ଶିକ୍ଷକ ନିଯୁକ୍ତି ଦାବୀରେ ଛାତ୍ରଛାତ୍ରୀ ଓ ଅଭିଭାବକମାନଙ୍କ ଧାରଣା

ବେଲପଡା, (ଭୋଜରାଜ ଦଣ୍ଡସେନା) : ବିଦ୍ୟାଳୟମାନଙ୍କୁ ଗୁଣାତ୍ମକ ଶିକ୍ଷା ଯୋଗାଇ ଦେବା ପାଇଁ ସରକାର କୋଟି କୋଟି ଟଙ୍କା ବ୍ୟୟ କରୁଥିବା ବେଳେ ଗ୍ରାମାଞ୍ଚଳରେ ଏହାର ବିପରୀତ ସ୍ଥିତି ଦେଖିବାକୁ ମିଳିଛି । କେଉଁ ବିଦ୍ୟାଳୟରେ ଶ୍ରେଣୀ କୋଠରୀ ଅଭାବ ତ କେଉଁ ବିଦ୍ୟାଳୟରେ ଶିକ୍ଷକ ଶିକ୍ଷୟିତ୍ରୀ ଅଭାବ ଏଥିପାଇଁ କେବଳ ଗଣଶିକ୍ଷା ବିଭାଗ ଓ ରାଜ୍ୟ ସରକାର ଦାୟୀ । ଆଜି ଏଥିପାଇଁ ବଲାଙ୍ଗିର ଜିଲ୍ଲାର ବେଲପଡା ବ୍ଲକ ମାଲିମୁଣ୍ଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଛାତ୍ରଛତ୍ରୀ ଓ ଅଭିଭାବକମାନେ ଶିକ୍ଷକ ନିଯୁକ୍ତି ଦାବୀରେ ତାଲା ପକାଇ ଆନ୍ଦୋଳନ କରିଛନ୍ତି । ଏହି ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଥିବା ବେଳେ ସର୍ବମୋଟ ଛାତ୍ରଛାତ୍ରୀ ୧୧୨ ଜଣ ଅଛନ୍ତି । କିନ୍ତୁ ଶିକ୍ଷକ ଅଛନ୍ତି ମାତ୍ର ଦୁଇ ଜଣ କେମିତି ପିଲାମାନଙ୍କୁ ପାଠ ପଢ଼ାଇବେ ଏହାକୁ ନେଇ ପ୍ରଶ୍ନବାଚି ସୃଷ୍ଟି ହୋଇଛି । ଏହି ବିଦ୍ୟାଳୟ କଥା କହିଲେ ନସରେ ଶିକ୍ଷକ ଅଭାବ ସାଙ୍ଗକୁ ଶ୍ରେଣୀ କୋଠରୀ ମଧ୍ୟ ଅଭାବ । ଦୁଇଟି ଶ୍ରେଣୀ କୋଠରୀରେ ୧୧୨ ଜଣ ଛାତ୍ରଛାତ୍ରୀ ପାଠ ପଢ଼ୁଛନ୍ତି । କିପରି ଭାବରେ ଶିକ୍ଷକ ଶିକ୍ଷୟିତ୍ରୀ ପାଠ ପଢ଼ାଉଥିବେ ତାହା ଭଗବାନଙ୍କୁ ଜଣା ବୋଲି ମତ ପ୍ରକାଶ ପାଇଛି । ତେବେ ଶିକ୍ଷକ ନିଯୁକ୍ତି ଦାବୀରେ ଆଜି ଛାତ୍ରଛାତ୍ରୀ ଓ ଅଭିଭାବକ ମିଶି ବିଦ୍ୟାଳୟକୁ ତାଲା ମାରି ଆନ୍ଦୋଳନ କରିଛନ୍ତି । ଆନ୍ଦୋଳନ ସ୍ଥଳରେ ବେଲପଡା ବ୍ଲକ ଶିକ୍ଷା ଅଧିକାରୀ ଚତୁର୍ଭୁଜ ମିର୍ଦ୍ଧା ପହଞ୍ଚି ବୁଝାସୁଝା କରିଥିଲେ ମଧ୍ୟ ଆନ୍ଦୋଳନକାରୀମାନେ ମାନି ନଥିଲେ । ତେବେ ଟାଣ ଖରାରେ ଛାତ୍ରଛାତ୍ରୀମାନେ ଭୋକ ଉପାସରେ ତାଙ୍କର ଆନ୍ଦୋଳନକୁ ଜାରି ରଖିଥିଲେ । ଯେତେ ଦିନ ପର୍ଯ୍ୟନ୍ତ ତାଙ୍କର ଦାବୀ ପୂରଣ ନ ହେବ ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି । ଏହି ଆନ୍ଦୋଳନରେ ପୂର୍ବତନ ସମିତି ସଭ୍ୟ ତଥା ସମାଜସେବୀ ଆଲୋକ ବେହେରା ମଧ୍ୟ ସାମିଲ ହୋଇଥିଲେ । ଯଦି ଏହି ଆନ୍ଦୋଳନରେ ଅପ୍ରୀତିକର ଘଟଣା ଘଟେ ତେବେ ଏହାପାଇଁ ପ୍ରଶାସନ ଦାୟୀ ରହିବେ ବୋଲି ସିଧାସଳଖ କହିଛନ୍ତି ।

Leave A Reply

Your email address will not be published.