ରାଉରକେଲା, (ସସ୍ମିତା ପ୍ରଧାନ) : ଓଡିଶା ଭିନ୍ନକ୍ଷମ ଅନୁଷ୍ଠାନର ଆବାହକ ସରୋଜ ମହାନ୍ତିଙ୍କ ଆହ୍ଵାନରେ ହୋମ୍ ଆଣ୍ଡ ହୋପ୍ ବିଦ୍ୟାଳୟ ପରିସରରେ ସୁନ୍ଦରଗଡ଼ ଜିଲ୍ଲା ସ୍ପେଶାଲ ଅଲମ୍ପିକ୍ସ କମିଟି ତରଫରୁ ନେତୃତ୍ୱ ବିକାଶ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ସୁନ୍ଦରଗଡ଼ ଜିଲ୍ଲାର ଭିନ୍ନକ୍ଷମଙ୍କ ସାମାଜିକ ସୁରକ୍ଷା ଅଧିକାରୀ ଅଶୋକ କୁମାର ହାଓଡ଼ା ସିଂ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜଳନ କରି ଏହାକୁ ଅନୁଷ୍ଠାନିକ ଭାବେ ଉଦ୍ଘାଟନ କରିବା ସହିତ ବୈଦ୍ଧିକ ବିକାଶ ବାଧିତ (ମାନସିକ ଭିନ୍ନକ୍ଷମ) ପିଲାମାନଙ୍କ ପାଇଁ ସ୍ପେଶାଲ ଅଲମ୍ପିକ୍ସ ଗଠନ ହେବା ଏବଂ ସୁନ୍ଦରଗଡ଼ ଜିଲ୍ଲାରେ ଏମାନଙ୍କୁ ଏଥିରେ ସାମିଲ କରି ଆଗକୁ ନେବା ଏକ ସ୍ଵାଗତ ଯୋଗ୍ୟ ପଦକ୍ଷେପ ବୋଲି କହିଥିଲେ । ଏହି ପିଲାମାନଙ୍କର ଅନେକ ଗୁଡ଼ିଏ ଅନ୍ତର୍ନିହିତ ଗୁଣ ଭରି ରହିଛି । ସୁବିଧା ସୁଯୋଗ ପାଇଲେ ଏମାନେ ନିଶ୍ଚୟ ସଫଳତା ହାସଲ କରିପାରିବେ । ଏଥିପାଇଁ ସରକାରଙ୍କ ଦ୍ଵାରା ଯେଉଁ ସୁବିଧା ରହିଛି ତାକୁ ସହଜରେ ଯୋଗାଇ ଦେବାକୁ ସେ ପ୍ରତିଶ୍ରୁତି ଦେଇଥିଲେ । ମୁଖ୍ୟବକ୍ତା ଭାବେ ବିଶିଷ୍ଟ ଆଇନଜୀବୀ ତଥା ସୋନପୁର ଜିଲ୍ଲାର ରେୟାରର ସଭାପତି ଗୌରୀଶଙ୍କର ପଣ୍ଡା ଏଥିରେ ଅଂଶ ଗ୍ରହଣ କରି କହିଲେ ଯେ, ମାନସିକ ଭିନ୍ନକ୍ଷମ ପିଲାମାନଙ୍କୁ ସରକାରୀ ସ୍ତରରେ ବିଶେଷ ଭାବେ ସମାନ ସୁଯୋଗ ସମାନ ଅଂଶଗ୍ରହଣର ଅଧିକାର ମିଳୁନାହିଁ । ଏଥିପାଇଁ ଆମକୁ ଜିଲ୍ଲା ତଥା ରାଜ୍ୟସ୍ତରୀୟ କମିଟିର ଆବଶ୍ୟକତା ରହିଛି । ସରୋଜ କୁମାର ମହାନ୍ତିଙ୍କ ଆଗତ ପ୍ରସ୍ତାବକୁ ଆଗେଇ ନେବାକୁ ସହମତି ପ୍ରକାଶ କରିଥିଲେ ଏବଂ ଏଥିପାଇଁ ଆବଶ୍ୟକୀୟ ପଦକ୍ଷେପ ଗୁଡ଼ିକୁ ସୂଚିତ କରିଥିଲେ । ପ୍ରାରମ୍ଭରେ ଶ୍ରଦ୍ଧାର ସମ୍ପାଦକ କାର୍ତ୍ତିକ ଚନ୍ଦ୍ର ପାଣ୍ଡବ ସ୍ଵାଗତ ଭାଷଣ ଦେବା ସହିତ ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ ଏବଂ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମର ଆବାହକ ଶ୍ରୀ ମହାନ୍ତି ସ୍ପେଶାଲ ଅଲମ୍ପିକ୍ସ ଓଡ଼ିଶା ବାବଦରେ ପୁଙ୍ଖାନୁପୁଙ୍ଖ ଭାବେ ସୂଚନା ଦେଇଥିଲେ । ସେ କହିଥିଲେ ଯେ, ଆମର ଏହି ମାନସିକ ଭିନ୍ନକ୍ଷମ ପିଲାମାନଙ୍କଠାରେ ବିଶେଷ ଭାବେ ଅନେକ ଅନ୍ତର୍ନିହିତ ଗୁଣ ଥିବା ସତ୍ତ୍ବେ ଦୀର୍ଘ ୨୦ ବର୍ଷରୁ ଅଧିକ ଆମ ଅଞ୍ଚଳର ଏହି ମାନସିକ ଭିନ୍ନକ୍ଷମ ପିଲାମାନେ ସ୍ପେଶାଲ ଅଲମ୍ପିକ୍ସରେ ଯୋଗଦାନ କରିବା ଅସମ୍ଭବ ହୋଇପାରିଛି । ଅଭିଭାବକମାନେ ପ୍ରଥମେ ଏ ଦିଗରେ ସଚେତନ ହେବା ଆବଶ୍ୟକ । ଅଭିଭାବକ ସଂଘ, ସ୍ଵତନ୍ତ୍ର ଶିକ୍ଷକ, ସାମାଜିକ ସଂସ୍କାର ପ୍ରତିନିଧିମାନେ ଏକତ୍ରିତ ହୋଇ ଉକ୍ତ ପିଲାମାନଙ୍କୁ ଜିଲ୍ଲା ସ୍ତରରେ ପ୍ରଥମେ ଏକଜୁଟ ହେଇ ସେମାନଙ୍କୁ ଏ ଦିଗରେ ତାଲିମ ଦେଇ ଉତ୍ସାହିତ କରିବା ସଙ୍ଗେ ସଙ୍ଗେ ସେମାନଙ୍କୁ ପରେ ପରେ ରାଜ୍ୟ ଏବଂ କେନ୍ଦ୍ର ସ୍ତରରେ ପହଞ୍ଚାଇବା ପାଇଁ ଚେଷ୍ଟା କରିବା ଉଚିତ । ହୋମ୍ ଆଣ୍ଡ ହୋପ୍ର ସହ ସମ୍ପାଦକ ଗୌରୀ ଶଙ୍କର ଦାସ ଅନ୍ୟତମ ସମ୍ମାନୀୟ ଅତିଥି ଭାବେ ଯୋଗ ଦେଇ ଏ ଭଳି ଆୟୋଜନ ପାଇଁ ରାଉରକେଲା ଇସ୍ପାତ କାରଖାନା ତରଫରୁ ସବୁ ପ୍ରକାର ସହଯୋଗ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ସମ୍ବଲପୁର ଜିଲ୍ଲାରୁ ବ୍ରଜକିଶୋର ସାହୁ, କଟକରୁ ସୁଜାତା ପଟ୍ଟନାୟକ, ସୋନପୁରରୁ ଶ୍ରୀ ଦେହୁରୀ, ହୋମ୍ ଆଣ୍ଡ ହୋପ୍ରୁ ପଦ୍ମନୀ ଦାସ, ଆଶାଦୀପର ସବିତା ମହାନ୍ତି, ଶ୍ରଦ୍ଧାର କାର୍ତ୍ତିକ ପାଣ୍ଡବ, ରୋଟାରୀୟାନ ସୁଚିସ୍ମିତା ବିଶ୍ଵାସ, ଅଭିଭାବକ ସଂଘ ରାଉରକେଲାର ଗଗନ ବିହାରୀ ଧଳ ଓ ରଞ୍ଜନ ମହାରଣା, ଶ୍ୟାମ ଦେବକୀଅନୁ ଅନୁଷ୍ଠାନର ଶୁଭକାନ୍ତ ବୋଇତି, ରାଜଗାଙ୍ଗପୁର ହୋପ୍ ଅନୁଷ୍ଠାନର ସମ୍ପାଦକ ଆଶୀର୍ବାଦ ସାମଲ ଓ ଲକ୍ଷ୍ମୀଧର ପାଣିଗ୍ରାହୀ ପ୍ରଭୃତି ସେମାନଙ୍କର ପ୍ରାସଙ୍ଗିକ ବକ୍ତବ୍ୟ ରଖିବା ସହିତ ଉକ୍ତ ରାଜ୍ୟସ୍ତରୀୟ କମିଟିକୁ ଆଗେଇ ନେବାକୁ ସହମତି ପ୍ରକାଶ କରିଥିଲେ । ଶେଷରେ ଶୁଭକାନ୍ତ ବୋଇତି ଧନ୍ୟବାଦ ଅର୍ପଣ କରିଥିଲେ । ହୋମ୍ ଆଣ୍ଡ ହୋପ୍, ଶ୍ରଦ୍ଧା, ଆଶାଦୀପ, ହୋପ୍, ଶ୍ୟାମ ଦେବକୀ ଅନୁ ଅନୁଷ୍ଠାନର କର୍ମକର୍ତ୍ତାମାନେ ମିଶି ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ସୁନ୍ଦରଗଡ଼, ଦେବଗଡ଼, ସମ୍ବଲପୁର, କଟକ, ଭୁବନେଶ୍ୱର, ସୋନପୁର ଏବଂ ବଲାଙ୍ଗିର ପ୍ରଭୃତି ଜିଲ୍ଲାରୁ ପ୍ରାୟ ୪୦ରୁ ଅଧିକ ଅଂଶ ଗ୍ରହଣକାରୀ ଏଥିରେ ସାମିଲ ହୋଇ କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ ।