
ବଣାଇ, (ନାରାୟଣ ଚନ୍ଦ୍ର ବେହେରା) : ଜନସାଧାରଣ ସାଧାରଣତଃ କୌଣସି ଅସୁବିଧାର ସମ୍ମୁଖୀନ ହେଲେ ସୁରକ୍ଷା ପାଇଁ ତହସିଲ ଅଫିସକୁ ଯାଇଥାନ୍ତି । ଘର ଭାଙ୍ଗି ଯାଇଥିଲେ କି ଛପରରୁ ପାଣି ଗଳୁଥିଲେ ତହସିଲ ପକ୍ଷରୁ ପଲିଥିନ ଯୋଗାଇ ଦିଆଯାଇ ଲୋକଙ୍କୁ ସୁରକ୍ଷା ପ୍ରଦାନ କରାଯାଇଥାଏ । ମାତ୍ର ଲହୁଣୀପଡ଼ା ତହସିଲ ଅଫିସରେ ତାର ଓଲଟା ଦୃଶ୍ୟ ଦେଖିବାକୁ ମିଳିଛି । କର୍ମଚାରୀ ସୁରକ୍ଷିତ ନୁହନ୍ତି, କମ୍ପୁଟର ଉପକରଣ ସୁରକ୍ଷିତ ନାହିଁ ଯାହାକୁ ନେଇ ଏବେ ଜନସାଧାରଣଙ୍କ ମଧ୍ୟରେ ଚର୍ଚ୍ଚା ହେଉଛି । ମିଳିଥିବା ସୂଚନା ଅନୁସାରେ ଲହୁଣୀପଡ଼ା ତହସିଲ ଅଫିସରେ ରେକର୍ଡ କିପର ଓ ପାଖ ଟେବୁଲ ଉପରେ ଛାତ ଉପରୁ ସିଲିଂ ଖସି ପଡିଥିଲା । କିଛି କ୍ଷଣ ଆଗରୁ ଏଠାରେ ରେକର୍ଡର କର୍ମଚାରୀ କାମ କରୁଥିବା ବେଳେ ରେକର୍ଡ ରୁମ୍କୁ ପଶିବା ସମୟରେ ଏହି ଅଘଟଣ ଘଟିଥିଲା ଯାହା ଫଳରେ ସେମାନେ ବର୍ତ୍ତୀ ଯାଇଥିଲେ । କିଛି ଦିନ ଆଗରୁ ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟରୁ ମଧ୍ୟ ଏପରି ସିଲିଂ ଖସି ପଡିଥିଲେ ମଧ୍ୟ ଅଳ୍ପକେ ବର୍ତ୍ତୀ ଯାଇଥିଲେ । ଲହୁଣୀପଡ଼ା ବ୍ଲକର ଜନସାଧାରଣଙ୍କ ଜମି ଜମା ସମ୍ୱନ୍ଧୀୟ ବହୁ ଗୁରୁତ୍ୱପୂର୍ଣ୍ଣ ଫାଇଲ ସବୁ ଥିବା ବେଳେ ଛାତରୁ ପାଣି ଗଳୁଛି । ପାଣି ଗଳୁଥିବା ଜାଗା ପାର୍ଶ୍ଵରେ ଫାଇଲ ସବୁ ଗଦା ହୋଇଛି । ବର୍ଷା ହେଲେ କର୍ମଚାରୀମାନଙ୍କୁ ଟେବୁଲ ଉପରେ ବାଲ୍ଟି ରଖି କାମ କରିବାକୁ ପଡୁଛି ହାଇଟେକ ସେଲ ଲେବ ଯେଉଁଠାରେ ଚାରୋଟି କମ୍ପୁଟର ରଖି କାମ କରାଯାଉଛି ସେହି ରୁମ୍ରେ ମଧ୍ୟ ବର୍ଷା ହେଲେ ପାଣି ଗଳୁଛି । ଏହାଠାରୁ ବ୍ଲକ ମଧ୍ୟରେ ଖରାପ ଦୃଶ୍ୟ କ’ଣ ହୋଇପାରେ ବୋଲି ପ୍ରଶ୍ନ ଜନସାଧାରଣଙ୍କ ମନରେ ଉଙ୍କି ମାରୁଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଗତ ମେ’ ମାସରେ ତହସିଲ ଅଫିସ ଛାତର ଗ୍ରୀଡିଙ୍ଗ ହୋଇଥିବା ଜଣାପଡିଛି ବର୍ଷେ ନପୂରୁଣୁ ଛାତରୁ ସିଲିଂ ଖସିବା କର୍ମଚାରୀଙ୍କ ମନରେ ଅସୁରକ୍ଷିତ ଭାବ ଉତ୍ପର୍ଣ୍ଣ କରିଥିବା ବେଳେ ତହସିଲ ଅଫିସ ଭଳି ଗୁରୁତ୍ୱ ପୂର୍ଣ୍ଣ ସରକାରୀ ଅଫିସକୁ ପ୍ରଶାସନ ଧ୍ୟାନ ଦେବାକୁ ଦାବୀ ହୋଇଛି ।