ଟିଟିଲାଗଡରେ ଜିଲ୍ଲାସ୍ତରୀୟ ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀ ଉଦ୍‌ଘାଟିତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ ପରିସରରେ ବାଲ୍‌ ବୈଜ୍ଞାନିକ ପ୍ରଦର୍ଶନୀ ଉଦ୍‌ଘାଟିତ ହୋଇଯାଇଛି । ଜିଲ୍ଲାସ୍ତରୀୟ ବାଲ୍ (ଶିଶୁ) ବୈଜ୍ଞାନିକ ପ୍ରଦର୍ଶନୀରେ ବଲାଙ୍ଗିର ଜିଲ୍ଲାର ଉଚ୍ଚ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟର କୁନି କୁନି ବୈଜ୍ଞାନିକ ଭାଗ ନେଇ ୭୦ଗୋଟି ପ୍ରକଳ୍ପର ପ୍ରଦର୍ଶନ କରିଥିଲେ । ଜିଲ୍ଲାସ୍ତରୀୟ ବାଲ୍ (ଶିଶୁ) ବୈଜ୍ଞାନିକ ପ୍ରଦର୍ଶନୀ-୨୦୨୩ ଉତ୍ସବରେ ମୁଖ୍ୟଅତିଥି ଭାବେ ଜଳ ସମ୍ପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ, ସମ୍ମାନିତ ଅତିଥିଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ କେଶବ ମେହେର, ଟିଟିଲାଗଡ଼ ଗୋଷ୍ଠୀ ଶିକ୍ଷା ଅଧିକାରୀ ଆର୍ତ୍ତତ୍ରାଣ ରଥ ବଙ୍ଗୋମୁଣ୍ଡା ଗୋଷ୍ଠୀ ଶିକ୍ଷା ଅଧିକାରୀ ବୈକୁଣ୍ଠନାଥ ଶବର ପ୍ରମୁଖ ଯୋଗ ଦେଇଥିବା ବେଳେ ଜିଲ୍ଲା ଶିକ୍ଷାଧିକାରୀ ଧୃବଚରଣ ବେହେରାଙ୍କ ପୌରୋହିତ୍ୟରେ ଉଦ୍‌ଘାଟନ ହୋଇଥିଲା । ମୁଖ୍ୟ ଅତିଥି ତଥା ସମ୍ମାନିତ ଅତିଥିମାନେ ବିଜ୍ଞାନର ଉପକାରିତା ସମ୍ପର୍କରେ ଛାତ୍ରଛାତ୍ରୀମାନଙ୍କୁ ଉଦ୍‌ବୋଧନ ଦେଇ ବିଜ୍ଞାନ ଆହରଣ କରି ଜୀବନର ଶ୍ରେଷ୍ଠତ୍ୱ ପ୍ରତିପାଦନ କରିବାକୁ ଯତ୍ନବାନ୍ ହେବାକୁ ପରାମର୍ଶ ଦେଇଥିଲେ । ବିଜ୍ଞାନ ଦ୍ୱାରା ଅନ୍ତର୍ନିହୀତ କଳାକୁ କିପରି ଭାବେ ବିକଶିତ ହୋଇଥାଏ । ଦୈନନ୍ଦିନ ଜୀବନଯାପନରେ ବିଜ୍ଞାନର ଆବଶ୍ୟକତା ଏବଂ ବିଜ୍ଞାନର ବିକାଶ ବିନା ଦେଶର ପ୍ରଗତି ଅସମ୍ଭବ, ବିଜ୍ଞାନ ମାଧ୍ୟମରେ ଛାତ୍ରଛାତ୍ରୀମାନେ ସଦାସର୍ବଦା ଅନୁସନ୍ଧିତ ହେବା ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ । ଏପରି ବିଜ୍ଞାନ ମେଳା ଆୟୋଜନ ଦ୍ଵାରା କୁନି କୁନି ବିଦ୍ୟାର୍ଥୀଙ୍କର ବିଜ୍ଞାନ ଶିକ୍ଷା ଓ ଗବେଷଣା ପ୍ରତି ଆଗ୍ରହ ନିଶ୍ଚିତ ବୃଦ୍ଧି ପାଇବ ବୋଲି ଉପସ୍ଥିତ ଅତିଥିମାନେ ଆଶାବ୍ୟକ୍ତ କରିଥିଲେ । ମୁଖ୍ୟ ଅତିଥି ପ୍ରଦର୍ଶିତ ହୋଇଥିବା ୭୦ଟି ବିଜ୍ଞାନ ପ୍ରକଳ୍ପ ଗୁଡିକୁ ବୁଲି ଦେଖିବା ସହ ବୈଜ୍ଞାନିକ ପ୍ରଦର୍ଶନୀରେ ଭାଗ ନେଇଥିବା ଛାତ୍ରଛାତ୍ରୀଙ୍କୁ ଭୂୟସୀ ପ୍ରଶଂସା କରିଥିଲେ । ଏହି ଜିଲ୍ଲାସ୍ତରୀୟ ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀ -୨୦୨୩ ଉତ୍ସବ କାର୍ଯ୍ୟକ୍ରମଟି ବାଳକ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରବୀର କୁମାର ପଣ୍ଡା ପ୍ରତ୍ୟେକ୍ଷ୍ୟ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା । ଉମେଶ ଚନ୍ଦ୍ର ଦାସ ଏହି କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ଏବଂ କବିତା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଭିନ୍ନ କମିଟିର କର୍ମକର୍ତ୍ତା, ସମସ୍ତ ବ୍ଲକର ପ୍ରଧାନ ଶିକ୍ଷକ, ପ୍ରଧାନ ଶିକ୍ଷୟିତ୍ରୀ, ସିଆରସିସି ତଥା ଟିଟିଲାଗଡ଼ ବାଳକ ଉଚ୍ଚ ବିଦ୍ୟାଳୟ କର୍ମଚାରୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ସ୍ଥାନୀୟ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ଵାରା ସାଂସ୍କୃତିକ ସନ୍ଧ୍ୟାର ଆୟୋଜନ କରାଯାଇଥିଲା ।

Leave A Reply

Your email address will not be published.