ଭୁବନେଶ୍ୱର : ଆନ୍ଧ୍ର ଉପକୂଳରେ ଅତିକ୍ରମ ପରେ ବାତ୍ୟା ‘ମିଗ୍ଜୋମ୍’ର ବଳ କମିଛି । ଯେଉଁ ଗତିପଥ ଆକଳନ କରାଯାଉଥିଲା ତା’ଠାରୁ ଭିନ୍ନ ରହିଲା ତା’ର ବାଟ । ଆନ୍ଧ୍ର ଉପକୂଳରେ ଆଗକୁ ନ ବଢ଼ି ଆଭ୍ୟନ୍ତରୀଣ ଅଞ୍ଚଳକୁ ପ୍ରବେଶ କରିଛି । ଯାହାଫଳରେ ଦକ୍ଷିଣ ଓଡ଼ିଶାରେ ଯେଉଁଭଳି ବର୍ଷାର ଆକଳନ କରାଯାଉଥିଲା ସେଭଳି ବଡ଼ ବର୍ଷା ହୋଇନି । ଆସନ୍ତା ଦୁଇଦିନ ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ବୁଧବାର ଦକ୍ଷିଣ ଓଡ଼ିଶା ସହ ପଶ୍ଚିମ ଓଡ଼ିଶାର ସୀମାନ୍ତବର୍ତ୍ତୀ ଅଞ୍ଚଳରେ ବର୍ଷା ସମ୍ଭାବନା ରହିଛି । ବିଶିଷ୍ଟ ପାଣିପାଗ ବୈଜ୍ଞାନିକ ଡକ୍ଟର ଶରତ ଚନ୍ଦ୍ର ସାହୁଙ୍କ ଅନୁସାରେ ବାତ୍ୟାର ଗତିପଥ ସାମାନ୍ୟ ବଦଳିବାରୁ ଓଡ଼ିଶାରେ ବଡ଼ ବର୍ଷା ହୋଇନାହିଁ । ତଥାପି ଏହା ଆଭ୍ୟନ୍ତରୀଣ ଓଡ଼ିଶାରେ ଆସନ୍ତା ଦୁଇଦିନ ବର୍ଷା କରିପାରେ । ବୁଧବାର ପଶ୍ଚିମ ଓଡ଼ିଶାର ଛତିଶଗଡ଼ ସୀମାନ୍ତ ଜିଲ୍ଲାର କିଛି ଜାଗାରେ ବର୍ଷା ହୋଇପାରେ । ୭ ତାରିଖରେ ମଧ୍ୟ କିଛି ଜାଗାରେ ବର୍ଷା ହେବ । ୮ରୁ ବର୍ଷା କମିବ । ବୁଧବାର ଉପକୂଳ ଓଡ଼ିଶାରେ ପାଗ ସାମାନ୍ୟ ଭଲ ରହିପାରେ । ପାଣିପାଗ ବିଭାଗ କହିଛି ବୁଧବାର ଗଞ୍ଜାମ, ଗଜପତି, ମାଲକାନଗିରି, କୋରାପୁଟ, ରାୟଗଡ଼ା, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁରର ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା ହୋଇପାରେ ବୋଲି କୁହାଯାଇଛି । କେତେକ ଜାଗାରେ ୭୦ମିଲିମିଟରରୁ ୧୧୦ ମିମି ପର୍ଯ୍ୟନ୍ତ ପ୍ରବଳ ବର୍ଷା ଆଶଙ୍କା ରହିଛି । ୭ରୁ ବର୍ଷା ପରିମାଣ କମିବ । ୯ରୁ ପାଗ ଶୁଖିଲା ରହିବ ।
Prev Post
Next Post