jayashree

କାଳୀଡୁଙ୍ଗୁରି ଜଙ୍ଗଲରେ ବରାହ ଫାଶରେ ଶିକାରୀଙ୍କ ମୃତ୍ୟୁ ସନ୍ଦେହ : ଘଟଣା ସ୍ଥଳରୁ ଶବ ଗାଏବ, ଜଙ୍ଗଲ ଯାଇ ଫେରି ନଥିବା ନେଇ ସ୍ତ୍ରୀର ଅଭିଯୋଗ

  • ଜଙ୍ଗଲରେ ପୋଲିସ ଓ ବନ ବିଭାଗ ଖୋଜୁଛି ଶବ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ରେଞ୍ଜ ଅଧୀନ କୁମ୍ଭାରୀ ସ୍ଥିତ କାଲିକ୍ଷେତ କାଳୀଡୁଙ୍ଗୁରିରେ ଜଣେ ଶିକାରୀ ବରାହ ଫାଶରେ ପଡି ମୃତ୍ୟୁବରଣ କରିଥିବା ନେଇ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି । ଖବର ପାଇ ପରିବାର ଲୋକେ ଜଙ୍ଗଲକୁ ଯାଇ ଖୋଜାଖୋଜି କରିଥିବା ବେଳେ ଘଟଣାସ୍ଥଳରୁ ଶବ ଗାଏବ ହୋଇଛି ବୋଲି ମୃତ ଶିକାରୀଙ୍କ ଶଳା ପୋଲିସ ଆଗରେ କହିଥିବା ବେଳେ ତାଙ୍କ ସ୍ତ୍ରୀ ମୋ’ ସ୍ୱାମୀ ଜଙ୍ଗଲ ଯାଇ ଫେରି ନାହାନ୍ତି ବୋଲି ଥାନାରେ ଅଭିଯୋଗ କରିଛନ୍ତି । ଘଟଣାକୁ ନେଇ ସଇଁତଲା ପୋଲିସ ଓ ବନ ବିଭାଗ ଜଙ୍ଗଲରେ ଖୋଜା ଖୋଜି କରିଥିଲେ ମଧ୍ୟ ଶବର କୋଣସି ସନ୍ଧାନ ମିଳିନାହିଁ । ମୃତ ଶିକାରୀଙ୍କ ନାମ ଜବଦୁ ବଗର୍ତ୍ତୀ(୪୩) କୁମ୍ଭାରୀ ପଞ୍ଚାୟତର ଡୁମେରମୁଣ୍ଡାର ବୋଲି ଜଣାପଡିଛି । ପ୍ରକାଶ ଯେ, ଗତ ସୋମବାର ଅପରାହ୍ନ ୪ ଘଣ୍ଟା ସମୟରେ ଜବଦୁ ଓ ତାର ସମ୍ପର୍କୀୟ ଭଣଜା ସହିତ ଜଙ୍ଗଲ କାଳୀକ୍ଷେତ ସ୍ଥିତ କାଳୀଡୁଙ୍ଗୁରି ସଂରକ୍ଷିତ ଜଙ୍ଗଲକୁ ବରାହ ଶିକାର କରିବା ପାଇଁ ଯାଇଥିବା ଅଞ୍ଚଳରେ ଚର୍ଚ୍ଚା ହେଉଛି । ଏହି ସମୟରେ ପୂର୍ବରୁ ଅନ୍ୟ ଜଣେ ଶିକାରୀ ବରାହ ଶିକାର ପାଇଁ ଫାଶ ଲଗାଇଥିଲେ । ଏହି ସମୟରେ ଜବଦୁ ବରାହ ଫାଶରେ ପଡି ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବ ବୋଲି ଚର୍ଚ୍ଚା ହେଉଛି । ଘଟଣା ସମ୍ପର୍କରେ ଖବର ପାଇ ପରିବାର ଲୋକେ ପରଦିନ ଅର୍ଥାତ ଆଜି ଭୋର ସକାଳୁ ଶବ ପଡ଼ିଥିବା ଘଟଣାସ୍ଥଳକୁ ପହଂଚିଥିଲେ । କିନ୍ତୁ ଘଟଣାସ୍ଥଳରୁ ଶବ ଗାଏବ ହୋଇଯାଇଛି ବୋଲି ଜବଦୁଙ୍କ ଶଳା ଶ୍ରୀପତି ପୋଢ଼ ପୋଲିସ ଆଗରେ ପ୍ରକାଶ କରିଥିଲେ । ଅନ୍ୟପଟେ ଜବଦୁଙ୍କ ପତ୍ନୀ ଡାଳିମ୍ବ ବଗର୍ତ୍ତୀ ମୋ’ ସ୍ୱାମୀ ଜଙ୍ଗଲ ଆଡେ ଯାଉଛି କହି ଆଉ ରାତିରେ ଘରକୁ ଫେରି ନଥିଲେ ବୋଲି ସଇଁତଲା ଥାନାରେ ଅଭିଯୋଗ କରିଛନ୍ତି । ଘଟଣାକୁ ନେଇ ପୋଲିସ ଏସ୍‌ଆଇ ଆଲୋକ ପ୍ରସାଦ ଭୋଇ, ଏଏସ୍‌ଆଇ ଲଷ୍ମଣ ମହାନ୍ତି, ଟିମ୍‌ ଓ ବନ ବିଭାଗ ତରଫରୁ ଫରେଷ୍ଟର ଆସୁତୋଷ ମହାକୁଡ଼ ଓ ଫରେଷ୍ଟ ଗାର୍ଡ ସତ୍ୟନାରାୟଣ ପ୍ରଧାନ ଓ ପାରା ଫରେଷ୍ଟ ଷ୍ଟାପ ପହଂଚି ଜଙ୍ଗଲ ଭିତକୁ ପଶି ଦୀର୍ଘ ସମୟ ଧରି ଖୋଜାଖୋଜି କରିଥିଲେ ମଧ୍ୟ କୌଣସି ସନ୍ଧାନ ମିଳି ନଥିବା ବନ ବିଭାଗ ସୂଚନା ଦେଇଥିଲେ । ଏନେଇ ସଇଁତଲା ଆଇଆଇସି ଅବନୀ କୁମାର ସାହୁଙ୍କୁ ପଚାରିବାରୁ ବିଭିନ୍ନ ଦିଗକୁ ନେଇ ଖୋଡ଼ତାଳ ଆରମ୍ଭ ଚାଲିଛି ବୋଲି ପ୍ରକାଶ କରିଥିଲେ । ଏହି ଘଟଣାରେ ପୋଲିସ ଜଣେ ଯୁବକଙ୍କୁ ଆଣି ପଚରାଉଚୁରା ଚଳାଇଥିବା ଜଣାପଡିଛି ।

Leave A Reply

Your email address will not be published.