଲ ଉପାଧ୍ୟାୟ ଜାତୀୟ ସହରାଞ୍ଚଳ ଜୀବିକା ମିଶନ ସହରର ମହିଳାଙ୍କ ପାଇଁ ଆର୍ଥିକ ସଶକ୍ତିକରଣ ଓ ଆତ୍ମ ସମ୍ମାନର ମାଧ୍ୟମ ପାଲଟିଛି । ଏହି ଯୋଜନା ମାଧ୍ୟମରେ ସେମାନଙ୍କୁ ରୋଜଗାର ଓ ସ୍ୱରୋଜଗାର ପନ୍ଥା ମିଳିପାରିଛି ଫଳରେ ସେମାନେ ସ୍ୱାବଲମ୍ବୀ ହୋଇପାରିଛନ୍ତି । ଏହାର ଏକ ଉଦାହରଣ ଦେଖିବାକୁ ମିଳିଛି କଟକ ଚୌଦ୍ୱାର ଅଞ୍ଚଳରେ । ସ୍ଥାନୀୟ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ଜାତୀୟ ସହରାଞ୍ଚଳ ଜୀବିକା ମିଶନ ମାଧ୍ୟମରେ ବ୍ୟାଙ୍କ ଋଣ ଓ ଅନ୍ୟାନ୍ୟ ସହାୟତା ପାଇବା ପରେ ସେମାନଙ୍କର ଜୀବନରେ ସୁଧାର ଆସିଛି । ଏହି ମହିଳାମାନେ ମେଢ଼ ତିଆରି, ଜରି କାମ, ସିଲେଇ କାମ ଜରିଆରେ ଅର୍ଥ ରୋଜଗାର କରିପାରୁଛନ୍ତି । ଏହା ବ୍ୟତୀତ ସ୍ୱଚ୍ଛ ଭାରତ ମିଶନ ଅନ୍ତର୍ଗତ ଏଫ୍‌ଏସ୍‌ଟିପି ବର୍ଜ୍ୟ ଜଳ ପରିଚାଳନା ପ୍ଲାଣ୍ଟ ପରିଚାଳନା କରୁଛନ୍ତି । ପୂର୍ବରୁ ଅବହେଳିତ ଜୀବନଯାପନ କରୁଥିବା ଏହି ମହିଳାମାନେ ଏବେ ସ୍ୱରୋଜଗାରକ୍ଷମ ଓ ସ୍ୱାବଲମ୍ବୀ ହୋଇପାରିଛନ୍ତି । ଆର୍ଥିକ ସ୍ଥିତିରେ ସୁଧାର ଆସିବା ଦ୍ୱାରା ସେମାନଙ୍କ ପରିବାରର ଜୀବନଧାରଣରେ ସୁଧାର ଆସିଛି । ନିକଟରେ ଜାରି ରହିଥିବା ବିକଶିତ ଭାରତ ସଂକଳ୍ପ ଯାତ୍ରା ଅବସରରେ ଏହି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ଜାତୀୟ ସହରାଞ୍ଚଳ ଜୀବିକା ମିଶନରେ ମିଳିଥିବା ସହାୟତା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସୂଚନାଯୋଗ୍ୟ ମିଶନ ଅଧୀନରେ ଦେଶର ୪ହଜାର ସହରରେ ୮ ଲକ୍ଷ ୩୧ ହଜାରରୁ ଅଧିକ ସ୍ୱୟଂ ସହାୟକ ଗୋଷ୍ଠୀ ଗଠନ କରାଯାଇଛି । ଏହାଦ୍ୱାରା ୮୪ ଲକ୍ଷରୁ ଅଧିକ ସହରାଞ୍ଚଳ ଗରିବ ମହିଳା ଆର୍ଥିକ ଦୃଷ୍ଟିରୁ ସଶକ୍ତ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ଏସ୍‌ସି/ଏସ୍‌ଟି, ସଂଖ୍ୟାଲଘୁ, ପରିବାରର ମହିଳା ମୁଖ୍ୟ, ଉଠାଦୋକାନୀ ମହିଳା ରହିଛନ୍ତି ।

Leave A Reply

Your email address will not be published.