ରାଜ୍ୟରେ ବଢ଼ିବ ଗୁଣାତ୍ମକ ଶିକ୍ଷାର ମାନ

  • ନିଯୁକ୍ତି ପାଇବେ ୩୭୧୪ ଟିଜିଟି, ୪୫୨ ପିଇଟି
  • ଯୋଗଦେବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ରାଜ୍ୟର ୩୦ ଜିଲ୍ଲାର ୩୭୧୪ ଟିଜିଟି (ତାଲିମପ୍ରାପ୍ତ ସ୍ନାତକ ଶିକ୍ଷକ) ଏବଂ ୪୫୨ ପିଇଟି (ଶାରୀରିକ ଶିକ୍ଷା ଶିକ୍ଷକ)ଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାସହ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିଅମରେ ହେବାକୁ ଥିବା ପ୍ରଶିକ୍ଷଣ ଶିବିରକୁ ଉଦଘାଟନ କରି ନବ ନିଯୁକ୍ତ ମାଧ୍ୟମିକ ଶିକ୍ଷକମାନଙ୍କୁ ଭବିଷ୍ୟତରେ ଗୁଣାତ୍ମକ ଶିକ୍ଷାଦାନ ନିମନ୍ତେ ମାର୍ଗଦର୍ଶନ କରାଇବେ । ଏହି ଶିବିରରେ ନିଯୁକ୍ତି ପାଇବାକୁ ଥିବା ସମସ୍ତ ଶିକ୍ଷକ ଯୋଗଦେବାର ଆୟୋଜନ କରାଯାଇଛି । ରାଜ୍ୟ ସରକାର ରାଜ୍ୟର ସମସ୍ତ ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷାଦାନ କରିବାକୁ ପ୍ରତିଶ୍ରୁତି ବଦ୍ଧ ଥିବା ବେଳେ ପର୍ଯ୍ୟାୟକ୍ରମେ ଉଚ୍ଚ ବିଦ୍ୟାଳୟଗୁଡ଼ିକର ରୂପାନ୍ତରୀକରଣ ହୋଇଛି । ବର୍ତ୍ତମାନ ଶିକ୍ଷାଦାନ ଶୈଳୀରେ ପରିବର୍ତ୍ତନ ସହ ଶିକ୍ଷକ ନିଯୁକ୍ତି ଉପରେ ସରକାରଙ୍କ ପ୍ରାଥମିକତା ରହିଛି । କ୍ରୀଡ଼ା ଭିତ୍ତିଭୂମିର ଉନ୍ନତୀକରଣ ସହ ଛାତ୍ରଛାତ୍ରୀଙ୍କ ମଧ୍ୟରେ କ୍ରୀଡ଼ା ପ୍ରତି ଆଗ୍ରହ ସୃଷ୍ଟି ଉପରେ ମଧ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି । ଶାରୀରିକ ଶିକ୍ଷା ଶିକ୍ଷକଙ୍କ ନିଯୁକ୍ତି ଦ୍ୱାରା ଛାତ୍ରଛାତ୍ରୀମାନେ ସ୍ୱାସ୍ଥ୍ୟ ସଚେତନ ହେବାସହ ସେମାନଙ୍କ ମଧ୍ୟରେ କ୍ରୀଡ଼ା ଦକ୍ଷତା ବୃଦ୍ଧି ପାଇବ । ପୁନଶ୍ଚ ଶିକ୍ଷକ ନିଯୁକ୍ତି ଦ୍ୱାରା ରାଜ୍ୟର ଶୈକ୍ଷିକ ଭିତ୍ତିଭୂମି ପୂର୍ବପେକ୍ଷା ଅଧିକ ବିକଶିତ ହେବ । ଓଡ଼ିଶା କର୍ମଚାରୀ ମନୋନୟନ ଆୟୋଗ ପକ୍ଷରୁ ସିବିଟି ମାଧ୍ୟମରେ ପରୀକ୍ଷା କରାଯାଇ ଶିକ୍ଷକମାନଙ୍କୁ ଚୟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବିଭାଗୀୟ ମନ୍ତ୍ରୀ ସୁଦାମ ମାର୍ଣ୍ଡି, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଯୋଗଦେବାର କାର୍ୟ୍ୟକ୍ରମ ରହିଛି । ଏହି ପରିପ୍ରେକ୍ଷୀରେ ପ୍ରଶାସନିକ ଢାଞ୍ଚା, ନିୟମାବଳୀ ମାଧ୍ୟମିକ ବିଦ୍ୟାଳୟ ଗୁଡ଼ିକରେ ସମଗ୍ର ଶିକ୍ଷା ଅନ୍ତର୍ଗତ ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଦିଗଦର୍ଶନ ଦିଆଯିବ । ୫- ଟି ସ୍କୁଲ ସମେତ ରାଜ୍ୟ ସରକାର ହାତକୁ ନେଇଥିବା ଗୁଣାତ୍ମକ ଶିକ୍ଷାଦାନ ଓ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ସମ୍ପର୍କରେ ସୂଚନା ଦିଆଯିବ ।

Leave A Reply

Your email address will not be published.