- କେନ୍ଦୁଝର ଜିଲ୍ଲା ରାଧିକାଦେଇପୁର ଏବଂ ଭଣ୍ଡାରିଡିହା ପଞ୍ଚାୟତରେ ଆୟୋଜିତ ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ଯୋଗ
ଦେଲେ କେନ୍ଦ୍ର ମନ୍ତ୍ରୀ - ସଂକଳ୍ପ ଯାତ୍ରାର ହିତାଧିକାରୀଙ୍କ ସହ ମତ ବିନିମୟ କଲେ
ଭୁବନେଶ୍ୱର, (ପିଆଇବି) : କେନ୍ଦ୍ର ଆଦିବାସୀ ବ୍ୟାପାର, କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଅର୍ଜୁନ ମୁଣ୍ଡା ଗତକାଲି କେନ୍ଦୁଝର ଜିଲ୍ଲା ରାଧିକାଦେଇପୁର ଏବଂ ଭଣ୍ଡାରିଡିହା ପଞ୍ଚାୟତରେ ଆୟୋଜିତ ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ସାମିଲ ହୋଇଥିଲେ । ଶ୍ରୀ ମୁଣ୍ଡା ଏହି ଅବସରରେ ବିକଶିତ ଭାରତ ସଂକଳ୍ପ ଯାତ୍ରାର ହିତାଧିକାରୀଙ୍କ ସହ ମତ ବିନିମୟ କରିଥିଲେ । ସେ ସଂକଳ୍ପ ଯାତ୍ରା ରହଣୀ ସ୍ଥଳରେ ଆୟୋଜିତ ପ୍ରଦର୍ଶନୀକୁ ମଧ୍ୟ ବୁଲି ଦେଖିଥିଲେ । ରାଧିକାଦେଇପୁରଠାରେ ଆୟୋଜିତ ସଭାକୁ ସମ୍ବୋଧିତ କରି ଶ୍ରୀ ମୁଣ୍ଡା କହିଥିଲେ, ଗାଁ ସଶକ୍ତ ହେଲେ, କ୍ଷେତ୍ରର ବିକାଶ ହୋଇପାରିବ, ତା’ହେଲେ ଯାଇ ଦେଶ ବିକଶିତ ହୋଇପାରିବ । ଏହି ଉଦ୍ଦେଶ୍ୟ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାର ନିରନ୍ତର କାର୍ଯ୍ୟ କରୁଛନ୍ତି । କେନ୍ଦ୍ର ସରକାରଙ୍କ ଦ୍ୱାରା ଅନେକ ଗୁଡ଼ିଏ ଲୋକାଭିମୁଖୀ ଯୋଜନା କାର୍ଯ୍ୟକାରୀ କରାଯାଉଛି । ଏସବୁ ଯୋଜନା ଦ୍ୱାରା ସାଧାରଣ ଲୋକମାନେ ସଶକ୍ତ ଓ ସମୃଦ୍ଧ ହେଉଛନ୍ତି । ଏସବୁ ଯୋଜନା ବିଷୟରେ ସୂଚନା ଦେବା ଏବଂ ତୃଣମୂଳ ସ୍ତରରେ ଯୋଜନାର ଶତ ପ୍ରତିଶତ ପ୍ରସାର ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭଗବାନ ବିର୍ସା ମୁଣ୍ଡାଙ୍କ ଜନ୍ମମାଟିରୁ ବିକଶିତ ଭାରତ ସଂକଳ୍ପ ଯାତ୍ରାର ଶୁଭାରମ୍ଭ କରିଥିଲେ । ବର୍ତ୍ତମାନ ସୁଦ୍ଧା ଏହି ଯୋଜନାରେ କୋଟି କୋଟି ଲୋକ ସାମିଲ ହୋଇପାରିଥିବା ଶ୍ରୀ ମୁଣ୍ଡା କହିଥିଲେ । ସେ ଉପସ୍ଥିତ ହିତାଧିକାରୀଙ୍କୁ କେନ୍ଦ୍ରୀୟ ଯୋଜନାର ଲାଭ ନେବାକୁ ଆହ୍ୱାନ ଦେଇଥିଲେ । ଅନୁରୂପ ଭାବେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ମୁଣ୍ଡା ଭଣ୍ଡାରିଡିହା ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଆୟୋଜିତ ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ସଭାକୁ ସମ୍ବୋଧିତ କରିଥିଲେ । ଗ୍ରାମବାସୀଙ୍କୁ ଉଦ୍ବୋଧନ ଦେଇ ଶ୍ରୀ ମୁଣ୍ଡା କହିଛନ୍ତି ମୋଦୀଙ୍କ ଗ୍ୟାରେଣ୍ଟୀ ଗାଡ଼ି ଆଜି ସବୁ ପଞ୍ଚାୟତରେ ପହଞ୍ଚୁଛି । ଏହାର ଉଦ୍ଦେଶ୍ୟ ହେଉଛି ସରକାରୀ ଯୋଜନାରୁ ବଞ୍ଚିତ ଲୋକଙ୍କ ନିକଟରେ କେନ୍ଦ୍ରୀୟ ଯୋଜନାର ଲାଭ ପହଞ୍ଚାଇବା । ଏହି ଅବସରରେ କେନ୍ଦ୍ର ମନ୍ତ୍ରୀ ହିତାଧିକାରୀଙ୍କ ସହ ମିଶି ୨୦୪୭ ସୁଦ୍ଧା ବିକଶିତ ରାଷ୍ଟ୍ର ଗଠନ ପାଇଁ ସଂକଳ୍ପ ନେଇଥିଲେ ।