ଭୁବନେଶ୍ୱର : ଭୟଙ୍କର ବେଗରେ ସ୍ଥଳଭାଗକୁ ମାଡି ଆସୁଛି ବାତ୍ୟା ମିଗଜୋମ୍ । ଗତକାଲି ବାତ୍ୟାରେ ପରିଣତ ହେବା ପରେ ଆଜି ଭୀଷଣ ବାତ୍ୟାରେ ପରିଣତ ହୋଇ କରାଳ ରୂପ ନେଇ ଧାଇଁ ଆସୁଛି ବାତ୍ୟା ‘ମିଗ୍ଜୋମ୍’ । ଆସନ୍ତାକାଲି ଏହା ଲ୍ୟାଣ୍ଡଫଲ୍ କରିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ବାତ୍ୟା ମିଗଜୋମ୍ ପ୍ରଭାବରେ ତାମିଲନାଡୁ ଏବଂ ଆନ୍ଧ୍ରପ୍ରଦେଶର ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଲାଗି ରହିଛି । ପ୍ରବଳ ବର୍ଷା କାରଣରୁ ଲୋକମାନେ ନିଜ ଘରୁ ବାହାରିବା କଷ୍ଟକର ହୋଇପଡ଼ିଛି । ଆଜି ତାମିଲନାଡୁ ଏବଂ ଆନ୍ଧ୍ର ପ୍ରଦେଶର ବିଭିନ୍ନ ଜିଲ୍ଲାରେ ସ୍କୁଲ ଏବଂ କଲେଜ ଗୁଡିକ ଛୁଟି ଘୋଷଣା କରାଯାଇଛି । ଆସନ୍ତାକାଲି ପାଇଁ ମଧ୍ୟ ସ୍କୁଲ ଏବଂ କଲେଜ ଛୁଟି ଘୋଷଣା କରାଯାଇଛି । ପୁଡୁଚେରୀ, କରାଇକାଲ୍, କାଲାଇସେଲ୍ଭି, କାଂଚିପୁରମ୍, ଚେନ୍ନାଇ, ଚେଙ୍ଗାଲପେଟ୍ ସମେତ ଆଉ କିଛି ଜିଲ୍ଲାରେ ସ୍କୁଲ ଏବଂ କଲେଜ୍ ଛୁଟି ଘୋଷଣା କରାଯାଇଥିବା ସୂଚନା ରହିଛି । ବାତ୍ୟା ପ୍ରଭାବରେ ପ୍ରବଳ ବର୍ଷା ଓ ପବନ ଲାଗି ରହିଛି । ଉବୁଟୁବୁ ହେଉଛି ଚେନ୍ନାଇ । ବାତ୍ୟା ‘ମିଗଜୋମ୍’ ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ମଧ୍ୟ ବର୍ଷା ଆରମ୍ଭ ହୋଇଯାଇଛି ।